ବାଲେଶ୍ୱରରେ ଗ୍ୟାଙ୍ଗଓ୍ଵାର : କୁନୁ ପଣ୍ଡାକୁ ହାଣି ହତ୍ୟା

Advertisment
ବାଲେଶ୍ୱରରେ ଗ୍ୟାଙ୍ଗଓ୍ଵାର : କୁନୁ ପଣ୍ଡାକୁ ହାଣି ହତ୍ୟା

ବାଲେଶ୍ୱର : ଆଜି ବାଲେଶ୍ୱର ସହରରେ ପୁଣି ରକ୍ତର ହୋଲି ଖେଳିଛନ୍ତି ଦୁର୍ବୃତ୍ତ। ଦୁର୍ଦାନ୍ତ ଅପରାଧୀ ତନ୍ମୟ ଓରଫ କୁନୁ ପଣ୍ଡା (୩୯)କୁ ଆଜି ଦିନ ଦି’ପହରେ ବିଚ୍‌ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। ଗୁରୁତର ଅବସ୍ଥାରେ କୁନୁକୁ ଉଦ୍ଧାର କରି ପୁଲିସ ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ତା’ର ମୃତ୍ୟୁ ଘଟିଛି। ପ୍ରତିଶୋଧ ପାଇଁ ଏ ହତ୍ୟାକାଣ୍ଡ ଘଟିଛି ଓ ଏହା ପଛରେ ଏକ ନିର୍ଦିଷ୍ଟ ଗ୍ୟାଙ୍ଗର ହାତ ଅଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଘଟଣାସ୍ଥଳରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ରକ୍ତଭିଜା ଖଣ୍ଡା ଜବତ କରିଛି। ମୃତ କୁନୁର ପତ୍ନୀ ପ୍ରଲ୍ଲବୀ ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ରୁଜୁ କରି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରିଛି। ହେଲେ ଅପରାଧୀମାନଙ୍କ ସନ୍ଧାନ ପାଇନାହିଁ।

ପୁଲିସ ସୂତ୍ର ଅନୁଯାୟୀ ମୃତ କୁନୁ ପାପା ପଣ୍ଡାର ଭାଇ। ସେ ଆଜି ମଧ୍ୟାହ୍ନ ସାଢ଼େ ଗୋଟାଏ ବେଳେ ତାମୁଳିଆପଟୁ ହିରୋ ଆଇସ୍ମାର୍ଟ ବାଇକ ଓଡି-୦୧-କେ-୫୦୭୮ରେ ସହର ଭିତରକୁ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା। ଓଟି ରୋଡ୍‌ରେ ୩ଟି ବାଇକରେ ୮/୯ ଜଣ ଦୁର୍ବୃତ୍ତ କୁନୁର ପିଛା କରିଥିଲେ। କଳା ପଲସରରେ ଆସୁଥିବା ଦୁଇ ଯୁବକ ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ କୁନୁକୁ ଲକ୍ଷ୍ୟକରି ଗୁଳି ଫୁଟାଇଥିଲେ। ହେଲେ ଗୁଳିଟି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ସତ୍‌ସଙ୍ଗ ମନ୍ଦିର ସାମ୍ନା ହମ୍ପ୍‌ସରେ କୁନୁର ଗାଡ଼ି ବେଗ କମିଯିବା ବେଳେ ସେମାନେ ତାକୁ କାବୁ କରିନେଇଥିଲେ। ବିଚ୍‌ ରାସ୍ତାରେ ପକାଇ ଖଣ୍ଡାରେ କୁନୁର ମୁଣ୍ଡ, ମୁହଁ, ହାତ ଓ ଗୋଡ଼କୁ ହାଣି ପଳାଇ ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କୁନୁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ମଧ୍ୟ କେହି ତା’ ପାଖକୁ ଯିବାକୁ ସାହସ କରିନଥିଲେ। ଟ୍ରାଫିକ୍‌ ଥାନା ଓଆଇସି ପ୍ରଶାନ୍ତ କୁମାର ରଣସିଂ ପହଞ୍ଚି ତାକୁ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର କୁନୁକୁ ମୃତ ଘୋଷଣା କରିଥିଲେ।

ପୁଲିସ ସୂଚନା ମୁତାବକ କୁନୁ ପୂର୍ବରୁ ବାଲେଶ୍ୱର ପୌରାଞ୍ଚଳ ୨୦ ନମ୍ବର ଓ୍ଵାର୍ଡର କାଉନସିଲର ଥିଲା। ୨୦୧୬ରେ ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ କୁନୁ ଗିରଫ ହୋଇ ଜେଲ୍‌କୁ ଯାଇଥିଲା। ୬ ମାସ ସେ ଜେଲ୍‌ରେ ରହି ନିକଟରେ ବାହାରିଥିଲା। ପୁଣି ସହଦେବଖୁଣ୍ଟା ଥାନାରେ ହୋଇଥିବା ଅନ୍ୟ ଏକ ମାମଲାରେ ଗିରଫ ହୋଇ ଗତ ୧୮ ତାରିଖ ଦିନ ଜେଲ୍‌ରୁ ବାହାରିଥିଲା। ଆଜିର ହତ୍ୟାକାଣ୍ଡ ଏକ ଗ୍ୟାଙ୍ଗଓ୍ଵାରର ପୂର୍ବାଭାଷ ବୋଲି ପୁଲିସ ଜାଣି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe