ମହୁଲିଆ ଛକରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ମହୁଲିଆ ଛକରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରେଇ : କୋରେଇ ଥାନା ଅନ୍ତର୍ଗତ ବରୁଣ୍ତାଇ ପଞ୍ଚାୟତ ମହୁଲିଆ ଛକରୁ ଗୁରୁବାର ଦିନ କୋରେଇ ପୁଲିସ୍‌ ୨୫ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କେନ୍ଦୁଖୁଣ୍ଟା ଗ୍ରାମର ଚନ୍ଦ୍ରହାସ୍ୟ ଭଞ୍ଜଙ୍କ ପୁଅ ମୁକେଶ କୁମାର (୨୬), ଅକ୍ଷୟ କୁମାର ଭଞ୍ଜଙ୍କ ପୁଅ ଜ୍ୟୋତିରଂଜନ (୩୧) ଓ କୋରେଇ ଥାନା ଅନ୍ତର୍ଗତ ଉତ୍ତରଖଜିରା ଗ୍ରାମର ଅର୍ଜୁନ ମିଶ୍ରଙ୍କ ପୁଅ ମାନସ (୩୮)।

ଅଭିଯୁକ୍ତମାନେ ଗଞ୍ଜେଇ ନେଇ ଯାଉଥିବା ସୂଚନା ମିଳିବା ପରେ ଯାଜପୁର ଏସ୍‌ପି ଭିନିତ ଅଗ୍ରୱାଲଙ୍କ ନିର୍ଦେଶରେ ଏକ ଟିମ୍ ଉତ୍ତରଖଜିରା ଛକରେ ଜଗି ରହିଥିଲେ। ଏହି ସମୟରେ ଆସୁଥିବା ଏକ ଧଳା ରଙ୍ଗର ସୁଇଫ୍ଟ ଡିଜାୟାର କାର୍‌ ନମ୍ବର ଓଡି-୦୪କେ-୩୨୮୫କୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାର୍‌ରେ ଯାଉଥିବା ୩ ଜଣ ଅଭିଯୁକ୍ତଙ୍କୁ ଅଟକାଇ ପଚରାଉଚରା ପରେ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ମିଳିଥିଲା। ଏହି କାର୍‌ରୁ ୨୫ କିଲୋ ଗଞ୍ଜେଇ ଜବତ ହୋଇଥିଲା। କୋରେଇ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କାର୍‌ ଓ ୩ଟି ମୋବାଇଲ୍ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧.୨୫ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ୍‌ ସୂଚନା ଦେଇଛି। ଥାନା କେସ୍‌ ନମ୍ବର ୭୧/୨୩ ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe