ଅବହେଳିତ ଗାନ୍ଧୀନଗରର ଗାନ୍ଧୀମନ୍ଦିର, ପୁନରୁଦ୍ଧାର ପାଇଁ ଦାବି

Advertisment
ଅବହେଳିତ ଗାନ୍ଧୀନଗରର ଗାନ୍ଧୀମନ୍ଦିର, ପୁନରୁଦ୍ଧାର ପାଇଁ ଦାବି

ପାଳଲହଡ଼ା : ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରେ ଦେଶରେ ଆଜାଦୀକା ଅମୃତ ମହୋତ୍ସବ ପାଳିତ ହେଉଛି। ଦେଶପାଇଁ ସ୍ବାଧୀନତା ଆଣିଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମାତ୍ର ପାଳଲହଡା ଟାଉନରୁ ମାତ୍ର ୫ କି.ମି. ଦୂରରେ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମିତ ଗାନ୍ଧୀ ମନ୍ଦିର ବହୁ ଅବହେଳିତ ହୋଇପଡ଼ିଛି। ରାଜପଥରେ ପ୍ରଶାସନିକ ଅଧିକାରୀ, ରାଜନେତା ଯା’ଆସ କରୁଥିଲେ ବି ଗାନ୍ଧୀ ମନ୍ଦିରର ଉନ୍ନତି ପାଇଁ କେହି ଦୃଷ୍ଟି ଦେଉନାହାନ୍ତି।

ସୂଚନାଯୋଗ୍ୟ, ୧୯୬୪ ମସିହାରେ ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପବିତ୍ର ପ୍ରଧାନ ଏହିଠାରେ ଗାନ୍ଧୀ ମନ୍ଦିର ନିର୍ମାଣ ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ପୂର୍ବରୁ ଏହି ଗାଁର ନାମ ଥିଲା ପେଣ୍ତରାବସା। ଏହାକୁ ବଦଳାଇ ସେ ଗାନ୍ଧୀନଗର ନାମ ଦେଇଥିଲେ। ସମୟକ୍ରମେ ଗାନ୍ଧୀ ମନ୍ଦିରର ଅବସ୍ଥା ଶୋଚନୀୟ ହୋଇଗଲା। ଘର ଭାଙ୍ଗିଗଲା। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କୁଆଡ଼େ ଗଲା, ପତ୍ତା ମିଳିଲା ନାହ‌ିଁ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ରେ ବାରମ୍ବାର ଏହି ଖବର ପ୍ରକାଶ ପରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଢେଙ୍କାନାଳ ସାଂସଦ ମହେଶ ସାହୁ ବିଧାୟକ ପାଣ୍ଠିରୁ ୨୦୧୬ ଜାନୁଆରି ୩୦ ତାରିଖରେ ଏଠାରେ ନୂଆ ଗାନ୍ଧୀ ମନ୍ଦିର ନିର୍ମାଣ କରି ପ୍ରତିମୂର୍ତ୍ତି ସ୍ଥାପନ କଲେ। ଏବେ କିନ୍ତୁ ସେଠାରେ ଲେଖାହୋଇଥିବା ‘ଗାନ୍ଧୀନଗର’ ଲିଭି ଗଲାଣି। ମନ୍ଦିରକୁ ଥିବା ପାହାଚ ଭାଙ୍ଗିଗଲାଣି। ବର୍ଷ ବର୍ଷ ଧରି ମନ୍ଦିର‌ରେ ରଙ୍ଗ ଲାଗିନାହିଁ। ପାଖରେ ଥିବା ଭଙ୍ଗା ମନ୍ଦିରର ଖୁମ୍ବ ମୁକସାକ୍ଷୀ ଭଳି ଠିଆ ହୋଇଛି। ଗାନ୍ଧୀ ମନ୍ଦିରକୁ ଭଲ ରାସ୍ତା ତିଆରି ହୋଇପାରିନାହିଁ। ଗାନ୍ଧୀ ମନ୍ଦିର ସମ୍ମୁଖରେ ଏକ ବେସରକାରୀ ସଂସ୍ଥା ପାଇପ୍‌ ଲାଇନ୍‌ ବିଛାଉଥିବାବେଳେ ରାସ୍ତା ଖାଲଖମାରେ ପୂରିଯାଇଛି। ମନ୍ଦିର ଆଗରେ ଛିଡ଼ା ହୋଇଛି ମେସିନ। ଗାନ୍ଧୀ ମନ୍ଦିରର ଏଭଳି ଅବସ୍ଥା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ମନ୍ଦିରର ପୁନରୁଦ୍ଧାର କରାଯିବାକୁ ସଚେତନ ନାଗରିକମାନେ ସରକାରଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe