ପେଟର ଜ୍ବାଳା ମାନିଲାନି କଟକଣା, ବ୍ରହ୍ମପୁରରୁ ବଲାଙ୍ଗୀର ମୁହାଁଇଲେ ୮୦ ଦାଦନ ପରିବାର

Advertisment
ପେଟର ଜ୍ବାଳା ମାନିଲାନି କଟକଣା, ବ୍ରହ୍ମପୁରରୁ ବଲାଙ୍ଗୀର ମୁହାଁଇଲେ ୮୦ ଦାଦନ ପରିବାର

ଭଞ୍ଜନଗର/ବେଲଗୁଣ୍ଠା: ପୁରୁଷଙ୍କ କାନ୍ଧରେ କଅଁଳ ଶିଶୁ। ହାତରେ ବୋଝ। ମହିଳାଙ୍କ ମୁଣ୍ଡରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବସ୍ତା। ମୁଣ୍ଡ ଉପରେ ଟାଇଁ ଟାଇଁ ଖରା ଆଉ ପେଟରେ ଅସମ୍ଭାଳ ଭୋକ। ସତେ ଯେମିତି ପେଟର ଜ୍ବାଳା ଆଗରେ ସବୁ କଟକଣା ହାର୍ ମାନିଥିଲା। ଭଞ୍ଜନଗର ସହର ରାଜରାସ୍ତା ଉପରେ ୮୦ରୁ ଅଧିକ ଦାଦନ ଶ୍ରମିକଙ୍କ ଲମ୍ବା ଧାଡ଼ି ଅତ୍ୟନ୍ତ ହୃଦୟବିଦାରକ ଥିଲା।

ବ୍ରହ୍ମପୁର ସହରରୁ ସେମାନେ ଗତକାଲି ସନ୍ଧ୍ୟାରେ ପାଦରେ ଚାଲି ଚାଲି ଭିଟାମାଟି ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ଅଭିମୁଖେ ବାହାରିଥିଲେ। ଆଜି ସକାଳ ପ୍ରାୟ ୬ଟାରେ ସେମାନେ ହିଞ୍ଜିଳିକାଟୁ, ଆସିକା, ଗାଙ୍ଗପୁର, କ୍ଷତ୍ରିୟବରପୁର, ଗୋବରା ଓ କଣ୍ଟେଇପଲ୍ଲୀ ଦେଇ ଭଞ୍ଜନଗରରେ ପହଞ୍ଚିଥିଲେ। ସମସ୍ତଙ୍କୁ ଭଞ୍ଜନଗର ପ୍ରଶାସନ ଉଦ୍ଧାର କରି ଶୁଖିଲା ଖାଦ୍ୟ ବଣ୍ଟନ କରିବା ପରେ ଭଞ୍ଜନଗର ଉପକଣ୍ଠ ସୋରାଦେବୀ ମନ୍ଦିର ପରିସରରେ ରଖାଯାଇଥିଲା। ସେଠାରେ ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା।
ଚାଲି ଚାଲି ଅସୁସ୍ଥ ହୋଇଯାଇଥିବା ବଲାଙ୍ଗୀର ଜିଲ୍ଲା ପାଇକମାଳ ଥାନା ଅର୍ନ୍ତଗତ କାନସଢ଼ା ଗ୍ରାମର ଅନିରୁଦ୍ଧ ଭୋଇଙ୍କ ୩ମାସର ଗର୍ଭବତୀ ପତ୍ନୀ ଗୁଣ୍ଡିଚାଙ୍କୁ ଦମକଳବାହିନୀ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ସେ ସୁସ୍ଥ ‌ହୋଇଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଗାଡ଼ି ବ୍ୟବସ୍ଥା କରାଯାଇ ନଥିବାରୁ ଉକ୍ତ ଦାଦନ ଶ୍ରମିକ ମାନେ ପୁଣି ଚାଲି ଚାଲି ଭିଟାମାଟି ଅଭିମୁଖେ ବାହାରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବର୍ଷା ହେଉଥିବା ଯୋଗୁଁ ସୋହରାଦେବୀ ମନ୍ଦିରେ ଅଟକିଛନ୍ତି ବୋଲି ରିପୋର୍ଟ ଲେଖିବା ସୁଦ୍ଧା ସୂଚନା ହସ୍ତଗତ ହୋଇଛି।
ଏମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ପ୍ରାୟ ୬୦ ଜଣ ଏବଂ ବରଗଡ଼ ଜିଲ୍ଲାର ୨୧ ଜଣ ପୁରୁଷ ଓ ମହିଳା ରହିଛନ୍ତି। ଏହାସହ ୧୬ ଜଣ ଛୋଟ ପିଲା ଅଛନ୍ତି।
ଏହି ଶ୍ରମିକ ମାନେ ଦୀର୍ଘବର୍ଷ ହେଲା ବ୍ରହ୍ମପୁର ଆସି ରତନପୁର, ଆଙ୍କୁଲି ଏବଂ ଷ୍ଟେସନ୍‌ରୋଡ଼୍ ଠାରେ ରହୁଥିଲେ। ବ୍ରହ୍ମପୁରରେ ବିଭିନ୍ନ ନିର୍ମାଣ କାମରେ ‌ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ। ତେବେନ ଗତମାସ ୧୮ ତାରିଖରୁ ସମସ୍ତ କଟକଣା ପରେ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇଥିଲା। ରୋଜଗାର କରି ଯାହା ସଞ୍ଚୟ କରିଥିଲେ, ସେଥିରେ କଷ୍ଟେମଷ୍ଟେ ସେମାନେ ଦୁଇଓଳା ଖାଇବା ଯୋଗାଡ଼ କରିପାରୁଥିଲେ। କିନ୍ତୁ ଟଙ୍କା ସରିଯିବା ପରେ ବ୍ରହ୍ମପୁରରେ ଭୋକ ଉପବାସରେ ଦିନ କାଟିବା ଅପେକ୍ଷା ନିଜ ଭିଟାମାଟିକୁ ଚାଲି ଚାଲି ପଳାଇବାକୁ ନିଷ୍ପତ୍ତି ନେଇଥିଲେ।
ସେମାନେ ଏକାଠି ହୋଇ ପିଲାଛୁଆଙ୍କ ସହ ସମସ୍ତ ସାମଗ୍ରୀ ଧରି ବ୍ରହ୍ମପୁରରୁ ବାହାରିଥିଲେ। ୫୯ ନମ୍ବର ଜାତୀୟ ରାଜପଥ ଦେଇ ଭଞ୍ଜନଗରରେ ପହଞ୍ଚିବା ପରେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିଥିଲା। ଶୁଖିଲା ଓ ରନ୍ଧାଖାଦ୍ୟ ବଣ୍ଟାଯିବା ପରେ ସେମାନଙ୍କୁ ପୁଣି ଛାଡ଼ିଦିଆଯାଇଥିଲା।
ଗଞ୍ଜାମ ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନର ଏଭଳି ଭୂମିକାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଢ଼େ ୩ଶହ କିଲୋମିଟର ଯିବା ଲାଗି ଦାଦନ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଯାନବାହନର ବ୍ୟବସ୍ଥା କାହିଁକି କରାଗଲାନି ବୋଲି କିଛି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସେହିପରି ଅସୁସ୍ଥ ଗର୍ଭବତୀ ଓ ତାଙ୍କ ସ୍ବାମୀଙ୍କୁ କ୍ବାରାଣ୍ଟିନ୍ ହୋମ୍‌ରେ ରହିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ଏଥିପାଇଁ ମନା କରିଥିଲେ ବୋଲି ବିଡିଓ ଅନୀଲ କୁମାର ସେଠୀ କହିଛନ୍ତି।
ଅନ୍ୟପକ୍ଷରେ ଶ୍ରମିକଙ୍କ କହିବାନୁସାରେ, ପେଟ ପାଇଁ ଦୁଇ ମୁଠା ଦାନା ଯୋଗାଡ଼ କରିବାକୁ ବ୍ରହ୍ମପୁର ଆସିଥିଲୁ। ଦିନ ମଜୁରିଆ ଭଳି କାମ କରି ପରିବାର ପ୍ରତିପୋଷଣ କରୁଥିଲୁ। କିନ୍ତୁ କି ରୋଗ ଆସିଲା ତାହା ଆମର ବଞ୍ଚିବାର ରାହାକୁ ଛଡ଼ାଇନେଲା। କଟକଣା ସାଙ୍ଗକୁ ରୋଜଗାର ବନ୍ଦ ହେବାରୁ ପ୍ରତିପୋଷଣ ଆମ ପକ୍ଷେ କଷ୍ଟସାଧ୍ୟ ହେଲା। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ନିଜ ଭିଟାମାଟିକୁ ଫେରିବା ପାଇଁ ନିଷ୍ପତ୍ତି ନେଲୁ। ତେବେେ ଏଠାକାର ଜିଲ୍ଲା ପ୍ରଶାସନ ଆମ ପାଇଁ ସ୍ବତନ୍ତ୍ର ଗାଡ଼ିର ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା। ତଥାପି କଣ କରିବୁ। ସବୁ କିଛି ଭଗବାନଙ୍କ ହାତରେ...।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe