ଗଜପତି ଷ୍ଟାଡିୟମ୍‌ର ଶୋଭା ବଢ଼ାଉଛି ଆବର୍ଜନା କୁଢ଼, ସଞ୍ଜ ନଇଁରେ ଜମୁଛି ମଦୁଆଙ୍କ ଆସର

ଗଜପତି ଷ୍ଟାଡିୟମ୍‌ର ଶୋଭା ବଢ଼ାଉଛି ଆବର୍ଜନା କୁଢ଼, ସଞ୍ଜ ନଇଁରେ ଜମୁଛି ମଦୁଆଙ୍କ ଆସର

ପାରଳାଖେମୁଣ୍ଡି: କିଛି ସପ୍ତାହ ପୂର୍ବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ରାଜ୍ୟ କ୍ରୀଡ଼ା ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ । ସେଥିରେ ସେ ନିବେଦନ କରିଥିଲେ ଯେ, ଗଜପତି ଜିଲ୍ଲାରେ କ୍ରୀଡ଼ାର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉ । ସାଂସଦଙ୍କ ଏହି ଚିଠିକୁ ଖେଳାଳିମାନେ ସ୍ବାଗତ କରିଥିବା ବେଳେ ପ୍ରଶ୍ନ ଉଠୁଛି ଯେ, କେବଳ ଚିଠି ଲେଖି ଦେଇ ସାଂସଦ ନିଜ ଦାୟିତ୍ବ ସମାପ୍ତ କରିଦେଲେ କି ?

ଜିଲ୍ଲା ସଦର ମହକୁମା ପାରଳାରେ ଅବସ୍ଥାପିତ ଏକ ମାତ୍ର ଲୋକପ୍ରିୟ କ୍ରୀଡ଼ାକେନ୍ଦ୍ର - ଗଜପତି ଷ୍ଟାଡ଼ିୟମର ସ୍ଥତି ଅନୁଧ୍ୟାନ ପାଇଁ ସେଠାରେ ପହଞ୍ଚିବା ପରେ ଦେଖାଗଲା ଯେ, ଏହା ଯେଉଁ ତିମିରେକୁ ସେଇ ତିମିରରେ ପଡ଼ି ରହିଛି। ସାଂସଦଙ୍କ ଚିଠି ପରେ ଷ୍ଟାଡ଼ିୟମର ଉନ୍ନତି ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଯେଉଁ ଆଶା କରାଯାଉଥିଲା, ସେଭଳି କିଛି ଦେଖିବାକୁ ମିଳିଲା ନାହିଁ। କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟ ଖେଳପଡ଼ିଆର ଏକ କକ୍ଷରେ ଅବସ୍ଥାପିତ ଥିଲା । କିଛିଦିନ ହେଲା ତାହା ବି ସ୍ଥାନାନ୍ତର ହୋଇଯାଇଛି। ଷ୍ଟାଡିୟମର ସୁରକ୍ଷା ପାଇଁ ରାତି ଜଗୁଆଳି କିମ୍ବା ବଗିଚା ରକ୍ଷକ ନିଯୁକ୍ତି ପାଇନାହାନ୍ତି । ଷ୍ଟାଡିୟମ ମଧ୍ୟକୁ ପ୍ରବେଶ ଉପରେ ନିୟନ୍ତ୍ରଣ ନଥିବା ଯୋଗୁଁ ସନ୍ଧ୍ୟା ହୋଇଯିବା ମାତ୍ରେ ଏହା ମଦୁଆମାନଙ୍କ ପାଇଁ ଆଡ଼ାରେ ପରିଣତ ହୋଇଯାଇଛି। ମାତ୍ର କିଛି ଦୂରତାରେ ଅବସ୍ଥିତ ମଦ ଦୋକାନର ଫାଇଦା ଉଠାଉଛନ୍ତି ସେମାନେ ।

ଷ୍ଟାଡ଼ିୟମ ସମ୍ମୁଖରେ ରହୁଥିବା କିଛି ବ୍ୟବସାୟୀ କହିଛନ୍ତି ‌ଯେ, ସନ୍ଧ୍ୟା ହୋଇଯିବା ପରେ ଷ୍ଟାଡ଼ିୟମ ମଧ୍ୟରେ ମଦ ପିଇବା ପାଇଁ ଭିଡ଼ ଆରମ୍ଭ ହୋଇଯାଏ । ଛୁଟିଦିନ କିମ୍ବା ପର୍ବ ଦିନରେ ମଧ୍ୟ ସକାଳୁ ହିଁ ମଦ ପିଇବାକୁ ଭିଡ଼ ଜମିଯାଏ। ଏଣୁ, ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ମଦ ବୋତଲ, ପାଣି ପ୍ଲାଷ୍ଟିକ ବୋତଲ, ଫୋପଡ଼ା ଯାଇଥିବା ଖାଦ୍ୟ ସାମଗ୍ରୀ, ଗୁଟଖା ପ୍ୟାକେଟ, ସିଗାରେଟ ପ୍ୟାକେଟ ଆଦି ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।

publive-image

ଖେଳ ପଡ଼ିଆରେ ଖେଳାଳିମାନଙ୍କ ପାଇଁ କୌଣସି ପ୍ରକାର ସୁବିଧା ନାହିଁ। ଆଜି ଦୁଇ ବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ସୀମିତ ଓଭରର ଏକ କ୍ରିକେଟ ପ୍ରତିଯୋଗିତା ଚାଲିଥିଲା। ଆବର୍ଜନା ଏବଂ ପ୍ରଦୂଷିତ ପରିବେଶ ପାଇଁ ଖେଳାଳିମାନେ ଗ୍ୟାଲେରୀ ନିକଟରେ ବସିବା ବଦଳରେ ଗଛ ତଳେ ଆଶ୍ରୟ ନେଇଥିଲେ। ଖେଳପଡ଼ିଆ ମଧ୍ୟରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ।

ଗତ କିଛିବର୍ଷ ହେଲା ଷ୍ଟାଡିୟମ ପରିସରରେ ଚାଲିଛି ସହରାଞ୍ଚଳ ଶିକ୍ଷା ଆବାସିକ କେନ୍ଦ୍ର (ଅର୍ବାନ ହଷ୍ଟେଲ)। ଏହି କାରଣ ଯୋଗୁଁ ଷ୍ଟାଡିୟମର ଗୋଟିଏ ପାର୍ଶ୍ୱ ମାଡ଼ି ବସିଛି ଏହି ବିଦ୍ୟାଳୟ । ଏହି କାରଣ ଯୋଗୁଁ ଗ୍ୟାଲେରୀ ମଧ୍ୟରେ ଥିବା କକ୍ଷଗୁଡ଼ିକୁ ପ୍ରବେଶ ମନା । ଗଜପତି ଷ୍ଟାଡିୟମକୁ ପ୍ରତିଦିନ ନିୟମିତ ଭାବେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବପିିଢ଼ି ଆସନ୍ତି । ସେମାନଙ୍କ ପ୍ରଚେଷ୍ଟାରେ ଖେଳ ପଡ଼ିଆର ମଝି ପାର୍ଶ୍ୱଟି ସଫା ରହିଛି। ସକାଳୁ ସଫା କରିଥିବା ସ୍ଥାନଗୁଡ଼ିକ ସନ୍ଧ୍ୟା ସମୟରେ ପୁଣି ଆବର୍ଜନାରେ ଭରିଯାଉଛି । ଷ୍ଟାଡିୟମ ନିକଟରେ ଥିବା ଇଣ୍ଡୋର ଷ୍ଟାଡିୟମର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଗଲାଣି। ଉଦଘାଟନ ହେବାର ଦୁଇ ବର୍ଷ ମଧ୍ୟରେ ଇଣ୍ଡୋର ଷ୍ଟାଡିୟମର ସୌନ୍ଦର୍ଯ୍ୟ ଖରାପ ହୋଇ ଯାଇଥିବା ସମାଲୋଚନାର ବିଷୟ ପାଲଟିଛି। ଏଣୁ, ଗଜପତି ଷ୍ଟାଡିୟମ ଭିତରକୁ ପ୍ରବେଶ ନିୟନ୍ତ୍ରଣ କରାଯାଉ। ସନ୍ଧ୍ୟାରେ ପୁଲିସ ପହରାର ବ୍ୟବସ୍ଥା କରାଯାଉ, ମଦ୍ୟପାନକୁ ବାରଣ ହେଉ, ର୍ବନ ହଷ୍ଟେଲକୁ ସ୍ଥାନାନ୍ତର କରାଯାଉ ଏବଂ ଷ୍ଟାଡିୟମ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଉ ବୋଲି ଦାବି ହୋଇଛି। ଏଥି ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏଥର ପାରଳାଖେମୁଣ୍ଡି ଗସ୍ତ ବେଳେ ଗଜପତି ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe