ଅସନ୍ତୋଷ ଝାଡ଼ିଲେ ଗଜପତି: ବ୍ୟତିକ୍ରମ କେବେ ବି ପରମ୍ପରା ନ ହେଉ

ରଥଯାତ୍ରା ଓ ସ୍ନାନଯାତ୍ରା ବିଶୃଙ୍ଖଳାର ସମୀକ୍ଷା, ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି: ଗଜପତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରଥଯାତ୍ରା ଓ ସ୍ନାନଯାତ୍ରା ବିଶୃଙ୍ଖଳାର ବିସ୍ତୃତ ସମୀକ୍ଷା କରାଯାଇଛି। ଯେଉଁମାନେ ରଥଯାତ୍ରା ଓ ସ୍ନାନଯାତ୍ରାରେ ବିଶୃଙ୍ଖଳା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏହା ପୂର୍ବରୁ ଶ୍ରୀମନ୍ଦିର ନୀତି ସବ୍‌କମିଟିକୁ ନୀତି ବିଶୃଙ୍ଖଳାର ଭିଡିଓ ଫୁଟେଜ୍‌ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ଓ ସ୍ନାନଯାତ୍ରା ବିଶୃଙ୍ଖଳାକୁ ଗୁରୁତ୍ବର ସହ ନେଇଛନ୍ତି। ବ୍ୟତିକ୍ରମକୁ କେବେ ବି ପରମ୍ପରା ଭାବେ ଗ୍ରହଣ କରାନଯାଉ କଡ଼ା ଗଳାରେ କହିଛନ୍ତି। ରଥଯାତ୍ରା ଓ ସ୍ନାନଯାତ୍ରାର ସମୀକ୍ଷା ବେଳେ ଉଭୟ ରଥଯାତ୍ରା ଓ ସ୍ନାନଯାତ୍ରାରେ ବିଭିନ୍ନ ବିଶୃଙ୍ଖଳାର ରେକର୍ଡିଂ ଭିଡିଓ ଫୁଟେଜ୍‌ ଏଲ୍‌ସିଡି ଜରିଆରେ ପରିଚାଳନା କମିଟି ସଦସ୍ୟଙ୍କ ଆଗରେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଗଜପତି କହିଥିଲେ, ରଥଯାତ୍ରା ଓ ସ୍ନାନଯାତ୍ରା ସାରା ବିଶ୍ବ ଦେଖୁଛନ୍ତି। ସାରା ବିଶ୍ୱକୁ ଏହା ଖରାପ ବାର୍ତ୍ତା ନଦେଉ। ବିବାଦ ପାଇଁ ନୀତି ନ ଅଟକୁ। ନିଶ୍ଚିତ ଅଣସେବକ ଚିହ୍ନଟ ହେବ। ଭିଡିଓ ଓ ଫଟୋଗୁଡ଼ିକର ଅନୁଧ୍ୟାନ ହେବ। ସୋସିଆଲ୍‌ ମିଡିଆର ଫଟୋ, ଭିଡିଓ, ଖବର ଆଦିର ମଧ୍ୟ ସମୀକ୍ଷା କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ବିଶୃଙ୍ଖଳା ଉପରେ ବି ପଦକ୍ଷେପ ନିଆଯିବ। କାହାରିକୁ ଛଡ଼ାଯିବନି ବୋଲି ଗଜପତି କହିଛନ୍ତି।

ଅନ୍ୟପଟେ ରଥଯାତ୍ରାରେ ରଥ ଚଢ଼ିବା ଉପରେ ସ୍ବତନ୍ତ୍ର ମାର୍ଗଦର୍ଶିକା ତିଆରି ହେବା ଦରକାର ବୋଲି ଗଜପତି ଗୁରୁତ୍ବାରୋପ କରିଛନ୍ତି। ବାରମ୍ବାର କହିବା ପରେ ବି ଠାକୁରଙ୍କୁ ପଛ କରି ବସିବା ନେଇ ବିଗିଡ଼ିଛନ୍ତି ଗଜପତି। ଶ୍ରୀମନ୍ଦିର ପରିଚାଳନା କମିଟି ବି ଏହି ବିଶୃଙ୍ଖଳାକୁ ଗୁରୁତ୍ବର ସହ ନେଇଛି। ରଥ ଉପରେ ଠାକୁରଙ୍କ ପାଖରେ ରିଲ୍‌ସ କରିବା, ଫଟୋ ଓ ଭିଡିଓ ଉଠାଇବା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରଥଯାତ୍ରା ଓ ସ୍ନାନଯାତ୍ରା ବିଶୃଙ୍ଖଳାର ଆଜି ସମୀକ୍ଷା କରାଯାଇଛି।

ଏ ସମ୍ପର୍କିତ ସମସ୍ତ ଭିଡିଓ ଫୁଟେଜ୍‌ର ତର୍ଜମା କରିବାକୁ ନୀତି ସବ୍‌କମିଟିକୁ କୁହାଯାଇଛି। ନୀତି ସବ୍‌କମିଟି ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ରଥଯାତ୍ରା ଓ ସ୍ନାନଯାତ୍ରାର ସମସ୍ତ ଭିଡିଓ ଆମେ ଦେଖିଥିଲୁ। ସମ୍ମତିକ୍ରମେ ନୀତି ସବ୍‌କମିଟିକୁ ଏହାର ଭିଡିଓ ଫୁଟେଜ୍‌ ଅନୁଧ୍ୟାନ କରିବାକୁ କୁହାଯାଇଛି। ନୀତି ସବ୍‌କମିଟି ବୈଠକ ଗୋଟିଏ କି ଦୁଇ ସପ୍ତାହ ଭିତରେ ବସିବ। ନୀତି ସବ୍‌କମିଟି ରିପୋର୍ଟ ଦେବା ପରେ ଯେଉଁମାନେ ବିଶୃଙ୍ଖଳା କରିଛନ୍ତି, ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe