ପୁରୀ ଜେଲ ଭିତରେ ଗ୍ୟାଙ୍ଗ ୱାର୍‌: କୁଖ୍ୟାତ ପପୁ ବରାଳକୁ ହତ୍ୟା ଉଦ୍ୟମ, ସୁରକ୍ଷା ବଳୟ ମଧ୍ୟରେ କଟକ ସ୍ଥାନାନ୍ତର

Advertisment
ପୁରୀ ଜେଲ ଭିତରେ ଗ୍ୟାଙ୍ଗ ୱାର୍‌: କୁଖ୍ୟାତ ପପୁ ବରାଳକୁ ହତ୍ୟା ଉଦ୍ୟମ, ସୁରକ୍ଷା ବଳୟ ମଧ୍ୟରେ କଟକ ସ୍ଥାନାନ୍ତର

ପୁରୀ : ପୁରୀ ଜିଲ୍ଲା କାରାଗାରରେ ଗ୍ୟାଙ୍ଗ୍‌ ୱାର୍‌। ପତିଆରା ଜାହିର ପାଇଁ ସୋମବାର ଦିନ ଜିଲ୍ଲା କାରାଗାର ଭିତରେ ଦୁଇ ଅପରାଧୀ ଗ୍ୟାଙ୍ଗ୍‌ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ଗ୍ୟାଙ୍ଗ୍‌ର ନେତୃତ୍ବ ନେଉଥିବା କୁଖ୍ୟାତ ଅଭିଯୁକ୍ତ ପପୁ ବରାଳକୁ ହତ୍ୟା ଉଦ୍ୟମ ହୋଇଛି। ଅନ୍ୟ ଗ୍ୟାଙ୍ଗର ଜଣେ ଯୁବ ଅଭିଯୁକ୍ତ ପପୁ ବରାଳ ବେକରେ ଏକ ଷ୍ଟିଲ ଚାମଚ ଭୁସି ଦେଇଛି। ଗୁରୁତର ପପୁକୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଆକ୍ରମଣ କରିଥିବା ଅପରାଧୀ ମୃତ୍ୟୁଞ୍ଜୟ ଭାରିମଲ୍ଲ ନାମରେ ଜେଲ କର୍ତ୍ତୃପକ୍ଷ ରାମଚଣ୍ଡୀ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ପପୁର ପତ୍ନୀ ମଧ୍ୟ ରାମଚଣ୍ଡୀ ଥାନାରେ ଅନ୍ୟ ଏକ ଅଭିଯୋଗ କରିଛନ୍ତି।

ଟାଉନ ଥାନା ଧାନକୋଠିସାହିର ଦୁର୍ଦ୍ଦାନ୍ତ ପପୁ ଓରଫ ଧୀରେନ୍ଦ୍ରନାଥ ବରାଳ(୪୫) ନାମରେ ପୁରୀରେ ହତ୍ୟା, ହତ୍ୟା ଧମକ, ପ୍ରାଣାନ୍ତକ ଆକ୍ରମଣ, ହତ୍ୟା ଷଡ଼୍‌ଯନ୍ତ୍ର, ସଂଘବଦ୍ଧ ଆକ୍ରମଣ, ଡକାୟତି, ଛିନ୍‌ତାଇ ଓ ଦାଦାବଟି ଆଦାୟ ଭଳି ପ୍ରାୟ ୩୭ଟି ଅପରାଧିକ ମାମଲା ରହିଛି। ଗତ ୨୩ ତାରିଖରେ ଦାଦାବଟି ମାଗିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ୧୯୦/୨୨ ନମ୍ବର ମାମଲାରେ ପପୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ତାକୁ ଜେଲ୍‌ର ସଙ୍ଗରୋଧ ହଲ୍‌(୨୧ ନମ୍ବର ସେଲ୍‌)ରେ ରଖାଯାଇଥିଲା। ଏହି ସେଲ୍‌ରେ ପପୁ ସହିତ ୨୦ ଜଣ ଥିଲେ। ତେବେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସେ ଏହି ସେଲ୍‌ରେ ବସିଥିବା ବେଳେ କୌଣସି କାରଣକୁ ନେଇ କିଛି ଗୋଷ୍ଠୀଙ୍କ ସହ ତା’ର ବଚସା ହୋଇଥିଲା। ଏହି ସମୟରେ ଅପରପକ୍ଷର ବିଚାରଧୀନ କଏଦୀ କଣାସ ଥାନା ଦୋକନ୍ଦା ଗାଁର ମୃତ୍ୟୁଞ୍ଜୟ ଭାରିମଲ୍ଲ ଏକ ଧାରୁଆ ଚାମଚ ପପୁର ବାମପାର୍ଶ୍ବ ବେକରେ ଭୁସି ଦେଇଥିଲା। ଫଳରେ ପପୁ ରକ୍ତାକ୍ତ ଅବସ୍ଥାରେ ଦୌଡ଼ୁଥିବା ବେଳେ କାରାଗାର କର୍ତ୍ତୃପକ୍ଷ ତାକୁ ସୁରକ୍ଷା ଦେଇଥିଲେ। ମୃତ୍ୟୁଞ୍ଜୟ କବଳରୁ ପପୁକୁ ଉଦ୍ଧାର କରି କାରାଗାର କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପପୁର ବେକରେ ତିନୋଟି ଷ୍ଟିଚ୍‌ ପରେ ତାକୁ ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ପରେ ତାକୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କଟକ ବଡ଼ଡାକ୍ତରଖାନାରେ ପୁଲିସର ସୁରକ୍ଷା ବଳୟ ମଧ୍ୟରେ ତାକୁ ଚିକିତ୍ସା କରାଯାଉଛି। ଅନ୍ୟପଟେ ଆକ୍ରମଣକାରୀ ମୃତ୍ୟୁଞ୍ଜୟକୁ ଭିନ୍ନ ଏକ ସେଲ୍‌ରେ ରଖାଯାଇଥିବା ଜଣାପଡ଼ିଛି।

ତେବ‌େ ଦୁର୍ଦ୍ଦାନ୍ତ ଅପରାଧୀ ପପୁକୁ ଜେଲ୍‌ରେ ହତ୍ୟା ଉଦ୍ୟମ ହେବା ଘଟଣା ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। ଏହି ଷଡ଼୍‌ଯନ୍ତ୍ରରେ ପୁଲିସ ପ୍ରଶାସନ ଓ ଜେଲ୍‌ ପ୍ରଶାସନ ସହ ଅପରାଧୀ ଗୋଷ୍ଠୀର ସମ୍ପୃକ୍ତି ରହିଥିବା ତା’ର ପତ୍ନୀ ମଞ୍ଜୁ ବରାଳ ଅଭିଯୋଗ କରିଛନ୍ତି। ଜେଲ୍‌ରେ ପତିଆରା ସୃଷ୍ଟି କରିବା ପାଇଁ ହୁଏତ ପପୁ ଓ ମୃତ୍ୟୁଞ୍ଜୟ ମଧ୍ୟରେ ସାମାନ୍ୟ ବିବାଦ ହୋଇଥାଇପାରେ। ଏହି କାରଣରୁ ହୁଏତ ଆଜି ପପୁକୁ ଆକ୍ରମଣ କରାଯାଇଥିଲା ବୋଲି ରାମଚଣ୍ଡୀ ଥାନା ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ମୃତ୍ୟୁଞ୍ଜୟ ଜଟଣୀର କାଳିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା। ସେ ନିର୍ବାଚନ ପୂର୍ବରୁ ବଡ଼ାସ ସରପଞ୍ଚ ବାବୁଲି ପଲେଇକୁ ମଧ୍ୟ ଆକ୍ରମଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe