ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜ୍ୟର ସବୁଠାରୁ ବଡ଼ କୃଷିପ୍ରଧାନ ଜିଲ୍ଲାମାନଙ୍କ ମଧ୍ୟରୁ ଅନ୍ୟତମ। ଏଠାରୁ ପ୍ରତିବର୍ଷ ଲକ୍ଷାଧିକ ଚାଷୀଙ୍କ ଠାରୁ ବିପୁଳ ପରିମାଣରେ ଧାନ କ୍ରୟ କରାଯାଇଥାଏ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ବ୍ଲକ ପ୍ରଶାସନମାନଙ୍କ ପକ୍ଷରୁ ମଣ୍ଡିଗୁଡିକର ସୁପରିଚାଳନା, ସୁବିଧାରେ ପଞ୍ଜୀକରଣ, ତାସହ ତ୍ୱରିତ ଓ ସମୟୋଚିତ ଭାବେ ଚାଷୀମାନଙ୍କ ଖାତାକୁ ଆର୍ଥିକ ପ୍ରାବଧାନ ପହଞ୍ଚାଇବାକୁ ବିଭିନ୍ନ ସମୟଉପଯୋଗୀ ବ୍ୟବସ୍ଥା କରାଯାଇଛି। ଫଳ ସ୍ୱରୂପ, ଗଞ୍ଜାମ ଜିଲ୍ଲା ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
/filters:format(webp)/sambad/media/media_files/2026/02/16/whatsapp-imag-2026-02-16-19-58-46.jpeg)
ଜ଼ିଲ୍ଲାରେ ମୋଟ ୫୪,୪୬,୨୦୧ କ୍ୱିଣ୍ଟାଲ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ୪୭,୯୮,୫୮୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇ ପ୍ରାୟ ୮୮ ପ୍ରତିଶତ ଲକ୍ଷ୍ୟ ଆଜି ତାରିଖ ସୁଦ୍ଧା ହାସଲ କରାଯାଇପାରିଛି। ଏହାଠାରୁ ଅଧିକ ସ୍ୱାଗତଯୋଗ୍ୟ କଥା ଏହିକି ଯେ, ୧,୨୧,୮୧୬ ଜଣ ଚାଷୀଭାଇଭଉଣୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଡିବିଟି ମାଧ୍ୟମରେ ୧୦୫୫ କୋଟିରୁ ଅଧିକ ଟଙ୍କା ପହଂଚିସାରିଛି । ବିଗତ ବର୍ଷ ଗୁଡିକ ତୁଳନାରେ ଅଧିକ କ୍ଷିପ୍ର ଗତିରେ ଏ ବର୍ଷ ଧାନ କ୍ରୟ ପ୍ରକ୍ରିୟା ଆଗେଇ ଚାଲିଛି। ତେଣୁ, ଚାଷୀଭାଇଭଉଣୀମାନଙ୍କ ମଧ୍ୟରେ ମୋଟାମୋଟି ଭାବରେ ଆନନ୍ଦ ପରିଲିକ୍ଷିତ ହେଉଛି। ଏହି ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଆର୍ଥିକ ପ୍ରାବଧାନ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା ସହିତ ଅନ୍ନଦାତା ଚାଷୀଭାଇଭଉଣୀମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିପାରିଛି। ସୁଚିନ୍ତିତ ପରିକଳ୍ପନା, ନିରନ୍ତର ନିରୀକ୍ଷଣ, ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସମନ୍ୱୟମୂଳକ ପଦକ୍ଷେପ ଫଳରେ ଏହି ଆଖିଦୃଶିଆ ସଫଳତା ମିଳିପାରିଛି।
ଆହୁରି ପଢ଼ନ୍ତୁ: Suryakumar Yadav: ପାକିସ୍ତାନ ବିପକ୍ଷରେ ‘ସ୍କାଏ’ଙ୍କ ନୀରବ ମାଷ୍ଟରଷ୍ଟ୍ରୋକ୍
ଅନ୍ନଦାତା ଚାଷୀଭାଇଭଉଣୀମାନଙ୍କର ଯେ କୌଣସି ସମସ୍ୟାକୁ ଜିଲ୍ଲା ପ୍ରଶାସନ ସବୁବେଳେ ଗୁରୁତ୍ୱର ସହିତ ଗ୍ରହଣ କରିଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ କ୍ରୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଏକ ବିଶାଳ ଜିଲ୍ଲା ହୋଇଥିବା ସତ୍ତ୍ୱେ, ନିୟମିତ ସମୀକ୍ଷା ବୈଠକ, ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ମଣ୍ଡି ପର୍ଯ୍ୟବେକ୍ଷଣ ଏବଂ ପ୍ୟାକ୍ସ ଓ ସମ୍ବନ୍ଧିତ ସଂସ୍ଥାମାନଙ୍କ ସହ ସମନ୍ୱୟ ମାଧ୍ୟମରେ ବିଭିନ୍ନ ବାଧାବିଘ୍ନକୁ ଦୂର କରାଯାଇଆସିଛି ଯାହା ଫଳରେ ୮୮ ପ୍ରତିଶତ ଧାନ କ୍ରୟ ହୋଇସାରିଛି। ଆଉ ବଳକା ଧାନ ଖୁବ ଶୀଘ୍ର କ୍ରୟ କରାଯିବ ବୋଲି ଜ଼ିଲ୍ଲପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନ୍ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ ଓ ଲାଭାନ୍ବିତ କରିବା ସହିତ ସୁଚାରୁ ଭାବରେ ଧାନ କ୍ରୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି, ବୋଲି ସେ ଉଲ୍ଲେଖ କରିଛନ୍ତି।
ବିଭାଗୀୟ ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲାରେ ୧,୫୬,୭୧୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୧,୩୦,୧୪୦ ଜଣ ଧାନ ବିକ୍ରୟ କରିସାରିଛନ୍ତି । ସର୍ବମୋଟ ୫୪,୪୪,୬୫୧.୫୪ କ୍ୱିଣ୍ଟାଲ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲାବେଳେ ୪୭,୭୪,୨୧୦.୬୮ କ୍ୱିଣ୍ଟାଲ କ୍ରୟ ହୋଇସାରିଛି ଯାହା ମୋଟ ଶତାଂଶର ୮୭.୬୯ ପ୍ରତିଶତ ଅଟେ ।
Follow Us