ଗଜପତି ମହାରାଜଙ୍କ ବିରଳ ରେକର୍ଡ, ଛେରାପହଁରାକୁ ପୂରିଲା ୫୦ ବର୍ଷ

ଚାରି ପୁରୁଷ କେହି ବି କରିନଥିଲେ, ରାଜଗୁରୁଙ୍କ ସେବାକୁ ବି ପୂରିଲା ୨୫ ବର୍ଷ

ଗଜପତି ମହାରାଜଙ୍କ ବିରଳ ରେକର୍ଡ, ଛେରାପହଁରାକୁ ପୂରିଲା ୫୦ ବର୍ଷ

ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଜି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ହେଉଛନ୍ତି ପ୍ରଥମ ମହାରାଜ, ଯିଏ କି ମହାପ୍ରଭୁଙ୍କ ଛେରାପହଁରା କରିବାରେ ୫୦ ବର୍ଷ ପୂରଣ କରିଛନ୍ତି। ମହାରାଜଙ୍କ ଚାରି ପୁରୁଷ ଭିତରେ କୌଣସି ମହାରାଜ ଏଭଳି ବିରଳ ରେକର୍ଡ଼ ଅଧିକାରୀ ହୋଇନଥିଲେ। ଏଣୁ ଗଜପତିଙ୍କ ମହାରାଜଙ୍କ ପାଇଁ ଚଳିତବର୍ଷର ରଥଯାତ୍ରା ଐତିହାସିକ ରଥଯାତ୍ରା ହୋଇଥିବାବେଳେ ଏହି ବିରଳ ରେକର୍ଡ଼ ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ଗଜପତିଙ୍କ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁଙ୍କ ସୂଚନା ମୁତାବକ, ଗଜପତି ମହାରାଜ ମୁକୁନ୍ଦ ଦେବ, ରାମଚନ୍ଦ୍ର ଦେବ ଓ ବୀରକିଶୋର ଦେବଙ୍କ ପରେ ୧୯୭୧ ମସିହାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁରୀ ଗଜପତି ଭାବେ ଗାଦିସୀନ ହୋଇଥିଲେ। ସେବେଠୁ ସେ ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ାଯାତ୍ରାରେ ଛେରାପହଁରା କରି ଆସୁଛନ୍ତି। ୧୯୭୬ ମସିହାରେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ପଡ଼ିବାରୁ ସେହିବର୍ଷ କେବଳ ଛେରାପହଁରା କରି ପାରିନଥିଲେ ଗଜପତି ମହାରାଜ। କିନ୍ତୁ ଏହା ପରଠାରୁ ରଥରେ ନିରବଚ୍ଛିନ୍ନ ଭାବେ ଛେରା ପହଁରା କରି ଆସୁଛନ୍ତି।
ଚଳିତବର୍ଷ ରଥଯାତ୍ରାରେ ଗଜପତି ମହରାଜ ଦିବ୍ୟସିଂହ ଦେବଙ୍କ ଏହି ଛେରା ପହଁରାକୁ ୫୦ ବର୍ଷ ପୂରିଛି ବୋଲି ଗଜପତିଙ୍କ ରାଜଗୁରୁ କହିଛନ୍ତି।

ଅନ୍ୟପଟେ ଗଜପତି ମହାରାଜଙ୍କ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁଙ୍କ ସେବାକୁ ଆଜି ୨୫ ବର୍ଷ ପୂରିଛି। ପ୍ରତିବର୍ଷ ସେ ଗଜପତି ମହାରାଜଙ୍କ ସହ ଛେରା ପହଁରାରେ ରଥକୁ ଯାଇ ନୀତିକାନ୍ତି ସଂପାଦନ କରିଥା’ନ୍ତି। କୂଳ ପୁରୋହିତ ଭାବେ ଗଜପତି ମହାରାଜଙ୍କୁ ପଇତା ଲାଗିଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ସଂପାଦନ କରିଥାନ୍ତି। ଆଜି ଏହି ସେବାକୁ ୨୫ ବର୍ଷ ପୂରିଥିବାରୁ ଶ୍ରୀ ରାଜଗୁରୁ ଖୁସିବ୍ୟକ୍ତ କରିଛନ୍ତି। ଏଥିପାଇଁ ମହାପ୍ରଭୁଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି ଶ୍ରୀ ରାଜଗୁରୁ। ଭକ୍ତିପୂତ ଚିତ୍ତରେ ଏହି ସେବା ଆଗକୁ ଯେଭଳି ନିରବଚ୍ଛିନ୍ନ ଜାରି ରହିବ, ସେଥିପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe