ରତ୍ନ ପଥରକୁ ନେଇ ଛକାପଞ୍ଝା: ଅଘଟଣକୁ ପ୍ରଶାସନର ଅପେକ୍ଷା!

Advertisment
ରତ୍ନ ପଥରକୁ ନେଇ ଛକାପଞ୍ଝା: ଅଘଟଣକୁ ପ୍ରଶାସନର ଅପେକ୍ଷା!

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ଉପରେ ଆନ୍ଧ୍ର ପ୍ରଶାସନର ଆଖି ଥିବାବେଳେ ଏବେ ମାଫିଆଙ୍କ ନଜର ପଡ଼ିଛି ସୁଙ୍କି ପଞ୍ଚାୟତ ଉପରେ। ଗତ ୧୫ ଦିନରେ ଆନ୍ଧ୍ର ସୀମାନ୍ତ ଉକ୍ତ ପଞ୍ଚାୟତର ପେଦାପାଡୁ ଗାଁରେ ଖୋଳାଖୋଳି କରି ପ୍ରାୟ ୮୫ ରତ୍ନପଥର ନେଇଯାଇଥିବାବେଳେ ତାକୁ ୨୨ ଲକ୍ଷ ଟଙ୍କାରେ ବିକ୍ରି କରିବା ଘଟଣା ଜଣାପଡିବା ପରେ ସଂଘାତିକ ସ୍ଥିତି ଦେଖାଦେଇଛି। ଖାଲି ପେଦାପାଡୁ ନୁହେଁ ନିକଟବର୍ତ୍ତୀ ଜାମୁଗୁଡା ଓ ଗଞ୍ଜେଇପାଡୁ ଗାଁରେ ରତ୍ନ ପଥର ଖୋଳାକୁ ନେଇ ମାଫିଆ, ପୁଲିସ ଓ ପ୍ରଶାସନ ଭିତରେ ଛକାପଞ୍ଝା ଲାଗିଛି। ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଅଘଟଣକୁ ପ୍ରଶାସନ ଅପେକ୍ଷା କରିଛି କି ବୋଲି ଜାଣିବା ଶୁଣିବା ମହଲରେ ପ୍ରଶ୍ନ ଉଠିଛି।

ଉକ୍ତ ୩ ଗାଁରେ ଜଙ୍ଗଲ ବିଭାଗ ଓ ରାଜସ୍ବ ବିଭାଗର ଅନେକ ଜାଗା ରହିଛି। ଏଣେ ଏହି ଅଞ୍ଚଳ ଦେଇ ବହି ଯାଇଥିବା ଏକ ନଦୀ। ଉକ୍ତ ନଦୀ ଅବବାହିକାରେ ଫସଲ ହେଉଥିବାବେଳେ ପାହାଡିଆ ଅଞ୍ଚଳଗୁଡିକ ଖୋଲା ପଡ଼ିଛି। ୧୫ ଦିନ ତଳେ ସେଠାରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରେ ମାଟି ଧୋଇ ହୋଇଯାଇଥିବାବେଳେ ସୁନା ଭଳି କିଛି ପଥର ଦିଶିଥିଲା। ଗାଁର ଜଣେ ଦୁଇ ଜଣ ଏହି ପଥର ପାଇବା ପରେ ଗାଁର କିଛି ଲୋକଙ୍କୁ ଜଣାଇଥିଲେ । ଏହା ପରେ ଆରକୁ ଓ ଏହାର ଆଖପାଖରେ ଥିବା ତେଲଗୁ ଭାଷୀ ମାଫିଆ ପହଞ୍ଚିଥିଲେ। ସମୁଦାୟ ୫ ମାଫିଆ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣ ତେଲୁଗୁ ଓ ୨ଜଣ ଓଡ଼ିଆ ଭାଷାରେ କଥା ହେଉଥିଲେ। ସେଠାକାର ଆଦିବାସୀ ଲୋକଙ୍କୁ ଲଗାଇ ସରକାରଙ୍କ ଅଧୀନରେ ଥିବା ପାହାଡିଆ ଅଞ୍ଚଳକୁ ଖୋଳି ଚାଲିଥିଲେ। ନଦୀ ଅବବାହିକା ବି ବାଦ ପଡିନଥିଲା।

୧୫ ଦିନ ଖୋଳିବା ପରେ ସେଠାରୁ ୮୫ ରତ୍ନପଥର ମିଳିଥିଲା। ତେବେ ମାଫିଆଙ୍କ ଏଭଳି କାର୍ଯ୍ୟକୁ ନେଇ ଗାଁରେ ରହିଥିବା ଅଧିବାସୀଙ୍କ ମଧ୍ୟରେ ରତ୍ନପଥର ଆଶାରେ ନିଜେ ନିଜେ ଖୋଳିବାକୁ ତୀବ୍ର ପ୍ରତିଯୋଗିତା ଚାଲିଥିଲା। ଆଇନଶୃଙ୍ଖଳା ସୃଷ୍ଟି ହେବା ଆଶଙ୍କାରେ କଥା ପ୍ରଶାସନ ପାଖରେ ପହଞ୍ଚିଥିଲା। ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳ ଅନୁଧ୍ୟାନ କରାଯାଇ  ନଖୋଳିବାକୁ ତାଗିଦ କରାଯାଇଥିଲା। ବାସ୍‌! ସେଇଠୁ ଆରମ୍ଭ ହୋଇଯାଇଥିଲା ଛକାପଞ୍ଝା ପରିସ୍ଥିତି। ପଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ଆରଆଇଙ୍କୁ ପଠାଇ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଘଟଣା ସତ୍ୟ ହୋଇଥିବାରୁ ଆଗାମୀ ଦିନରେ ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ତହସିଲଦାର ଶ୍ରୀ ମଣ୍ଡଳ କହିଛନ୍ତି।

କିନ୍ତୁ ପୂର୍ବରୁ ଯେଉଁ ମାଫିଆମାନେ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏଣେ ରତ୍ନପଥର ଆଶାରେ ପ୍ରଶାସନିକ ତାଗିଦକୁ ଲୋକେ ଶୁଣୁନଥିବା ଦେଖାଯାଇଛି। ତେଣୁ ଏହି ଛକାପଞ୍ଝା ପରିସ୍ଥିତି ଅଞ୍ଚଳରେ ସାଂଘାତିକ ସ୍ଥିତି ସୃଷ୍ଟି କରିବା ସମ୍ଭାବନା ରହିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ହେବ ବୋଲି କହି ପ୍ରଶାସନ ଚୁପ ହେଇଯିବା ଅର୍ଥାତ ଅଘଟଣକୁ ଅପେକ୍ଷା କରିଥିବା ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠୁଛି। ତେଣୁ ବେଳ ଥାଉ ଥାଉ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଉକ୍ତ ଅଞ୍ଚଳକୁ ନେଇ ଆଉ ଏକ ବିବାଦ ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe