କବିସୂର୍ଯ୍ୟନଗର : ପୁଅର ପଜିଟିଭ୍ ଶୁଣି ହୃଦ୍‌ଘାତରେ ବାପା ମୃତ

ପୁଲିସ ମାଡ଼ରେ ଯୁବକ ମୃତ

Catch News

ଆତ୍ମୀୟ କି ପଡ଼ୋଶୀ କେହି କାନ୍ଧ ଦେଲେନି
ପ୍ରଶାସନ ଦେଲା ପିପିଇ କିଟ୍‌, ଚାରି ସ୍ବେଚ୍ଛାସେବୀ ସଂସ୍କାର କଲେ

କବିସୂର୍ଯ୍ୟନଗର : ଏକମାତ୍ର ପୁଅର ଆଜି କରୋନା ପଜିଟିଭ୍ ରିପୋର୍ଟ ଆସିଲା। ଏହା ଶୁଣି କିଛି କ୍ଷଣ ପରେ ହୃଦ୍‌ଘାତରେ ଆଖି ବୁଜିଲେ ବାପା। ହେଲେ କରୋନା ସନ୍ଦେହରେ ବୃଦ୍ଧ ବାପାଙ୍କୁ କାନ୍ଧ ଦେବାକୁ ଆତ୍ମୀୟସ୍ବଜନ ଓ ପଡ଼ୋଶୀ କେହି ଆସିଲେନି। ଖାଲି ଏତିକି ନୁହେଁ, ଦିନେ ‌ଯେଉଁ ଜାତି ଭାଇମାନେ ସୁଖବେଳେ ପାଖରେ ଛିଡ଼ା ହେଉଥିଲେ, ସମବେଦନା ଜଣାଇବାକୁ ଜଣେ ମଧ୍ୟ ଆସିଲେନି। ଶବ ଦୁଇ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିଲା। ଶେଷରେ ପ୍ରଶାସନ କାନକୁ କଥା ଗଲା। ୪ଜଣ ସ୍ବେଚ୍ଛାସେବୀଙ୍କୁ ପିପିଇ କିଟ୍ ଦେଇ ପଠାଇଲେ ବିଡିଓ। ଚାରି ଯୁବ ସ୍ବେଚ୍ଛାସେବୀ ପିପିଇ କିଟ୍‌ ପିନ୍ଧି ଶବକୁ କାନ୍ଧ ଦେବା ସହ ଦନଇ ସଂସ୍କାର କଲେ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରୁ ଆଜି ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ନୂଆସାହିର ସୋମନାଥ ପାତ୍ର ନାମକ ଜଣେ ଯୁବକଙ୍କ ଅସୁସ୍ଥତାରୁ ମୃତ୍ୟୁ ହେବା ପରେ ତାଙ୍କ ଶବକୁ ଗ୍ରାମବାସୀ ଶ୍ମଶାନରେ ସଂସ୍କାର ପାଇଁ ଅନୁମତି ଦେଇ ନଥିଲେ। ପ୍ରଶାସନର ହସ୍ତକ୍ଷେପ କ୍ରମେ ଶବକୁ ଜେସିବି ଦ୍ବାରା ଗାତ ଖୋଳାଯାଇ ପୋତାଯାଇଥିଲା। ଆଜି ପୁଣି ଶବକୁ ଅସମ୍ମାନ ଭଳି ଏକ ସ‌ମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗର ଏନ୍‌ଏସି ମୁଖ୍ୟରାସ୍ତାର ଜଣେ ଯୁବ ବ୍ୟବସାୟୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସଂଗେ ସଂଗେ ଆମ୍ବୁଲାନ୍ସ୍ ଯୋଗେ କୋଭିଡ୍ ଡାକ୍ତରଖାନାକୁ ନିଆ ଯାଇଥିଲା। ଏଥିରେ ତାଙ୍କ ବାପା (୭୩) ହଠାତ୍ ଭାଙ୍ଗି ପଡ଼ିଥିଲେ। ପୁଅ ଚିନ୍ତାରେ ଅପରାହ୍‌ଣରେ ହଠାତ୍ ହୃଦ୍‌ଘାତରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସେପଟେ ଆଶଙ୍କା ଓ ସନ୍ଦେହ ଭିତରେ ରହିଥିବା ସାହି ବାସିନ୍ଦା ଓ ଜାତିଭାଇ ସମସ୍ତେ ଶୁଣି ସୁଦ୍ଧା କେହି ବି ତାଙ୍କ ପିଣ୍ଡା ମାଡ଼ି ନଥିଲେ। ପତ୍ନୀ ଓ ନାତିନାତୁଣୀଙ୍କ କାନ୍ଦ ବୋବାଳିରେ ଘର ଫାଟି ପଡ଼ୁଥିଲା। ଏ ଖବର ଏନ୍‌ଏସି ଓ ବ୍ଲକ୍ ପ୍ରଶାସନ ପାଖରେ ପହଞ୍ଚିଥିଲା। ପ୍ରଶାସନ ପକ୍ଷରୁ ଶବଦାହ ପାଇଁ ତ୍ବରିତ ପଦକ୍ଷେପ ନିଆ ଯାଇଥିଲା। ବିଡିଓ ବାସୁଦେବ ନାୟକ ସ‌ଂଗେ ସଂଗେ ଘର ପାଖରେ ପହଞ୍ଚିଥିଲେ। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା ପରେ ୪ଜଣ ଯୁବ ସ୍ବେଚ୍ଛାସେବୀ ଆଗେଇ ଆସିଥିଲେ। ସେମାନଙ୍କୁ ବ୍ଲକ୍ ପ୍ରଶାସନ ପକ୍ଷରୁ ପିପିଇ କିଟ୍ ପ୍ରଦାନ କରା ଯାଇଥିଲା। ସମସ୍ତେ ଶବକୁ ନେଇ ପଠାଣବସ୍ତି ଶ୍ମଶାନରେ ଅନ୍ତିମ ସଂସ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe