କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୁଲିସ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଆଜି ୨ ଦିନ ରିମାଣ୍ଡରେ ନେଇଛି। ଜିଲ୍ଲାର ୪ଟି ଥାନାରେ ଥିବା ୪ଟି ହତ୍ୟା ମାମଲା ଓ ଗୋଟିଏ ଟେଣ୍ଡର ଫିକ୍ସିଂ ଘଟଣା ସଂପର୍କରେ ଜେରା କରିବାକୁ ଟିଟୋକୁ ରିମାଣ୍ଡରେ ନିଆଯାଇଛି। କେନ୍ଦ୍ରାପଡ଼ା ସହରରେ ଜଣେ ଯୁବ ଇଞ୍ଜିନିୟରଙ୍କୁ ହତ୍ୟା ମାମଲା(୧୩୯/୨୦୧୭)ରେ ଟିଟୋକୁ ସଂପୃକ୍ତ କରାଯାଇ କେନ୍ଦ୍ରାପଡ଼ା ଏସ୍ଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ହତ୍ୟା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତାକୁ ୨ଦିନ ପାଇଁ ରିମାଣ୍ଡରେ ନେବାକୁ ପୁଲିସ ପକ୍ଷରୁ ଆବେଦନ କରାଯାଇଥିଲା। ଏସଡିଜେଏମ୍ ପୁଲିସର ଏହି ଆବେଦନକୁ ମଞ୍ଜୁର କରିଥିଲେ। ସୂଚନା ଯୋଗ୍ୟ ଯେ, ୨୦୧୭ ଡିସେମ୍ବର୨୧ତାରିଖରେ କେନ୍ଦ୍ରାପଡା ଚକଡାଠାରେ ଜିପିଆଇଏଲ କମ୍ପାନୀର ସାଇଟ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ହତ୍ୟ କରାଯାଇଥିଲା। ଟିଟୋ ନିର୍ଦ୍ଦେର୍ଶରେ ସେହି କମ୍ପାନୀର ସିପିଆଇଓ ଦେବବ୍ରତ ନାୟକଙ୍କୁ କଟାଦୀପୁ ଓରଫ ଶିଳ୍ପତରୁ ସ୍ୱାଇଁ ୧୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । ସେ ବଟି ନ ଦେବାରୁ ଟିଟୋ ନିର୍ଦ୍ଦେଶରେ କଟାଦୀପୁ ଓ ତାହାର ସହଯୋଗୀମାନେ ଇଞ୍ଜିନିୟର ଦେବାଶିଷଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏ ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଦଫା ୩୮୭, ୩୦୨, ୧୨୦(ବି) ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଏହି ହତ୍ୟା ମାମଲାରେ ଟିଟୋର ସଂପୃକ୍ତି ନେଇ କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ଜେରା କରିବାକୁ ରିମାଣ୍ଡରେ ନିଆଯାଇଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ବିଭିନ୍ନ ପର୍ଯ୍ୟାୟରେ ୫ ଥର ଟିଟୋକୁ ରିମାଣ୍ଡରେ ନେଇ ତା’ର ଅପରାଧ ଓ ଆର୍ଥିକ କାର୍ଯ୍ୟକଳାପ ସଂପର୍କରେ ତଥ୍ୟ ସଂଗ୍ରହ କରିଛି। ଟିଟୋକୁ ଗଲା ୨ ତାରିଖରେ ଏସଟିଏଫ୍ କୋର୍ଟରେ ହାଜର କରିବା ପରେ ତାକୁ ବାରିମୂଳ ଜେଲ୍କୁ ପଠାଇ ଦିଆଯାଇଥିଲା। ଆଜି କେନ୍ଦ୍ରାପଡା ପୁଲିସ ଟିଟୋକୁ ରିମାଣ୍ଡରେ ନେଇଥିବା ବେଳେ ପରବର୍ତ୍ତୀ ସମୟରେ କଟକ ପୁଲିସ୍ ମଧ୍ୟ ତାକୁ ଜେରା ପାଇଁ ରିମାଣ୍ଡରେ ନେବ। କଟକରେ ଦାଦାବାଟି, ଟେଣ୍ଡର ଫିକ୍ସିଂ ମାମଲରେ ଟିଟୋକୁ ସଂପୃକ୍ତ କରାଯାଇଛି। କେନ୍ଦ୍ରାପଡାରେ ୪ଟି ପୁରୁଣା ହତ୍ୟା ମାମଲାରେ ଟିଟୋର ସଂପୃକ୍ତିକୁ ନେଇ ଖୋଳତାଡ଼ ଚାଲିଛି। ଟିଟୋକୁ ଜେରା ସମୟରେ ମିଳିବାକୁ ଥିବା ତଥ୍ୟରୁ ଏହି ସବୁ ଅପରାଧର ଅନେକ ନୂଆ ଦିଗ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି।
ଦୁଇ ଦିନ ରିମାଣ୍ଡରେ ଗଲା ଟିଟୋ : ଜଘନ୍ୟ ହତ୍ୟା ମାମଲାରେ ହେବ ଜେରା
Advertisment
Follow Us