OnlineKhabar English News
ଅନୁଗୁଳ : ୨୦୧୯ ମାର୍ଚ୍ଚ ୮ତାରିଖ। ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର। ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ରୁଲ୍ସ-୨୦୧୯ ତିଆରି କରି ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଜିଲ୍ଲାସ୍ତରରେ ଏଣିକି ଆଉ କୌଣସି ଫାର୍ମାସିଷ୍ଟ ନିଯୁକ୍ତି ହେବେ ନାହିଁ। ଯାହା ନିଯୁକ୍ତି ହେବ ଓଏସ୍ଏସ୍ଏସ୍ସି (ଓଡ଼ିଶା ସବ୍-ଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନ) ଜରିଆରେ। କିନ୍ତୁ, ଅନୁଗୁଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ହୋଇଛି। ଏ ବ୍ୟତିକ୍ରମ ଆଉ କେହି ନୁହେଁ, ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କରିଛନ୍ତି। ସରକାରଙ୍କ ନିୟମକାନୁନକୁ ଦଳିମକଚି ଗତ ଜୁନ୍ ମାସରେ ଦୁଇ ଜଣ ଫାର୍ମାସିଷ୍ଟ ଏବଂ ଦୁଇ ଜଣ ଲ୍ୟାବ୍ ଟେକ୍ନିସିଆନଙ୍କୁ ସିଧାସଳଖ ନିଯୁକ୍ତି ଦିଆଯାଇଛି। ଏଭଳି ନିଯୁକ୍ତି ପଛରେ ଏକ ଗୋଷ୍ଠୀ ଭଲ ରକମର ହାତ ଚିକ୍କଣ କରିଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ୨୦୧୭ମସିହା ନଭେମ୍ବର ୨୯ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ବିଜ୍ଞାପନ ପ୍ରକାଶ କରିଥିଲେ। ଯେଉଁଥିରେ, ୭ଜଣ ଫାର୍ମାସିଷ୍ଟ, ୫ଜଣ ଜୁନିୟର ଲାବୋରଟାରି ଟେକ୍ନିସିଆନ୍, ତିନି ଜଣ ଜୁନିୟର ରେଡିଓଗ୍ରାଫର ସହିତ ୧୯ଜଣ ଆଟେଣ୍ଡାଣ୍ଟ୍ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଦର୍ଶାଯାଇଥିଲା। ସେତେବେଳେ ପଦ ଅନୁସାରେ ଆବେଦନକାରୀଙ୍କୁ ଜିଲ୍ଲାସ୍ତରରେ ନିଯୁକ୍ତି ମଧ୍ୟ ଦିଆଯାଇଥିଲା। କିନ୍ତୁ, ତା ପରେ ପରେ ସରକାର ଫାର୍ମାସିଷ୍ଟ ନିଯୁକ୍ତି ପାଇଁ ନୂଆ ନିୟମ ଆଣିଥିଲେ। କିନ୍ତୁ, ଚିଠି ନମ୍ବର ୧୧୮୬/ ତାରିଖ ୦୮.୦୬.୨୦୨୧ରେ କେନ୍ଦୁଝର ଜିଲ୍ଲାର ବଳରାମ ଦାସ ଏବଂ ସମ୍ବଲପୁରର ରଶ୍ମିତା କୁମାରୀ ନାୟକଙ୍କୁ ଜୁନିୟର ଲାବୋରଟାରୀ ଟେକ୍ନିସିଆନ୍ ଭାବେ ସିଧାସଳଖ ନିଯୁକ୍ତି ଦିଆଯାଇଛି। ଏମାନଙ୍କୁ ଯଥାକ୍ରମେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟ ଏବଂ କିଶୋରନଗର ସିଏଚ୍ସିରେ ଅବସ୍ଥାପିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମାଧପୁର ଏବଂ ଖମାର ଡାକ୍ତରଖାନାରେ ଦୁଇ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତ କରାଯାଇଛି।
ସରକାରଙ୍କ ନିର୍ଦ୍ଦେଶନାମାର ଦୁଇ ବର୍ଷ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେମିତି ସରକାରୀ ନିୟମକୁ ଉଲ୍ଲଂଘନ କଲେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କେଉଁ ଆଧାରରେ ଏମାନଙ୍କୁ ହାତେ ହାତେ ନିଯୁକ୍ତି ଦେଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ କହିଛନ୍ତି, ମୁଁ ଏଠାରେ ସିଡିଏମ୍ଓ ଦାୟିତ୍ବ ନେବା ବେଳେ ଆବେଦନକାରୀଙ୍କର ପ୍ୟାନେଲ୍ ଲିଷ୍ଟ ତିଆରି ହୋଇଥିଲା। ଯାହାର ଅବଧି ବର୍ଷେ ଯାଏ ଥିଲା। ତଦନୁସାରେ ଏ ନିଯୁକ୍ତି ଦିଆଯାଇଛି। ସରକାରୀ ଆଇନକୁ କୌଣସି ପ୍ରକାରେ ଉଲ୍ଲଂଘନ କରାଯାଇ ନାହିଁ ବୋଲି ଡା. ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି। ୨୦୧୭-୧୮ମସିହାରେ ତିଆରି ହୋଇଥିବା ଏହି ପ୍ୟାନେଲ୍ ଲିଷ୍ଟ ୨୦୨୧ ମସିହା ଯାଏ ବୈଧ ହେଲା କେମିତି? ଏ ପ୍ରଶ୍ନ ଉପରେ କିନ୍ତୁ ସଠିକ୍ ଉତ୍ତର ମିଳିପାରି ନାହିଁ।
Follow Us