ନାଲ୍‌କୋ ସ୍ମେଲଟରରେ ପୋଡ଼ାହେଲା ଗଞ୍ଜେଇ

ନାଲ୍‌କୋ ସ୍ମେଲଟରରେ ପୋଡ଼ାହେଲା ଗଞ୍ଜେଇ

ଅନୁଗୁଳ : ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟରେ ଆଜି ୬ କୁଇଣ୍ଟାଲ ଗଞ୍ଜେଇ ଜାଳି ଦିଆଯାଇଛି। ୨୦୧୪ରେ ଛେଣ୍ଡିପଦା ଥାନା ପୁଲିସ ଏହି ଗଂଜେଇକୁ ଜବତ କରିଥିଲା। ଏହି ଗଂଜେଇକୁ ନଷ୍ଟ କରିବା ସମୟରେ ପ୍ରଦୂଷଣ ରୋକିବା ପାଇଁ ନାଲ୍‌କୋ ସ୍ମେଲଟର ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଏହାକୁ ଜାଳି ଦିଆଯାଇଥିବା ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ ଆଗରୁ ଚୋରା ଗଞ୍ଜେଇ କାରବାରର ହବ୍‌ ଭାବେ ପରିଚିତ ଥିଲା। ଏଠାରୁ ପ୍ରତିଦିନ ଗଞ୍ଜେଇ ଚାଲାଣ ହେବା ସହ ମାଫିଆମାନେ ବିଭିନ୍ନ ସ୍ଥାନରେ ‌ଗଞ୍ଜେଇ ମହଜୁଦ ରଖୁଥିଲେ। ତେଣୁ ଏମାନଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ ଜୋରଦାର ଧରପଗଡ଼ କରିଥିଲା। ‌୨୦୧୪ରେ ଏଠାରୁ ଚାଲାଣ ହେଉଥିବା ୫ କୁଇଣ୍ଟାଲ ୮୪ କେଜି ଗଞ୍ଜେଇ ଜବତ ହୋଇଥିଲା। ଏଥିନେଇ ଛେଣ୍ଡିପଦା ଥାନା ପୁଲିସ ୬୨/୧୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସେହିଦିନଠାରୁ ଏହି ଗଞ୍ଜେଇ ଛେଣ୍ଡିପଦା ଥାନାର ମାଲ୍‌ଖାନାରେ ରଖାଯାଇଥିଲା। ଗଞ୍ଜେଇକୁ ନ‌ଷ୍ଟ କରିବା ପାଇଁ କୋର୍ଟ ଅନୁମତି ଦେଇଥିଲାବେଳେ ଉପରୁ ନିର୍ଦ୍ଦେଶ ଆସିଥିଲା। ଆଜି ଏହାକୁ ସୁରକ୍ଷିତ ଭାବେ ଜାଳି ଦିଆଯାଇଛି। ଅନୁଗୁଳ ଏସ୍‌ପି ଜଗ‌ମୋହନ ମୀନା ଓ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ଉପସ୍ଥିତିରେ ଏହି ଗଞ୍ଜେଇକୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପଟ୍‌ଲାଇନ୍‌ର ଲାଡର୍‌ ସପ୍‌ ବିଭାଗରେ ଜାଳି ଦିଆଯାଇଛି। ବସ୍ତା ବସ୍ତା ଗଂଜେଇକୁ ନିଆଁ ଭିତରକୁ ଫିଙ୍ଗି ଦିଆଯାଇଥିଲାବେଳେ ମାତ୍ର କିଛି ମିନିଟ୍‌ ଭିତରେ ଏହା ପାଉଁଶ ହୋଇଯାଇଛି। ଏଠାରେ ଚିମିଣି ସହ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଏଥିରୁ ବିଶେଷ ଧୂଆଁ ବାହାରି ନ ଥିଲା।

ସୂଚନା ଅନୁସାରେ, ଏହି ଗଞ୍ଜେଇକୁ ବାହାରେ ଜାଳିଲେ ଧୂଆଁ ବାହାରିବା ସହ ପ୍ରଦୂଷଣର ଆଶଙ୍କା ରହିଥିଲା। ଏପରିକି ଏହା ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ତେଣୁ ସ୍ମେଲଟର ପ୍ଲାଣ୍ଟରେ ଏହାକୁ ପୋଡ଼ା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe