.sakaltimes.com
ଘଣ୍ଟାପଡ଼ା : କଣ୍ଟାମାଳ ଅବକାରୀ ବିଭାଗ ଗୁରୁବାର ୧୦ କେଜି ଗଞ୍ଜେଇ ସହ ଏକ ନୂଆ ବାଇକ ଜବତ କରିଛି। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ବ୍ଲକ ସଦେଇପାଲି ଗ୍ରାମର ସୁନୀଲ ସାଏ(୩୩) ଓ ବଲାଙ୍ଗୀର ସହର ଏବିଏସ୍ଏସ୍ ରୋଡ୍ର ଯୁଧିଷ୍ଠିର ବରାଇ(୩୫)।
ବିଭାଗୀୟ ସୂଚନା ଅନୁସାରେ କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆଙ୍କ ନେତୃତ୍ବରେ ଗୁରୁବାର ଭୋର୍ରେ କଣ୍ଟାମାଳ-କନ୍ଧମାଳ ସୀମାନ୍ତ ମାତାକୁପା ଘାଟିରେ ପାଟ୍ରୋଲିଂ ଚାଲିଥିଲା। ଘାଟି ବୁଲାଣିରେ କନ୍ଧମାଳ ପଟରୁ ଆସୁଥିବା ଏକ ବାଇକ୍ (ଓଡି ୦୩ ଏସ୍ ୪୫୪୪) ବାଇକକୁ ଅଟକାଇଥିଲେ। ବାଇକ୍ରେ ଦୁଇ ଜଣ ଯୁବକ ସବାର ହୋଇଥିବା ବେଳେ ମଝିରେ ଏକ କପଡ଼ା ମୋଟରା ରହିଥିଲା। ମୋଟରାକୁ ଖୋଲି ଯାଞ୍ଚ କରିବାରେ ୧୦ କେଜି ଗଞ୍ଜେଇ ମିଳିଥିଲା। ଫଳରେ ଉଭୟ ସୁନୀଲ ଓ ଯୁଧିଷ୍ଠିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରେ ବୌଦ୍ଧ ସ୍ବତନ୍ତ୍ର ଉପକାରାଗାରକୁ ପଠାଯାଇଛି। ଚଢ଼ଉରେ ଏଏସ୍ଆଇ କିଶୋର ଚନ୍ଦ୍ର ନାଏକ, କନେଷ୍ଟବଳ ସତ୍ୟାନନ୍ଦ ମୁଖି, ପ୍ରଫୁଲ୍ଲ ଭୁକ୍ତା, ରେଣୁପ୍ରିୟା ଭୋଇ ଓ ନବୀନ ଡାଙ୍ଗ ସାମିଲ ଥିଲେ।
Follow Us