ପୁଲିସ୍‌ ଗାଡ଼ିରେ ଗଞ୍ଜେଇ ଚାଲାଣ; କନେଷ୍ଟବଳ ଗିରଫ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ସମ୍ବଲପୁର : ଜିଆର୍‌ପି ପୁଲିସ୍‌ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛି। ଖାକିରେ କଳଙ୍କର ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ। ରେଙ୍ଗାଲି ପୁଲିସ୍‌ ଝାରସୁଗୁଡ଼ା ଜିଆର୍‌ପି କନେଷ୍ଟବଳ ଭାବେ କାର୍ଯ୍ୟରତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ବିଶିପାଲି ତୂରାମୁରାର ପୂର୍ଣ୍ଣଚନ୍ଦ୍ର ପାତ୍ର(୪୦)କୁ ଗିରଫ କରିଛି। ଅଭିଯୁକ୍ତ ନିକଟରୁ ୨୧ କେଜି ଗଞ୍ଜେଇ ଓ ଏହି ଘଟଣାରେ ବ୍ୟବହୃତ ଝାରସୁଗୁଡ଼ା ଜିଆର୍‌ପି ଡିଏସ୍‌ପି ରମାକାନ୍ତ ସାହୁଙ୍କ ସରକାରୀ ଗାଡ଼ି(ଓଡି ୦୫ ଏପି ୨୭୪୪) ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏନେଇ ରେଙ୍ଗାଲି ପୁଲିସ୍‌ ଏନ୍‌ଡିପିଏସ୍‌ ଆଇନ୍‌ ଧାରା ୨୦(ଖ)(୩)(ଗ) ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ସମୟରେ ମାମଲାର ତଦନ୍ତ ଜାରି ରଖିଛି। ସେପଟେ, ଏହି ଘଟଣାରେ ଜିଆର୍‌ପି ଡିଏସ୍‌ପି ଶ୍ରୀ ସାହୁଙ୍କ ସମ୍ପୃକ୍ତି ରହିଛି ନା ନାହିଁ ସେନେଇ ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ବୌଦ୍ଧରୁ ଝାରସୁଗୁଡ଼ାକୁ ଏକ ଧଳା ରଙ୍ଗର ବଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇ ରେଙ୍ଗାଲି ଥାନାଧିକାରୀ ଧବଳେଶ୍ବର ସାହୁ ଓ ତାଙ୍କ ଟିମ୍‌ କଲେଜ ଛକରେ ଛକି ରହିଥିଲେ। ସାଢ଼େ ୭ଟା ସମୟରେ ନାଲିବତି ଲଗା ଏକ ଧଳା ରଙ୍ଗର ବଲେରୋ ଉକ୍ତ ଛକ ପାର୍‌ କରିଥିଲା। ପୁଲିସ୍‌ ସନ୍ଦେହରେ ଗାଡ଼ିଟିକୁ ପିଛା କରିବାରୁ ଗାଡ଼ିଟି ଦ୍ରୁତ ବେଗରେ ଖସିବାକୁ ଉଦ୍ୟମ କରିଥିଲା। ତେବେ ପ୍ରାୟ ଦେଢ଼ କିମି ଗୋଡ଼ାଗୋଡ଼ି ପରେ ରେଙ୍ଗାଲି ଥାନା ରାମପଡ଼ା ଛକରେ ଉକ୍ତ ଗାଡ଼ିକୁ ରେଙ୍ଗାଲି ପୁଲିସ୍‌ ଅଟକାଇଥିଲା। ଯାଞ୍ଚ ପରେ ଗାଡ଼ି ପଛ ସିଟ୍‌ରେ ଏକ ବସ୍ତାରେ ଭର୍ତ୍ତି ୨୧ କିଲୋଗ୍ରାମ୍‌ ଓଜନର ଗଞ୍ଜେଇ ମିଳିଥିଲା। ତେବେ ପଚରାଉଚରା ପରେ ଏହି ଗାଡ଼ିଟି ଝାରସୁଗୁଡ଼ା ଜିଆର୍‌ପି ଡିଏସ୍‌ପି ରମାକାନ୍ତ ସାହୁଙ୍କର ଓ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତି ଜଣଙ୍କ ଜିଆର୍‌ପି କନେଷ୍ଟବଳ ବୋଲି ଜଣାପଡ଼ିଥିଲା। ଡିଏସ୍‌ପି ଶ୍ରୀ ସାହୁଙ୍କୁ ଘରେ ଛାଡ଼ିବା ପରେ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ଗାଡ଼ିରେ ତେଲ ଭର୍ତ୍ତି କରିବାକୁ ଯାଉଛି କହି ଗଞ୍ଜେଇ ନେବାକୁ ଆସିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହି ଗଞ୍ଜେଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରାଞ୍ଚିକୁ ଚାଲାଣ ହେବାପାଇଁ ଝାରସୁଗୁଡ଼ା ଯାଉଥିଲା। ପୁଲିସ୍‌ ଗାଡ଼ିରେ ଗଞ୍ଜେଇ ଅଣାଯିବା ପରେ ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରୁ ଜିଆର୍‌ପି ପୁଲିସ୍‌ ଉକ୍ତ ଗଞ୍ଜେଇକୁ ଟ୍ରେନ୍‌ରେ ପଡ଼ୋଶୀ ରାଜ୍ୟକୁ ଚାଲାଣ କରୁଥିବା ଜଣାପଡ଼ିଛି। ୩ ବର୍ଷ ପୂର୍ବେ ସମ୍ବଲପୁର ରେଳ ଷ୍ଟେସନରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ଏହି ଘଟଣାରେ ମଧ୍ୟ ସେତେବେଳେ ଜିଆର୍‌ପି ପୁଲିସ୍‌ର ୩ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe