ରାତିରେ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଆସି ଗଜପତି ପିଡି ହଟହଟା

ଅଟକ ରଖି ତାଲା ପକାଇଲେ ଲୋକେ, ପୂର୍ବରୁ ବି ବହୁ ବିବାଦରେ ଫସିଛନ୍ତି

ରାତିରେ ଷ୍ଟ୍ରଙ୍ଗ୍‌ରୁମ୍‌କୁ ଆସି ଗଜପତି ପିଡି ହଟହଟା

ରା.ଉଦୟଗିରି : ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଅନାମ ଚରଣ ପାତ୍ରଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ରାତିରେ ନୂଆଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ପରିସର ଷ୍ଟ୍ରଙ୍ଗ୍‌ରୁମ୍‌କୁ ଯାଇଥିବାବେଳେ ତାଙ୍କୁ ଲୋକେ ତାଲା ପକାଇ ଅଟକ ରଖିଥିଲେ। ପୂର୍ବରୁ ମଧ୍ୟ ଶ୍ରୀ ପାତ୍ର ବିଭିନ୍ନ ବିବାଦମୂଳକ‌ କାର୍ଯ୍ୟ‌ରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ରହିଥିଲା। ଏହିଭଳି ସ୍ଥିତିରେ ଗତକାଲିର ଘଟଣାରେ ତାଙ୍କର ଭୂମିକା ଅତ୍ୟନ୍ତ ସନ୍ଦେହଜନକ ବୋଲି ଅଭିଯୋଗ ହୋଇଛି।

ହସ୍ତଗତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପିଡି ଶ୍ରୀ ପାତ୍ର ନୂଆଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ପରିସର ଥିବା ଷ୍ଟ୍ରଙ୍ଗ୍‌ରୁମ୍‌କୁ ଯାଇଥିଲେ। ତାଙ୍କର ଅନ୍ଧାରି ବିଜେକୁ ନେଇ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନେ ପଚାରିବାରୁ ଶ୍ରୀ ପାତ୍ର ବୈଠକ ପାଇଁ ଆସିଥିବା କହିଥିଲେ। କର୍ମୀମାନେ ପାଲଟା ପ୍ରଶ୍ନ କରିଥିଲେ ଯେ, ବୈଠକ ଯଦି ଦିନରେ ନଆସି ରାତିରେ କାହିଁକି ଆସିଲେ? ଏହାକୁ ନେଇ କିଛିସମୟ ଧରି ବାକ୍‌ଯୁଦ୍ଧ ସହିତ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବିରୋଧୀ କଂଗ୍ରେସ ଓ ବିଜେପିର କର୍ମୀମାନେ ଶ୍ରୀ ପାତ୍ରଙ୍କୁ ଅଟକ ରଖିବା ସହିତ ଫାଟକରେ ତାଲା ପକାଇ ଦେଇଥିଲେ। ତେବେ, କାହିଁକି ତାଲା ପକାଇଲେ ଶ୍ରୀପାତ୍ର ପଚାରିବାରୁ ଉତ୍ତ୍ୟକ୍ତ ଲୋକମାନେ ପାଲଟା ଭତ୍ସନା କରିଥିଲେ। ତୁରନ୍ତ ସ୍ଥାନ ଛାଡ଼ିନଥିଲେ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ, ପିଡି ଶ୍ରୀ ପାତ୍ର ରାତାରାତି ସେ ଅଞ୍ଚଳ ଛାଡ଼ି ଚାଲି ଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବିବାଦରେ ଛନ୍ଦିହେବା ଶ୍ରୀ ପାତ୍ରଙ୍କ ପାଇଁ ନୂଆ ଘଟଣା ନୁହେଁ। କିଛିଦିନ ତଳେ ମୋହନା ବ୍ଲକ୍‌ କାର୍ଯ୍ୟାଳୟରେ ଭୋଟଗ୍ରହଣ ପୂର୍ବରୁ ଷ୍ଟ୍ରଙ୍ଗ୍‌ରୁମ୍‌ ଖୋଲି ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଯାଞ୍ଚ୍‌ ବେଳେ ଗୋଟିଏ ରୁମ୍‌ ତାଲା ନଖୋଲିବା , ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଷ୍ଟ୍ରଙ୍ଗ୍‌ରୁମ୍‌ ଖୋଲିବାରୁ ନିର୍ଦ୍ଧାରିତ ପରିମାଣରୁ ଅଧିକ ପରିମାଣର ଅସଲି ଓ ବ୍ୟବହୃତ ବାଲଟ୍‌ ଗଚ୍ଛିତ ଥିବା ଓ ତାହା ଜବତ କରାଯିବା ଭଳି ଘଟଣାରେ ତାଙ୍କ ଭୂମିକା ସନ୍ଦେହଘେରକୁ ଆସିଥିଲା। ଏହାର କିଛିଦିନ ପୂର୍ବରୁ ରାୟଗଡ଼ ବ୍ଲକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅଧିକାରୀଙ୍କ ସଂପୃକ୍ତିରେ ମନରେଗା ଦୁର୍ନୀତି ପଦାକୁ ଆସିଥିଲା। ସେହିଭଳି ଆଦିବାସୀଙ୍କୁ ହଳଦୀ ଓ ବିହନ ଯୋଗାଇଦେବା ବାହାନାରେ ୧ କୋଟି ୧୬ ଲକ୍ଷ ଚଳୁ ହୋଇଥିବା ପ୍ରମାଣ ମିଳିଥିଲା। ଏହାପରେ ଏହି ଦୁର୍ନୀତିର ମୁଖ୍ୟ କାର୍ପଟଦାର ଦୁଇ ଅଧିକାରୀଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ଜଣଙ୍କୁ ସହକାରୀ କମିସନର(ସିଏମସି ) ଓ ଆଉ ଜଣଙ୍କୁ ଓଏଚ୍‌ଆର୍‌ସିର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଥିଲେ। ଏବେ ନିର୍ବାଚନ ସମୟରେ ଖୋଦ୍‌ ପିଡି ଡିଆର୍‌ଡିଏ ସରକାରୀ ଏଜେଣ୍ଟ୍‌ ଭଳି କାମ କରୁଥିବା ନେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ ପାରଳା ବିଧାୟକ କେ.ନାରାୟଣ ରାଓ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଦୁର୍ନୀତିଗ୍ରସ୍ତ ପିଡି ଡିଆର୍‌ଡିଏଙ୍କୁ ତୁରନ୍ତ ବଦଳି ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe