Gapu Photography
ଭୁବନେଶ୍ବର : ଗନ୍ଧମାର୍ଦ୍ଦନ ପର୍ବତ ଶ୍ରେଣୀ ଏବଂ ବିଶେଷକରି ନୃସିଂହନାଥ ଓ ହରିଶଙ୍କର ଅଞ୍ଚଳ ଇକୋ ଟୁରିଜମ୍ ଏବଂ ଆଧ୍ୟାତ୍ମିକ କ୍ଷେତ୍ର ଭାବରେ କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ଛତିଶଗଡ଼ ଏବଂ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ବହୁଳ ଭାବରେ ଆକର୍ଷିତ କରିଥାଏ। ଏହାର ବିକାଶ କରାଯାଇପାରିଲେ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ପତ୍ରରେ ଏହା ଉଲ୍ଲେଖ କରିଛନ୍ତି ପୂର୍ବତନ ସାଂସଦ ତଥା ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ଉପଦେଷ୍ଟା ଭବାନୀଶଙ୍କର ହୋତା।
ଶ୍ରୀ ହୋତା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗନ୍ଧମାର୍ଦ୍ଦନ ଅଞ୍ଚଳକୁ ଅନେକଦିନ ପର୍ଯ୍ୟନ୍ତ କୌଣସି ସଠିକ୍ ଗମନାଗମନ ସୁବିଧା ନାହିଁ। ଏହାସତ୍ତ୍ବେ ବି ପଡ଼ୋଶୀ ଛତିଶଗଡ ସମେତ ଦେଶର ବିଭିନ୍ନ ଅଂଚଳରୁ ୫ ଲକ୍ଷରୁ ଉର୍ଦ୍ଧ ପର୍ଯ୍ୟଟକ ଆସୁଛନ୍ତି। ବିଜୁ ଏକ୍ସପ୍ରେସ ୱେ ଦ୍ବାରା ଏ ଅଞ୍ଚଳରେ ଗମନାଗମନ ର ସୁବିଧା ହେଇପାରିଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରିବ। ଏଥିସହିତ, ନିକଟସ୍ଥ ସତିଭଟା ବିମାନ ଉଡ୍ଡୟନ କେନ୍ଦ୍ରର ଆଧୁନିକୀକରଣ ନ ହେବାଦ୍ବାରା ଏଠାକୁ ବ୍ୟାବସାୟିକ ଉଡ଼ାଣ ମଧ୍ୟ ସମ୍ଭବ ହୋଇପାରୁନାହିଁ।
ଅନ୍ୟପକ୍ଷରେ, ଏଠି ମଧ୍ୟ ବହୁ ଔଷଧୀୟ ଗୁଳ୍ପ ରହିଛି। ୧୯୫୩ରେ ବୋଟାନିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ଜମ୍ମୁ କାଶ୍ମୀର ବିଭାଗୀୟ ମୁଖ୍ୟ ଡା. ଗୋପୀନାଥ ପାଣିଗ୍ରାହୀଙ୍କ ତଥ୍ୟ ଅନୁସାରେ ଗନ୍ଧମାର୍ଦନ ପର୍ବତଶ୍ରେଣୀରେ ପରିବ୍ୟାପ୍ତ ପ୍ରାୟ ୨୧ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ଅନେକ ଔଷଧୀୟ ବୃକ୍ଷ ରହିଛି। ପ୍ରାୟ ୨୨୫ ଔଷଧୀୟ ବୃକ୍ଷ ଏବଂ ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ବ ଗୁଳ୍ମ ସମୂହ ଏଠାରେ ରହିଥିବା ସେ ତଥ୍ୟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଏକ ବିଶ୍ବସ୍ତରୀୟ ଆୟୁର୍ବେଦିକ ଗବେଷଣା କେନ୍ଦ୍ର ଓ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଉ। ଏହାଦ୍ବାରା , ସ୍ଥାନୀୟ ଅଞ୍ଚଳରେ ଚିକିତ୍ସା ସୁବିଧା ସହିତ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ରୋଜଗାର ସୃଷ୍ଟି ହୋଇପାରିବ । ରାଜ୍ୟ ସରକାର ପ୍ରଚୁର ରାଜସ୍ବ ଆଦାୟ କରିବା ସହ ଓଡ଼ିଶାରୁ ପ୍ରଶିକ୍ଷିତ ଶହ ଶହ ଆୟୁର୍ବେଦିକ ଚିକିତ୍ସକ ଓ ସେବାକାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ ବୋଲି ଶ୍ରୀ ହୋତା ଉଲ୍ଲେଖ କରିଛନ୍ତି।
ଏଥିସହିତ ଶ୍ରୀ ହୋତା ଉଲ୍ଲେଖ କରିଛନ୍ତି ଯେ, ଏହି ଅଞ୍ଚଳରେ ପର୍ଯ୍ୟଟନର ଉନ୍ନତିକରଣ କରାଯାଇପାରିଲେ, ପର୍ବତର ଉଭୟ ପାର୍ଶ୍ଵରେ ପ୍ରାୟ ୧୦ ହଜାର (ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ) ରୋଜଗାର ସୃଷ୍ଟି ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ଗନ୍ଧମାର୍ଦ୍ଦନ ଅଂଚଳର ସାମଗ୍ରିକ ବିକାଶ ପାଇଁ ୫୦୦ ଟଙ୍କା ବିନିଯୋଗ କରିବା ପାଇଁ ପୂର୍ବତନ ସାଂସଦ ଶ୍ରୀ ହୋତା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
Follow Us