ମନମୁଖୀ ଚାଲିଛି ଠିକା କାମ: ଉଜୁଡ଼ିଲା ଲକ୍ଷାଧିକ ଟଙ୍କାର ବଗିଚା

Advertisment
ମନମୁଖୀ ଚାଲିଛି ଠିକା କାମ: ଉଜୁଡ଼ିଲା ଲକ୍ଷାଧିକ ଟଙ୍କାର ବଗିଚା

ବରଗଡ଼ : ସମ୍ବଲପୁର ଜିଲ୍ଲା ଭୁକ୍ତା ସିଏଚ୍‌ସିରେ ଚାଲିଥିବା ମନମୁଖୀ ଠିକାଦାରିକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି।

ପ୍ରଥମତଃ, ଏଠାରେ ଯେଉଁ କାମ ଚାଲିଛି, ସେଥିରେ ଛତିଶଗଡ଼ର ସିମେଣ୍ଟ, ବାଲି ଏବଂ ଅନ୍ୟ ସାମଗ୍ରୀ ବ୍ୟବହାର ହେଉଛି। ତାହା ପୁଣି ଯନ୍ତ୍ରୀଙ୍କ ଜାଣତରେ। ଏବେ ନୂଆ ଏକ ତଥ୍ୟ ସାମନାକୁ ଆସିଛି। ପୂର୍ବରୁ ସିଏଚ୍‌ସି ପରିସରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବଗିଚା କରାଯାଇଥିଲା। ବିଧିବଦ୍ଧ ଆଦେଶ ନଥିଲେ‌ ହେଁ ବଗିଚାକୁ ସଂପୂର୍ଣ୍ଣ ନଷ୍ଟ କରାଯାଇଛି। ସୂଚନା ମୁତାବକ, ଗତବର୍ଷ ନଭେମ୍ବର ୨୨ ତାରିଖ ଏହି ସିଏଚ୍‌ସିର ଉନ୍ନତୀକରଣ ପାଇଁ ଚିଠି ସଂଖ୍ୟା ୧୧୮୮୩ରେ ନିର୍ଦ୍ଦେଶ ଜାରି ହୋଇଥିଲା। ଯେଉଁଥିରେ ପୁରୁଣା ଆଇପିଡି, ଶୌଚାଳୟ, ଚକ୍ଷୁ ରୋଗ ଚିକିତ୍ସା ପାଇଁ ଥିବା କୋଠା, ଆୟୁଷ ୟୁନିଟ୍‌ ଏବଂ କୁଷ୍ଠରୋଗ ପାଇଁ ଉଦ୍ଦିଷ୍ଟ କୋଠା ଭାଂଗିବାକୁ ନିର୍ଦ୍ଦେଶ ରହିଛି। ଉକ୍ତ କୋଠା ସଂଲଗ୍ନ ଗଛ କାଟିବା ସମେତ ନୂଆ ଆପ୍ରୋଚ୍‌ ରୋଡ୍‌, କର୍ମଚାରୀଙ୍କ କ୍ବାର୍ଟର୍‌ ଚାରିପଟେ ପାଚେରୀ ନିର୍ମାଣ ଏବଂ ସବୁ ଝରକାରେ ମଶାରି ଜାଲି ଲଗାଇବାକୁ କୁହାଯାଇଛି। କିନ୍ତୁ ଏଥିରେ ବଗିଚାକୁ ନଷ୍ଟ କରିବା ପାଇଁ କିିଛି ଗାଇଡ୍‌ଲାଇନ୍‌ ଦିଆଯାଇନାହିଁ। କିନ୍ତୁ ଠିକାଦାର ସଂପୂର୍ଣ୍ଣ ଭାବେ ବଗିଚା ଉଜାଡ଼ି ସାରିଛନ୍ତି।

ବିଭାଗୀୟ ଯନ୍ତ୍ରୀଙ୍କ ହାତରେ ଗାଇଡ୍‌ଲାଇନ୍‌ଯୁକ୍ତ ନିର୍ଦ୍ଦେଶାନାମା ଥିଲେ ହେଁ ସେ କାହିଁକି ନିରବଦ୍ରଷ୍ଟା, ତାହା ବୁଝାପଡ଼ୁନି। ଅନ୍ୟପକ୍ଷରେ ଏହି ନିର୍ମାଣାଧୀନ ପ୍ରକଳ୍ପରେ ବ୍ୟାପକ କେଳେଙ୍କାରୀ ଚାଲିଥିଲେ ହେଁ ଏହାର ତଦନ୍ତ ନ ଆଗେଇବା ଆଶ୍ଚର୍ଯ୍ୟର କଥା। ଜାତୀୟ ସ୍ୱାସ୍ଥ୍ୟ ମିସନ ଅନୁଦାନରେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ସହବନ୍ଧିତାରେ ୧୦ କୋଟି ୭୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଚାଲିଛି। କିନ୍ତୁ ଏଠାରେ ବ୍ୟବହାର ହେଉଛି ଛତିଶଗଡ଼ର ବାଲି, ସିମେଣ୍ଟ, ଚିପ୍‌ସ। ଓଡ଼ିଶାରେ ସବୁ ସାମଗ୍ରୀ ମହଜୁଦ ଥାଇ ବାହାର ରାଜ୍ୟରୁ ସାମଗ୍ରୀ ଆଣିବାକୁ କିଏ ଅନୁମତି ଦେଲା, ତାହା ବି ତଦନ୍ତ ସାପେକ୍ଷ। ସେହିପରି କୋଟି କୋଟି ଟଙ୍କାର ପ୍ରକଳ୍ପ ବିନା ଯନ୍ତ୍ରୀଙ୍କ ତଦାରଖ, ପରୀକ୍ଷାନିରୀକ୍ଷାରେ ଚାଲିଛି। ମାମଲାର ଉଚ୍ଚସ୍ତରୀୟ ତଦନ୍ତ ବଦଳରେ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe