ବିରଞ୍ଚି ନାରାୟଣ ଖୁଣ୍ଟିଆ
କୋରେଇ: ବଞ୍ଚିବାର ରାହା ଦେଖାଇଛି ସୁନୁସୁନିଆ ଶାଗ। ସ୍ଥାନୀୟ ଲୋକଙ୍କୁ କରିଛି ଆତ୍ମନିର୍ଭର। ଯାଜପୁରଜିଲ୍ଲା କୋରେଇ ବ୍ଲକ୍ର ଗୋଳେଇପୁର ଓ ଜହ୍ନା ପଞ୍ଚାୟତର କେତେକ ଚାଷୀ ସୁନୁସୁନିଆ ଶାଗ ଚାଷ କରି ବେଶ୍ ଭଲ ପଇସା ରୋଜଗାର କରୁଛନ୍ତି। ଦୁଇ ପଞ୍ଚାୟତରେ ପାଖାପାଖି ୫୦ ଏକରରୁ ଅଧିକ ଜମିରେ ଶାଗ ଚାଷ ହେଉଛି। ବଜାରରେ ଶାଗର ଚାହିଦା ଥିବାରୁ ଚାଷୀ ବର୍ତ୍ତମାନ ପାରମ୍ପରିକ ଚାଷ ବଦଳରେ ନୂଆ ଚାଷ ପାଇଁ ମନ ବଳାଇଛନ୍ତି। ଗୋଳେଇପୁର ପଞ୍ଚାୟତର ହାଟସାହି, ମିର୍ଜାପୁର, ସିଙ୍ଗଡ଼ା, ସୋତି ଏବଂ ଜହ୍ନା ପଞ୍ଚାୟତର କୁରୁପଦା, ନରପଦା ଆଦି ଗ୍ରାମରେ ଏକର ଏକର ଜମିରେ ସୁନୁସୁନିଆ ଶାଗ ଚାଷ ହୋଇଛି। ୫ ବର୍ଷ ତଳେ ହାଟସାହି ଗ୍ରାମର ବିରେନ୍ କୁମାର ସାହୁ ପ୍ରଥମେ ଗୁଣ୍ଠେ ଜମିରେ ଶାଗ ଚାଷ ଆରମ୍ଭ କରିଥିଲେ।
Weekly Horoscope 2026 Feb 22 To Feb 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟରେ ଧାନ ଓ ପରିବା ଚାଷରେ କ୍ଷତି ସହିବା ପରେ ଶାଗ ତାଙ୍କୁ ଭଲ ଲାଭ ଦେଇଥିଲା। ବିରେନଙ୍କୁ ଦେଖି ପାଖାପାଖି ଅନେକ ଚାଷୀ ସୁନୁସୁନିଆ ଚାଷ ଆରମ୍ଭ କରିଥିଲେ। ଏବେ ପଞ୍ଚାୟତର ପ୍ରାୟ ୫୦ ଏକର ଜମିରେ ଶାଗ ଚାଷ ହେଉଛି। ଏଥିରେ ବିଶେଷ ଖର୍ଚ୍ଚ ମଧ୍ୟ ନାହିଁ। ମାସକୁ ୩ରୁ ୪ ଥର ଶାଗ ଅମଳ ହୋଇ ବିକ୍ରି ହେଉଛି। କେଜି ପିଛା ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ମିଳୁଛି। ନଦୀ ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଧାନ ଓ ପରିବା ଚାଷ ପ୍ରଭାବିତ ହୋଇଥାଏ। ସୁନୁସୁନିଆ ଚାଷରେ ଅଦିନିଆ ବର୍ଷା, ମରୁଡ଼ିର ଭୟ ନାହିଁ। ସ୍ଥାନୀୟ ବଜାର ସମେତ ଜିଲ୍ଲା ଓ ଜିଲ୍ଲା ବାହାରକୁ ମଧ୍ୟ ଶାଗ ପଠାଉଥିବା କହିଛନ୍ତି ଚାଷୀ।
ଔଷଧୀୟ ଗୁଣ ସହିତ ପୋଷକତତ୍ତ୍ବ ଭରପୂର
ପେଟ ପାଇଁ ଗାଁ ଛାଡ଼ି ବାହାରେ କାମ କରୁଥିବା ବହୁ ଯୁବକ କରୋନା ସମୟରେ ଘରକୁ ଫେରି ଏବେ ଏହି ଚାଷକୁ ଆଦରିଛନ୍ତି। ସୁନୁସୁନିଆ ଶାଗରେ ଔଷଧୀୟଗୁଣ ସହିତ ପୋଷକତତ୍ତ୍ବ ଭରପୂର ରହିଛି। ତେଣୁ ସ୍ବାସ୍ଥ୍ୟ ସଚେତନ ଗ୍ରାହକ ଏହାକୁ କିଣି ନେଉଛନ୍ତି। ମାତ୍ର ୮ ମାସ ହେବ ଏହି ଚାଷ କରି ଦିନକୁ ପ୍ରାୟ ୫ ଶହରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ବୋଲି କହିଛନ୍ତି ଚାଷୀ ପ୍ରଦୀପ କୁମାର ପାତ୍ର। ଚାଷୀ ନିରଞ୍ଜନ ସାହୁଙ୍କ ଅନୁସାରେ, ଦାଦନ ଖଟିବାକୁ ସେ ବାହାର ରାଜ୍ୟକୁ ଯାଇଥିଲେ। ଗାଁକୁ ଫେରି ୧୦ ଗୁଣ୍ଠ ଜମିରେ ସୁନୁସୁନିଆ ଲଗାଇଛନ୍ତି। କେବଳ ପାଣି ଓ କିଛି ଖତ ବିନିଯୋଗ କରି ଶାଗଚାଷ କରିିଥିବାବେଳେ ପ୍ରତିଦିନ ପାଖାପାଖି ହଜାରେ ଟଙ୍କା ରୋଜଗାର କରୁଛନ୍ତି। ପୂର୍ବରୁ କେବଳ ଗାଁ ପୋଖରୀ, ସନ୍ତସନ୍ତିଆ ଜାଗାରେ ସୁନୁସୁନିଆ ହେଉଥିଲା।
Indravati Reservoir: କେନ୍ଦୁଗୁଡା ପୋଲ ପାଇଁ ୨୦୦କୋଟିର ଡିପିଆର
ଏବେ ଏହାକୁ ଏକ ଲାଭଦାୟକ ଚାଷରେ ପରିଣତ କରିଛନ୍ତି ଜହ୍ନା ଓ ଗୋଳେଇପୁର ଗ୍ରାମର ଚାଷୀ। ଏ ସଂପର୍କରେ ବ୍ଲକ୍ କୃଷି ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି ଯେ ସୁନୁସୁନିଆ ଚାଷରେ ଲାଭବାନ ହୋଇ ପେଟ ପୋଷିବା କେହି ଚିନ୍ତା କରିନଥିଲେ। ଗୋଳେଇପୁର ଓ ଜହ୍ନା ଗାଁ’ର ଚାଷୀ ଏହି ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବାର ବହୁ ଯୋଜନା ରହିଛି। ଶାଗଚାଷ ପ୍ରତି ଆଗ୍ରହୀ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ସୁନୁସୁନିଆ ଶାଗ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ଏବଂ ପ୍ରୋତ୍ସାହନ ଦେବାକୁ କୃଷି ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/22/agaadgczvcv-2026-02-22-00-29-28.jpg)