ଗ୍ୟାଙ୍ଗଷ୍ଟର ଟିଟୋର ରାଜନୈତିକ ଲିଙ୍କ୍‌ : ଅମରଙ୍କୁୁ ବିବାଦକୁ ଟାଣିଲା କଂଗ୍ରେସ

Advertisment
ଗ୍ୟାଙ୍ଗଷ୍ଟର ଟିଟୋର ରାଜନୈତିକ ଲିଙ୍କ୍‌ : ଅମରଙ୍କୁୁ ବିବାଦକୁ ଟାଣିଲା କଂଗ୍ରେସ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ମାମଲା ଆଜି ନୂଆ ମୋଡ଼ ନେଇଛି। ଘଟଣାରେ ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ନେଇ ପୁଲିସ ଖୋଳତାଡ଼ କରୁଥିବା ବେଳେ ଟିଟୋର ରାଜନୈତିକ ସମ୍ପର୍କ ନେଇ ବଡ଼ଚଣା ବ୍ଲକ କଂଗ୍ରେସ ଆଜି ଏକ ଚାଞ୍ଚଲ୍ୟକର ଅଭିଯୋଗ କରିଛନ୍ତି। ବଡ଼ଚଣା ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ କାର୍ଯ୍ୟାଳୟକୁ ଆସି ଡିିଆଇଜି ହିମାଂଶୁ ଲାଲଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଏସ୍‌ପିଙ୍କୁ ପ୍ରଦାନ କରିଥିଲେ। ଏଥିରେ ବଡ଼ଚଣା ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କୁ ଟିଟୋ ମାମଲା ଭିତରକୁ ଟଣାଯାଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି କି, ଗ୍ୟାଙ୍ଗଷ୍ଟର ଟିଟୋ ବଡ଼ଚଣା ଅଞ୍ଚଳରେ ଥିବା ଖଣି ଖାଦାନଠାରୁ ଆରମ୍ଭ କରି ମୋରମ, ବାଲିଘାଟ ଆଦି ଚୋରା ଚାଲାଣ କରିଛି। ବଡ଼ଚଣା ନିର୍ବାଚନମଣ୍ଡଳୀ ଅଧୀନସ୍ଥ ଅସିହା, ଆଲମଗିରି, ଅଛୁତବସନ୍ତ, ମଝିପଡ଼ା, ଚଣ୍ଡିଆ, ମାଣ୍ଡୁକା ପାହାଡ଼ ଓ ବାଲିକୁଦା ବାଲିଘାଟକୁ ବିନା ଲିଜ୍‌ରେ ଦୀର୍ଘ ଦିନ ଧରି ଖନନ କରାଯାଉଥିଲା। ଏହା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି କି ଟିଟୋର ସରକାରୀ କର୍ମଚାରୀଙ୍କ ସହିତ ମଧ୍ୟ ସମ୍ପର୍କ ରହିଛି। କିନ୍ତୁ ରାଜନୈତିକ ପୃଷ୍ଠପୋଷକତା ବିନା ଏଭଳି ଅନିୟମିତତା ସମ୍ଭବ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, ବଡ଼ଚଣା ବିଧାୟକ ଅମର ଶତପଥୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି ଦଳ। ଶ୍ରୀ ଶତପଥୀଙ୍କୁ ଏସ୍‌ଟିଏଫ୍‌ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରାଯାଇଛି।

ଏଥିରେ ବଡ଼ଚଣା ବ୍ଲକ କଂଗ୍ରେସ କମିଟି ସଭାପତି ଫକୀର ମୋହନ ବଳ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ଅଜୟ କୁମାର ସାମଲ, ସଚ୍ଚିକାନ୍ତ ପ୍ରଧାନ, ସୁରେଖା ମଲ୍ଲକି, ଯୁବ କଂଗ୍ରେସର ବିଶ୍ୱପ୍ରକାଶ ସାମଲ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe