୧୭୭ ବର୍ଷରେ ଗଞ୍ଜାମ ଓକିଲ ସଂଘ

ବ୍ରିଟିସ୍‌ ଅମଳରେ ଗୋପାଳପୁରରେ ଥିଲା ମାଡ୍ରାସ୍‌ ହାଇକୋର୍ଟ ବେଞ୍ଚ

୧୭୭ ବର୍ଷରେ ଗଞ୍ଜାମ ଓକିଲ ସଂଘ

ହାଇକୋର୍ଟର ସର୍କିଟ ବେଞ୍ଚ ପାଇଁ ୧୪ ବର୍ଷ ଧରି ଚାଲିଛି ଆନ୍ଦୋଳନ

ବ୍ରହ୍ମପୁର : ଓଡ଼ିଶାର ପୁରାତନ ଅନୁଷ୍ଠାନ ମଧ୍ୟରେ ରହିଛି ବ୍ରହ୍ମପୁରସ୍ଥିତ ‘ଗଞ୍ଜାମ ଓକିଲ ସଂଘ’। ବ୍ରିଟିଶ ଶାସନ ଅମଳରୁ ଆରମ୍ଭ ହୋଇଥିବା ଏହି ସଂଘ ୧୭୭ ବର୍ଷରେ ପଦାର୍ପଣ କରିଛି। ମାଡ୍ରାସ୍‌ ପ୍ରଦେଶ ଅଧୀନରେ ଥିବାବେଳେ ଗୋପାଳପୁର ଠାରେ ମାଡ୍ରାସ୍ ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଦୀର୍ଘ ବର୍ଷ ପରେ ମଧ୍ୟ ଏଠାରେ ଓଡ଼ିଶା ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ହୋଇପାରିନି। ୧୪ ବର୍ଷ ଧରି ଏଥିପାଇଁ ଚାଲିଛି ଆନ୍ଦୋଳନ। ଆନ୍ଦୋଳନର ମଙ୍ଗ ଧରିଛି ଗଞ୍ଜାମ ଓକିଲ ସଂଘ।

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରହିଥିବା ସମସ୍ତ ସର୍ତ୍ତ ପୂରଣ କରୁଥିଲେ ହେଁ ସରକାର ଏ ଦିଗରେ ନିଷ୍ପତ୍ତି ନେଉନାହାନ୍ତି। ଆସନ୍ତାକାଲି ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍. ମୁରଲୀଧର ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ କୋର୍ଟ ପରିଦର୍ଶନ ସହିତ ଓକିଲ ସଂଘ ସହ ଆଲୋଚନା କରିବେ। ଏହି ପ୍ରସଙ୍ଗକୁ ନେଇ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା ପାଇଁ ସେ ଭଳି ବିଧିବଦ୍ଧ କାର୍ଯ୍ୟସୂଚୀ ନାହିଁ। ତଥାପି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟ ବିଚାରପତି କିଛି ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି।

ବ୍ରିଟିଶ ଶାସନ ଅମଳରେ ୧୮୪୪ରେ ବ୍ରହ୍ମପୁରରେ ପ୍ରତିଷ୍ଠା ହୋଇଥିଲା କୋର୍ଟ। ଓଡ଼ିଶା ମାଡ୍ରାସ୍‌ ପ୍ରଦେଶ ଅଧୀନରେ ଥିବା ସମୟରେ ଗୋପାଳପୁର ଠାରେ ମାଡ୍ରାସ୍‌ ହାଇକୋର୍ଟର ଏକ ସର୍କିଟ ବେଞ୍ଚ ବସି ମାମଲା ଫଇସଲା କରାଯାଉଥିଲା। ୧୯୮୯ରେ ପ୍ରଥମେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଲୋକଲୋଚନକୁ ଆସିଥିଲା। ୧୯୯୦ରେ ରାଜ୍ୟ ସରକାର ବେଞ୍ଚ ପ୍ରତିଷ୍ଠା ନେଇ ମାନ୍ୟବର ହାଇକୋର୍ଟଙ୍କ ମତାମତ ଲୋଡ଼ିଥିଲେ। ତତ୍କାଳୀନ ହାଇକୋର୍ଟ ରେଜିଷ୍ଟ୍ରାର‌୍‌ ଜଷ୍ଟିସ୍‌ ଯଶୋବନ୍ତ ସିହ୍ନା କମିସନ୍‌ଙ୍କ ସୁପାରିସ୍‌ ଅନୁସାରେ ପ୍ରସ୍ତାବିତ ସ୍ଥାନର ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ରିପୋର୍ଟ ଦେବାକୁ ପରାମର୍ଶ କରିଥିଲେ। ସେପଟେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ୧୯୯୯ ଜୁଲାଇ ଠାରୁ ପର୍ଯ୍ୟାୟ କ୍ରମେ ଓଡ଼ିଶାର କେଉଁ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ ସେ ନେଇ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି କେନ୍ଦ୍ରକୁ ଅବଗତ କରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ।

ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଓ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଥିଲା। ମୁଖ୍ୟମନ୍ତ୍ରୀ ୨୦୦୭ରେ ଓଡ଼ିଶାର ବ୍ରହ୍ମପୁର ଓ ସମ୍ବଲପୁରରେ ବେଞ୍ଚ ପ୍ରତିଷ୍ଠା ପାଇଁ ସୁପାରିସ୍‌ କରିଥିଲେ। କିନ୍ତୁ ଏହା କାର୍ଯ୍ୟକାରୀ ହୋଇ ନଥିଲା। ଏହାକୁ ନେଇ ବ୍ରହ୍ମପୁର ଓ ସମ୍ବଲପୁରରେ ଜୋର‌୍‌ଦାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବି ଆନ୍ଦୋଳନ ଜାରି ରହିଛି। ଗଞ୍ଜାମ ଓକିଲ ସଂଘ ତରଫରୁ ପ୍ରତି ମାସର ଶେଷ ୪ଦିନ ସତ୍ୟାଗ୍ରହ କରି କୋର୍ଟ କାର୍ଯ୍ୟ ବନ୍ଦ ରଖାଯାଉଛି।

ସରକାର ବେଞ୍ଚ ପ୍ରତିଷ୍ଠା ପାଇଁ ପାଲ୍‌ କମିସନ୍‌ ବସାଇଥିଲେ। କମିସନ୍‌ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରି ୨୦୧୪ରେ ତାଙ୍କର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। କିନ୍ତୁ ସରକାର ଏହି ରିପୋର୍ଟକୁ ଖୁଲାସା କରୁ ନାହାନ୍ତି। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ବସନ୍ତ ପଣ୍ଡା କହନ୍ତି, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ଉପଯୁକ୍ତ ସ୍ଥାନ। ଓକିଲ ସଂଘ ସମ୍ପାଦକ ପ୍ରଦୀପ ବେହେରା କହିଛନ୍ତି, ଆନୁଷଙ୍ଗିକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଯୋଗ୍ୟତା ହାସଲ କରିଛି। ଏ ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଆଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe