୭ କୋଟି ଟଙ୍କାର ଗଞ୍ଜେଇ ଜବତ

୩୭ କୁଇଣ୍ଟାଲ ଜବତ, ପୁଲିସ କବ୍‌ଜାରେ ୨ ମାଫିଆ

୭ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା / ଅଡ଼ବା / ଖଜୁରୀପଡ଼ା : ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଗଜପତି ଓ କନ୍ଧମାଳ ଜିଲ୍ଲା। ବିଭିନ୍ନ ଉପାୟରେ ମାଫିଆମାନେ ସ୍ଥାନୀୟ ଯୁବକ ଏବଂ ବ୍ୟବସାୟୀଙ୍କୁ ମୋହରା ବନାଇ ସହଜରେ ଗଞ୍ଜେଇକୁ ଜିଲ୍ଲା ଓ ରାଜ୍ୟ ପାର୍ କରାଉଛନ୍ତି। ବିଗତ ଦିନରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଆଜି ମାଛଖାଦ୍ୟ ବୋଝେଇ ଟ୍ରକ୍‌ରେ ଅଭିନବ ଉପାୟ‌ରେ ମାଫିଆମାନେ ସମ୍ବଲପୁରରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ପୁଲିସ ଏହାକୁ କାବୁ କରିବାରେ ସଫଳ ହୋଇଛି। ଏଥିରେ ସଂପୃକ୍ତ ଟ୍ରକ୍‌ ଚାଳକ ଓ ହେଲପର୍‌କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ, ମହାରାଷ୍ଟ୍ର ସାଲେପୁର ଅଞ୍ଚଳର ଶୁଭମ ସଞ୍ଜୟ ଶମ୍ବାଲେ (୨୭) ଓ ଗୁଞ୍ଜନ ମହାଦେବ ଅଡ଼ୁସଲ (୨୭)। ଉକ୍ତ ଟ୍ରକ୍‌ରୁ ୫୪ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି।

ମୋହନା ଥାନା କମଳାପୁର ନାକାଗେଟ୍‌ରେ ପୁଲିସ ଯାଞ୍ଚ ବେ‌ଳେ ମାଛଖାଦ୍ୟ ବୋଝେଇ ଟ୍ରକ୍‌ଟିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ଟ୍ରକ୍‌ଟି ସମ୍ବଲପୁରରୁ ଆସିଥିବା ବେଳେ ଗଜପତି ଦେଇ ମହାରାଷ୍ଟ୍ର ଯାଇଥାନ୍ତା। ତେବେ ଯାଞ୍ଚ ବେଳେ ଚାଳକ ଶୁଭମ୍‌ର କଥାବାର୍ତ୍ତାରେ ସନ୍ଦେହ ହେବାରୁ ପୁଲିସ ସମସ୍ତ ସାମଗ୍ରୀକୁ ପଛ ଡାଲାରୁ ଅନଲୋଡ୍ କରିଥିଲା। ସେଥିରୁ ୫୪ ବସ୍ତା ଗଞ୍ଜେଇ ମିଳିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କେସ୍ ନମ୍ବର ୧୦୬/୨୩ରେ ଏକ ମାମଲା ରୁଜୁ ହୋଇଛି। ଅଧିକ ତଦନ୍ତ ଜାରି ରହିଥିବା ‌ଥାନାଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି।

ସେହିପରି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବାଛିପଙ୍କା-ହାଡ଼ୁପଦର ରାସ୍ତାରେ ଥିବା କାଜୁ ଜଙ୍ଗଲରୁ ପୁଲିସ ୩୭କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ ୧୧୦ଟି ବ୍ୟାଗ୍‌ରେ ଗଞ୍ଜେଇ ରଖାଯାଇଥିଲା। ସୂଚନା ପାଇବା ପରେ ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ଏସ୍‌ଆଇ ଲକ୍ଷ୍ମଣ ବେଶ୍ରା ଓ ଏସ୍‌ଏସ୍ ବାଟାଲିୟନ ଯବାନମାନେ ଚଢ଼ଉ କରିଥି‌ଲେ। ଏ‌େତ‌ ପରିମାଣର ଗଞ୍ଜେଇ ଦେଖି ପୁଲିସ ଆଖି ଖୋସି ହୋଇଯାଇଥିଲା। ତେବେ ଏଥିରେ କେହି ଗିରଫ ହୋଇ ନଥିବା ବେଳେ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଥାନାର ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଗଞ୍ଜେଇ ଜବତ ହୋଇଥିବା ବେଳେ ମାଫିଆମାନେ ସେମାନଙ୍କ ନେଟ୍‌ୱର୍କକୁ ସକ୍ରିୟ କରିଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି।

ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧୀନ ଦୂତିମେଣ୍ଡି ପଞ୍ଚାୟତ ବୈଇକୁମ୍ପା ଗ୍ରାମ ରାସ୍ତାକଡ଼ରୁ ପୁଲିସ ଏକ ଗଞ୍ଜେଇ ବୋଝେଇ କାର୍ ଜବତ କରିଛି। ଗତକାଲି ରାତିରେ କାର୍‌ଟି ରାସ୍ତାକଡ଼ରେ ବହୁ ସମୟ ଧରି ଛିଡ଼ା ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ମରାମତି ନହେବାରୁ ମାଫିଆମାନେ କାର୍‌କୁ ଛାଡ଼ି ପଳାଇଥିଲେ। ଯାଞ୍ଚ ବେଳେ ସେଥିରୁ ୨୪ କିଲୋ ଗଞ୍ଜେଇ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe