ଭୁବନେଶ୍ବର: ରାଜ୍ୟରେ ଶତ ପ୍ରତିଶତ ସ୍ମାର୍ଟ ମିଟର ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ କରି ଲାଗିବାକୁ ଥିବା ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ଖୁଚୁରା ଯୋଗାଣ ଟାରିଫ୍ ବା ସେମାନଙ୍କର ବିଦ୍ୟୁତ୍ ବିଲ୍ ଶୁଳ୍କ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। ରାଜ୍ୟରେ ୨ କିଲୋଵାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ୮୭ ପ୍ରତିଶତ ଉପଭୋକ୍ତା ଏହି ଯୋଜନା ଦ୍ବାରା ଉପକୃତ ହେବେ। ରାଜ୍ୟର ସମସ୍ତ ଚାରିଟିଯାକ ବିଦ୍ୟୁତ୍ ବିତରଣ କମ୍ପାନି ନିଜ ନିଜର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବେ।

Advertisment

Chief Secretary: ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ସଚିବ: ଜାନୁଆରି ପହିଲାରୁ ନୂଆ ଦାୟିତ୍ବ ସମ୍ଭାଳିବେ

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାର ପ୍ରଥମ ପର୍ଯ୍ୟାୟରେ ମୋହର
୨ କିଲୋଵାଟ୍ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି ଅତିରିକ୍ତ ମିଟର ଭଡ଼ା

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୨୫ ମାର୍ଚ୍ଚ ୨୪ ତାରିଖ ଅର୍ଥାତ୍ ଗତଥର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବାର୍ଷିକ ବିଦ୍ୟୁତ୍‌ ଶୁକ୍ଳ ଘୋଷଣା କରିବା ସମୟରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ କିଲୋଵାଟ୍ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ (ସିଡି) ଥିବା ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ ଗତ ଏପ୍ରିଲ ପହିଲାଠାରୁ ମିଟର ଭଡ଼ା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଏହି ବର୍ଷ ୧୧ ଲକ୍ଷ ୫୩ ହଜାର ୧୦୦ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିରୁ ୮ଲକ୍ଷ ୭୫ ହଜାର ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ। ୨ ଲକ୍ଷ ୭୮ ହଜାର ୧୦୦ ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ।

୨୫ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପାଇଁ ୩୪୫ କୋଟି, ୧୦ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର: ଓଡ଼ିଶାର ବରପୁତ୍ର, ସ୍ବାଧୀନତା ସଂଗ୍ରାମୀ, କବି, ସାହିତ୍ୟିକ, ଶିକ୍ଷାବିତ୍, ସମାଜ ସୁଧାରକ ଏବଂ ମହାନ ବ୍ୟକ୍ତିତ୍ବ ଯେଉଁମାନେ ଓଡ଼ିଶାର ସାମାଜିକ-ସାଂସ୍କୃତିକ-ସାହିତ୍ୟିକ ପରିବେଶକୁ ଗଢ଼ିଥିଲେ, ସେମାନଙ୍କର  ସ୍ମୃତିକୁ ସାଇତି ରଖିବା ପାଇଁ ରାଜ୍ୟ ସରକାର ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଆରମ୍ଭ କରିବେ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପାଇଁ ୩୪୫ କୋଟି ଖର୍ଚ୍ଚ ହେବ। ପ୍ରତି ବରପୁତ୍ରଙ୍କ ଜନ୍ମସ୍ଥାନର ଉନ୍ନତୀକରଣ ପାଇଁ ସର୍ବାଧିକ ୧୫ କୋଟି ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଛି। 

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ୍ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ‌ ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବ। ସେଠାରେ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ। ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି, ସ୍ମାରକୀ ସ୍ଥାପନ କରାଯିବ, ସ୍ଥାନୀୟ ଜୀବିକାକୁ ପ୍ରୋତ୍ସାହନ ଦେବା ପାଇଁ ସ୍ଥାନୀୟ ପ୍ରସିଦ୍ଧ ବ୍ୟଞ୍ଜନ, ହସ୍ତକଳା ଓ ହସ୍ତଶିଳ୍ପ ଉତ୍ପାଦ ଆଦିର ବିକ୍ରୟ କେନ୍ଦ୍ର ସ୍ଥାପନ କରାଯିବ। ଏହାବାଦ୍ ବରପୁତ୍ରମାନଙ୍କ ଜୀବନୀ ଉପରେ ବିଭିନ୍ନ ସମ୍ମିଳନୀ, ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କର ଆଦର୍ଶ, ପ୍ରେରଣା ଓ ମୂଲ୍ୟବୋଧର ପ୍ରଚାରପ୍ରସାର କରାଯିବ। ପରବର୍ତ୍ତୀ ସମୟରେ ଅନ୍ୟ ବରପୁତ୍ରମାନଙ୍କୁ ଚୟନ କରି ସେମାନଙ୍କ ଜନ୍ମସ୍ଥାନର ଉନ୍ନତୀକରଣ କରାଯିବ। ଏଥିପାଇଁ ପ୍ରତିବର୍ଷ ରାଜ୍ୟ ବଜେଟ୍‌ରେ ଅର୍ଥ ବରାଦ ହେବ।

ସେହିପରି ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ‘ବିକଶିତ ଗାଁ ବିକଶିତ ଓଡ଼ିଶା‌’ ଯୋଜନାରେ ପ୍ରକଳ୍ପ ଚୟନ ନିୟମରେ ସଂଶୋଧନ କରାଯାଇଛି। ଏଣିକି ପଞ୍ଚାୟତିରାଜ ସଦସ୍ୟ, ନିର୍ବାଚିତ ପ୍ରତିନିଧି, ନାଗରିକ ସମାଜଗୁଡ଼ିକ ସେମାନଙ୍କ ଗାଁରେ ବିଭିନ୍ନ ପ୍ରକଳ୍ପ  ପାଇଁ ସୁପାରିସ କରିପାରିବେ। ଏହାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଜିଲ୍ଲାସ୍ତରୀୟ କମିଟି ସମୀକ୍ଷା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଯଦି ୧୦ ଲକ୍ଷ ଟଙ୍କାରୁ ଅଧିକ ପ୍ରକଳ୍ପ ହୋଇଥିବ ତେବେ ଏହା ଶେଷ ହେବାର ୩ ବର୍ଷ ପର୍ଯ୍ୟନ୍ତ ଏହାର ଉତ୍ତରଦାୟିତ୍ବ ନିର୍ମାଣକାରୀ ସଂସ୍ଥା ଉପରେ ରହିବ। କୌଣସି ତ୍ରୁଟି ହେଲେ ସେ ଏହାକୁ ସଜାଡ଼ିବ। ସରକାରୀ ଆଇଟିଆଇଗୁଡ଼ିକୁ ନୂଆ ରୂପ ଦେବା ସହ ୫ଟି ଆଇଟିଆଇକୁ ଜୋନାଲ ଆଇଟିଆଇ ଭାବେ ଉନ୍ନୀତ କରିବା ପାଇଁ ଉତ୍କର୍ଷ ଆଇଟିଆଇ ଯୋଜନା ଆ‌ସିଛି। ସେଗୁଡ଼ିକ ହେଲା, ପୁରୀ, ବଲାଙ୍ଗୀର, ଅମ୍ବାଗୁଡ଼ା, ରାଜକନିକା ରାଉରକେଲା ସରକାରୀ ଆଇଟିଆଇ। ଏହି ଯୋଜନାରେ ଉପରୋକ୍ତ ୫ଟି ଆଇଟିଆଇରେ ଇଣ୍ଡଷ୍ଟ୍ରି ରେଡି ଇନ୍‌ଫ୍ରାଷ୍ଟ୍ରକଚର୍ ଗଠନ ସହ ଅତ୍ୟାଧୁନିକ ଲାବ୍, ସ୍ମାର୍ଟ କ୍ଲାସରୁମ୍, ଡିଜିଟାଲ୍‌ ଶିକ୍ଷାସ୍ଥାନ ଏବଂ ଉପକରଣ, ଆଇଟିଆଇଗୁଡ଼ିକର ପୁନଃନିର୍ମାଣ କରାଯିବ। ଏଠାରେ ଉନ୍ନତ ପ୍ରଶିକ୍ଷଣ, ଅଧ୍ୟାପକ ସମ୍ବର୍ଦ୍ଧନା, ମୂଲ୍ୟାୟନ ଆଦି ପ୍ରଚାର ପାଇଁ ଜୋନାଲ୍ ହବ୍ ଭାବେ କାର୍ଯ୍ୟକ୍ଷମ କରାଯିବ। ପ୍ଲେସ୍‌ମେଣ୍ଟ ସେଲ୍‌କୁ ସୁଦୃଢ଼ କରାଯିବ, ଗୁରୁତ୍ବପୂର୍ଣ୍ଣ ଶିଳ୍ପ ଓ ମୁଖ୍ୟ ଶିକ୍ଷା କେନ୍ଦ୍ରଗୁଡ଼ିକ ନିକଟରେ ଏହାକୁ ସ୍ଥାପିତ କରାଯିବ।

ସେହିପରି ପାର୍ବତୀ ଗିରି ବୃହତ୍‌ ଉଠାଜଳସେଚନ ଯୋଜନାରେ ପ୍ରସ୍ତାବିତ କ୍ଲଷ୍ଟର୍‌- ୩୩ ମାଧ୍ୟମରେ ୪ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ହୀରାକୁଦ ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରି ଝାରସୁଗୁଡ଼ା ଜିଲ୍ଲାର ୭୫ଟି ଗ୍ରାମର ୬,୩୬୦ ଏକର ଜମିକୁ ଜଳସେଚିତ କରାଯିବ। ଏଥିପାଇଁ ୧୭୬ କୋଟି ୮୭ ଲକ୍ଷ ୫୬ ହଜାର ୬୨୯ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ଯୋଜନାର କ୍ଲଷ୍ଟର୍‌-୩୨ରେ ୪ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣପୂର୍ବକ ଇବ୍ ନଦୀ, ହୀରାକୁଦ ଜଳଭଣ୍ଡାର, ଭେଡେନ୍‌ ନଦୀ (ଭେଡେନ୍ ଓ ଇବ୍‌ ନଦୀର ସଙ୍ଗମସ୍ଥଳ)ରୁ ଜଳ ଉତ୍ତୋଳନ କରି ଝାରସୁଗୁଡ଼ାର ୧୦୧ଟି ଗ୍ରାମର ୬୪୮୦ ହେକ୍ଟର ଜମିକୁ ଜଳସେଚିତ କରାଯିବ। ଏଥିପାଇଁ କ୍ୟାବିନେଟ୍ ୧୮୦ କୋଟି ୭୨ ଲକ୍ଷ ୬୬ ହଜାର ୬୯୪ ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛି। ଏହାବାଦ୍ କଳାହାଣ୍ଡି ଜିଲ୍ଲାର ସାନ୍ଦୁଳ ବ୍ୟାରେଜ୍‌ ପ୍ରକଳ୍ପ ଅଧୀନସ୍ଥ ୫ ହଜାର ହେକ୍ଟର ଚାଷ ଜମିକୁ ଭୂତଳ ପାଇପ ଲାଇନ୍ ଜଳସେଚନ ନିମନ୍ତେ ୧୬୨ କୋଟି ୪୬ ଲକ୍ଷ ୫୬ ହଜାର ୨୦୧ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। 

ଆଜି କ୍ୟାବିନେଟ୍‌ରେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ସମୟରେ ଏକ ପ୍ରକାରର ସଂରକ୍ଷଣ ପଦ୍ଧତିକୁ ଅନୁସରଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧ୍ୟାଦେଶ, ୨୦୨୫ର ପ୍ରଣୟନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।  ଏଥିରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ବିଶ୍ବବିଦ୍ୟାଳୟକୁ ଏକକ ଭାବେ ବିଚାର କରିବା ଲାଗି ଅଧ୍ୟାଦେଶରେ ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକୁ ଜାତୀୟ ସ୍ତରରେ ପ୍ରଚଳିତ ନିୟମ ସହିତ ସମାନ କରାଯାଇପାରିବ।