ଥିମ୍ ଗୀତ ଗାଇ ଚର୍ଚ୍ଚାରେ ଗଜପତି ଏସ୍‌ପି, ନାରୀର ସୁରକ୍ଷା ପାଇଁ ନେଇଛୁ ପଣ

ଥିମ୍ ଗୀତ ଗାଇ ଚର୍ଚ୍ଚାରେ ଗଜପତି ଏସ୍‌ପି, ନାରୀର ସୁରକ୍ଷା ପାଇଁ ନେଇଛୁ ପଣ

ସମ୍ବଲପୁର : ନାରୀର ସୁରକ୍ଷା ପାଇଁ ଆମେ ନେଇଛୁ ପଣ, ସେବା କରିବାକୁ ଆମେ ସଦା ତତ୍ପର। ଗଜପତି ଜିଲ୍ଲାରେ ମହିଳା ଏବଂ ଶିଶୁ ସୁରକ୍ଷା ପାଇଁ ହାଇଦ୍ରାବାଦ ଢାଞ୍ଚାରେ ଗଠିତ ‘ସି ଟିମ୍‌’ର ଥିମ୍‌ ଗୀତରେ କଣ୍ଠଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍‌ପି ତଥା ସମ୍ବଲପୁର ଝିଅ ସାରା ଶର୍ମା।

ଅଶ୍ଳୀଳ ଇଙ୍ଗିତଠାରୁ ଆରମ୍ଭ କରି ନିର୍ଯାତନାର ଶିକାର ମହିଳାମାନେ କିଭଳି ସି ଟିମ ନିକଟରେ ପହଞ୍ଚିପାରିବେ ଏଥିପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ସୋସାଲ ମିଡିଆରେ ଏହି ଗୀତ ଭାଇରାଲ ହୋଇଥିବାବେଳେ ଏହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଗୀତରେ ସାରାଙ୍କ ସୁମଧୁର କଣ୍ଠସ୍ବର କୌଣସି ପେଶାଗତ କଣ୍ଠଶିଳ୍ପୀଙ୍କଠାରୁ ବି କମ୍‌ ନୁହେଁ। ସାରାଙ୍କ ବାପା ଆଇନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଗିରିଜା ଶର୍ମା କହିଛନ୍ତି, ‘ଛୋଟ ବେଳୁ ହିଁ ସାରାର କଳା ପ୍ରତି ଆଗ୍ରହ ଥିଲା। ହଠାତ କେଉଁଠି ମ୍ୟୁଜିକ ବାଜି ଉଠିଲେ ସେ ହାତଗୋଡ଼ ସ୍ଥିର କରି ରହିପାରେ ନାହିଁ।’ ଝାରସୁଗୁଡ଼ାରେ ତୃତୀୟ ଶ୍ରେଣୀ ପଢ଼ିବାବେଳକୁ ବିଧିବଦ୍ଧ ଗୀତ ଗାଇବା ଆରମ୍ଭ କରିଥିଲେ ସାରା। ସେଠାରେ ସ୍ଥାନୀୟ ଜଣେ ଶିକ୍ଷକଙ୍କଠାରୁ ସେ ସଂଗୀତ ଶିକ୍ଷା କରୁଥିଲେ। ଏହାପରେ ସେମାନେ ସମ୍ବଲପୁର ଚାଲି ଆସିଥିଲେ, ଉଭୟ ବାପା, ମା’ କର୍ମଜୀବୀ ଥିବାରୁ ଗୀତ ଶିଖିବା ସମ୍ଭବ ନଥିଲା। ଯୁକ୍ତ ଦୁଇ ପଢିବାବେଳକୁ ସଙ୍ଗୀତ ଗୁରୁ ରତନ ପୂଜାରୀଙ୍କଠାରୁ କିଛି ବର୍ଷ ଗୀତ ଶିଖିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ କରିପାରିନଥିଲେ। ଏହାପରେ ଚାକିରି କରିବା ପର୍ଯ୍ୟନ୍ତ ପାଠ ନେଇ ବ୍ୟସ୍ତତା ଯୋଗୁଁ ସଂଗୀତ ଶିକ୍ଷା ଅଧାରେ ରହି ଯାଇଥିଲା। ତେବେ ଶୈଳବାଳା କଲେଜ, ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ପଢ଼ିଲାବେଳେ ଆୟୋଜିତ ବିଭିନ୍ନ ସଙ୍ଗୀତ ପ୍ରତିଯୋଗିତାରେ ସେ ବିଜୟୀ ହେଉଥିଲେ। ତାଙ୍କ ମା’ ରେଣୁ ଶର୍ମା କହନ୍ତି, ସଙ୍ଗୀତ ପ୍ରତି ସାରାର ଦୁର୍ବଳତା ଯୋଗୁଁ ଚାକିରି କରିବା ପରେ ସେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲା। ପ୍ରଥମେ ଭୁବନେଶ୍ବର ଏବଂ ବର୍ତ୍ତମାନ ଗଜପତିରେ ସଙ୍ଗୀତ ଶିଖୁଛି। ଏପରିକି କିଛି ବର୍ଷ ପୂର୍ବରୁ ଏକ ଚେନାଲର ‘ଆମରି ସ୍ବର’ ପ୍ରତିଯୋଗିତାରେ ଭାଗ ନେଇ ସେ ପ୍ରଥମ ରାଉଣ୍ଡରୁ ଉତ୍ତୀର୍ଣ୍ଣ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ସମୟ ଅଭାବରୁ ଭାଗ ନେଇ ପାରିନଥିଲା।

ସମ୍ବଲପୁରର ପ୍ରଥମ ମହିଳା ଆଇପିଏସ୍‌ ସାରା ଦେବଗଡ଼ ଏସ୍‌ପି ଭାବରେ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ଗଜପତି ଏସ୍‌ପି ଥିବା ସମୟରେ ଫନି ପୀଡ଼ିତଙ୍କୁ ସହାୟତା ପାଇଁ ନିଜେ ରାସ୍ତାକୁ ଓହ୍ଲାଇ ସେ ପ୍ରଶଂସାଭାଜନ ହୋଇଥିଲେ। ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଗୀତ ଗାଇବା ସହ ଏକ ନାରୀ ସୁରକ୍ଷା ପାଇଁ ଅଭିନବ ପଦକ୍ଷେପ ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe