କେନ୍ଦୁଝର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଫାର୍ମହାଉସ୍ରେ ପଶିଛି ଇଓଡବ୍ଲ୍ୟୁ। ଆଜି କେନ୍ଦୁଝର ସଦର ତହସିଲ ରଘୁନାଥପୁର ରାଜସ୍ବ ସର୍କଲ ଅନ୍ତର୍ଗତ ଗୋପାଳପୁର ମୌଜାରେ ଥିବା ରାଜାଙ୍କ ଫାର୍ମହାଉସ୍ରେ ଇଓଡବ୍ଲ୍ୟୁର ତିନିଜଣିଆ ଟିମ୍ ସହିତ ରେଞ୍ଜର ଅଜିତ କୁମାର ଦାସ, ରଘୁନାଥପୁର ରାଜସ୍ବ ନିରୀକ୍ଷକ ପଦ୍ମିନୀ ମହାନ୍ତ ପ୍ରମୁଖ ମାପଚୁପ କରିଛନ୍ତି। ଫାର୍ମହାଉସ୍ଟି କେଉଁ କିସମର ଜମି ଉପରେ ନିର୍ମାଣ ହୋଇଛି, ଡ୍ରୋନ୍ କ୍ୟାମେରା ମାଧ୍ୟମରେ ତାହାର ଯାଞ୍ଚ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଫାର୍ମହାଉସ୍ ତିଆରି ହୋଇଥିବା ଜମିକୁ ଯିବାପାଇଁ ରାସ୍ତା ନଥିଲା। ତଞ୍ଚକତା କରାଯାଇ ଜମିକୁ ଘରବାଡ଼ି କିସମରେ ରୂପାନ୍ତରିତ କରାଯାଇଛି। ଗୋପାଳପୁର ମୌଜା ଖାତା ନମ୍ବର ୭୯/୧୪୯, ପ୍ଲଟ୍ ନମ୍ବର ୮୪୧ର ବେଆଇନ ଭାବେ କିସମ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ରଘୁନାଥପୁର ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ତତ୍କାଳୀନ ଉପଜିଲ୍ଲାପାଳ ଏହି କିସମ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଉକ୍ତ ପ୍ଲଟ୍ଟି ଜଙ୍ଗଲ ଜମିରେ ଥିବାବେଳେ ରାଜସ୍ୱ ନିରୀକ୍ଷକ ଭୁଲ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ଓଏଲ୍ଆର୍ କେସ୍ ନମ୍ବର ୧୦୪୩/୨୦୨୩ରେ ରୂପାଲି ପଟ୍ଟନାୟକ, ସ୍ୱାମୀ ସୌମ୍ୟଶଙ୍କର ଚକ୍ରଙ୍କ ନାମରେ ୨ ଏକର ୪୮ ଡିସିମିଲ ଜମିକୁ ଘରବାଡ଼ିରେ ପରିବର୍ତ୍ତନ କରାଯାଇଛି। ଏଠାରେ ୧ ଏକରରୁ ଅଧିକ ଜଙ୍ଗଲ ଜମିକୁ ଜବରଦଖଲ କରାଯାଇ ରାସ୍ତା, ମୁଖ୍ୟ ଫାଟକ, ଫୁଲ ବଗିଚା, ପିଲାଙ୍କ ଖେଳିବା ପାଇଁ ଦୋଳି, ପୋଖରୀ ଖୋଳାଯାଇଛି। ସେହିପରି ୨୦ ନମ୍ବର ଜାତୀୟ ରାଜପଥରୁ ଫାର୍ମହାଉସକୁ ଯିବାପାଇଁ ଖାତା ନମ୍ବର ୮୦, ପ୍ଲଟ୍ ନମ୍ବର ୪୭୮ରେ ଥିବା ଜଙ୍ଗଲ ଜମିରେ ୨୦୦ ମିଟର ପକ୍କାରାସ୍ତା ନିର୍ମାଣ ହୋଇଛି। ବନ ବିଭାଗର ବିନା ଅନୁମତିରେ ଏହି ରାସ୍ତା ନିର୍ମାଣ ହୋଇଛି। କେଉଁ ବିଭାଗ ରାସ୍ତା ନିର୍ମାଣ କରିଛି, ସେ ନେଇ ସୂଚନାଫଳକ ଲଗାଯାଇ ନାହିଁ।
Follow Us