ଗେଟମ୍ୟାନ୍‌ଙ୍କ ତତ୍ପରତା ଯୋଗୁଁ ବଡ଼ ରେଳ ଦୁର୍ଘଟଣା ଟଳିଲା

Advertisment

ବାଲୁଗାଁ ନିକଟରେ ମାଲବାହୀ ଟ୍ରେନ୍‌ର ଓ୍ଵାଗନ ଲାଇନଚ୍ୟୁତ

ବାଲୁଗାଁ ନିକଟରେ ମାଲବାହୀ ଟ୍ରେନ୍‌ର ଓ୍ଵାଗନ ଲାଇନଚ୍ୟୁତ

ଗେଟମ୍ୟାନ୍‌ଙ୍କ ତତ୍ପରତା ଯୋଗୁଁ ବଡ଼ ରେଳ ଦୁର୍ଘଟଣା ଟଳିଲା

ଭୁବନେଶ୍ୱରର: ବାଲୁଗାଁ ଲେଭଲ କ୍ରସିଂ ନିକଟରେ ଗେଟମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ବିକେ ସେଠୀଙ୍କ ତତ୍ପରତା କାରଣରୁ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଟଳିଯାଇଛି। ଶ୍ରୀ ସେଠୀଙ୍କ ସୂଚନାକୁ ଆଧାର କରି ଟ୍ରେନ୍‌ର ଡ୍ରାଇଭର୍‌ (ଲୋକୋ ପାଇଲଟ୍‌) ଏବଂ କୋ-ଲୋକୋ ପାଇଲଟ୍‌ଙ୍କ ତ୍ୱରିତ ନିଷ୍ପତ୍ତି ଫଳରେ ଏକ ଆସନ୍ନ ବିପଦ ତଥା ଧନଜୀବନ ହାନିକୁ ରୋକା ଯାଇପାରିଛି। ଆଜି ରାଉରକେଲା ବୀରମିତ୍ରପୁରରୁ ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଂଟ୍‌କୁ ଡୋଲୋମାଇଟ୍‌ ନେଇ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ବାଲୁଗାଁ ଏବଂ ଚିଲିକା ଷ୍ଟେସନ ମଧ୍ୟରେ ଦିନ ପ୍ରାୟ ୧୨ଟା ସମୟରେ ଲାଇନଚ୍ୟୁତ ହୋଇଥିଲା। ଖୋର୍ଧା ରୋଡ଼-ବ୍ରହ୍ମପୁର ରେଲୱେ ସେକ୍ସନ୍‌ ଅଧୀନରେ ଆସୁଥିବା ବାଲୁଗାଁ ରେଳ ଫାଟକରେ ଶ୍ରୀ ସେଠୀ ଉକ୍ତ ମାଲବାହୀ ଟ୍ରେନ୍‌ର ନିର୍ଦ୍ଦିଷ୍ଟ ଏକ ୱାଗନ୍‌ରେ ଅସୁବିଧା ଥିବା ଜାଣି ତତ୍‌କ୍ଷଣାତ ଟ୍ରେନ୍‌ର ଡ୍ରାଇଭର୍‌ ଏସ୍‌ ଏନ୍‌ ପଟ୍ଟନାୟକ ଏବଂ କୋ-ଲୋକୋ ପାଇଲଟ୍‌ ଏସ୍‌ କେ ସାହୁଙ୍କୁ ସୂଚନା ଦେଇଥିଲେ। ଏହି ସୂଚନା ପାଇ ଟ୍ରେନ୍‌କୁ ତୁରନ୍ତ ଅଟକାଯାଇଥିଲା। ଯାହାଫଳରେ ଏକ ୱାଗନ୍‌ର ସମ୍ପୂର୍ଣ୍ଣ ଚକା ଲାଇନଚ୍ୟୁତ ହେବାରୁ ଏଡ଼ାଇ ଦିଆଯାଇ ପାରିଥିଲା। ଯଦି ଏହି ସୂଚନା ମିଳିବାରେ ବିଳମ୍ବ ହୋଇଥାଆନ୍ତା ତେବେ ଟ୍ରେନ୍‌ର ଅନେକ ୱାଗନ୍‌ ଲାଇନଚ୍ୟୁତ ହେବା ସହିତ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥାଆନ୍ତା। ତେବେ ଶ୍ରୀ ସେଠୀ ଏବଂ ଟ୍ରେନ୍‌ର ଦୁଇ ଡ୍ରାଇଭର୍‌ଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍‌ର ଗୋଟିଏ ମାତ୍ର ୱାଗନ୍‌ ଲାଇନଚ୍ୟୁତ ହୋଇଥିଲା ଏବଂ କୌଣସି କ୍ଷୟକ୍ଷତି ହୋଇନଥିଲା। ଏହି ତିନି ଜଣ ରେଳ କର୍ମଚାରୀଙ୍କୁ ବୁଧବାର ଦିନ ରେଳ ସଦନରେ ସମ୍ବର୍ନ୍ଧିତ କରାଯିବ ବୋଲି ପୂର୍ବତଟ ରେଳପଥ ସୂତ୍ରରୁ ଜଣାପଡ଼ିଛି।

ରେଳସେବା ବାଧାପ୍ରାପ୍ତ
ବାଲୁଗାଁ ଏବଂ ଚିଲିକା ଷ୍ଟେସନ ମଧ୍ୟରେ ହୋଇଥିବା ରେଳ ୱାଗନ୍‌ ଲାଇନଚ୍ୟୁତ କାରଣରୁ ପୂର୍ବତଟ ରେଳ ପକ୍ଷରୁ କିଛି ଟ୍ରେନ୍‌ର ଗତିପଥ ପରିବର୍ତନ କରାଯିବା ସହିତ କିଛି ଟ୍ରେନ୍‌କୁ ସାମୟିକ ବାତିଲ କରାଯାଇଥିଲା। ଦିନ ପ୍ରାୟ ୧୨ଟା ରେ ହୋଇଥିବା ଏହି ଘଟଣାକୁ ସନ୍ଧ୍ୟା ସାଢ଼େ ଛଅଟା ସୁଦ୍ଧା ପୁନଃକାର୍ଯ୍ୟକ୍ଷମ କରାଯାଇଥିଲା। ତେବେ ୪କିମିରୁ ଊର୍ଧ୍ୱ ରେଳ ଧାରଣା ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି। ଏହି ଲାଇନ୍‌ରେ ମରାମତି କାର୍ଯ୍ୟ ନିମନ୍ତେ ରେଳ ଚଳାଚଳକୁ ବାତିଲ କରାଯାଇଛି। ଆସନ୍ତାକାଲି ସୁଦ୍ଧା ଏହି ଲାଇନ୍‌କୁ କାର୍ଯ୍ୟକ୍ଷମ କରାଯିବା ନେଇ ସୂଚନା ମିଳିଛି। ଏହି କାରଣରୁ ଭୁବନେଶ୍ୱର-ପଲାସା ପାସେଞ୍ଜର୍‌କୁ ଆଜି ପାଇଁ ବାତିଲ୍‌ କରାଯାଇଛି। ସେହିପରି ପଲାସା-ଭୁବନେଶ୍ୱର ପାସେଞ୍ଜର୍‌ ବୁଧବାର ଦିନ ବାତିଲ୍‌ ହେବା ନେଇ ସୂଚନା ମିଳିଛି। କଟକ-ବ୍ରହ୍ମପୁର ପାସେଞ୍ଜର୍‌ ଆଜି ବ୍ରହ୍ମପୁର ନଯାଇ ଖୋର୍ଧା ରୋଡ଼୍‌ ପର୍ଯ୍ୟନ୍ତ ଯାଇଥିଲା। ବ୍ରହ୍ମପୁର-କଟକ ପାସେଞ୍ଜର୍‌, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ବୁଧବାର ଦିନ ବାତିଲ୍‌ ହୋଇଛି। ବିଶାଖାପାଟଣା-ଭୁବନେଶ୍ୱର ଇଂଟରସିଟି ଭୁବନେଶ୍ୱର ପରିବର୍ତେ ବ୍ରହ୍ମପୁର ପର୍ଯ୍ୟନ୍ତ ଯାତ୍ରା କରିବ। ଭୁବନେଶ୍ୱର-ବିଶାଖାପାଟଣା ଇଂଟରସିଟି ଏକ୍ସପ୍ରେସ୍‌ ବୁଧବାର ଦିନ ଭୁବନେଶ୍ୱର ପରିବର୍ତେ ବ୍ରହ୍ମପୁରରୁ ଛାଡ଼ିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe