ହଜିଗଲେଣି ଗେଣ୍ଡାଳିଆ

ହଜିଗଲେଣି ଗେଣ୍ଡାଳିଆ

Update Odisha

କାଳିଆପାଣି : ପାହାଡ଼ପର୍ବତ ଓ ବଣଜଙ୍ଗଲ ଘେରା ସୁକିନ୍ଦା କ୍ରୋମ୍‌ ଉପତ୍ୟକାରୁ ହଜିଗଲେଣି ଗେଣ୍ଡାଳିଆ। ଗେଣ୍ଡାଳିଆକୁ କୃଷକ ସମାଜର ବନ୍ଧୁ ଭାବେ ଗଣାଯାଏ। ଧାନତଳି ରୁଆପୋତା କିମ୍ବା ଧାନଚାଷ ବେଉଷଣ ପରେପରେ କ୍ଷେତରେ ଗେଣ୍ଡା ସଂଖ୍ୟା ବୃଦ୍ଧି ଚାଷୀକୁଳ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଗେଣ୍ଡା ସବୁ ଧାନଗଛକୁ କାଟି ପକାଇବା ସହ କଅଁଳ ପତ୍ରକୁ ଖାଇ ବ୍ୟାପକ କ୍ଷତି କରିଥାନ୍ତି। ଏହି ଗେଣ୍ଡାକୁ ଖୋଜିଖୋଜି ଖାଇଥାନ୍ତି ଗେଣ୍ଡାଳିଆ। ଏହାବାଦ୍ ଜମିରେ ଦେଖା ଯାଉଥିବା ବିଭିନ୍ନ ପ୍ରଜାତିର ପୋକଜୋକକୁ ଗେଣ୍ଡାଳିଆ ନିପାତ କରିଥ‌ାଏ। ନବେ ଦଶକରେ ଖଣିଅଞ୍ଚଳରେ ହଜାରହଜାର ସଂଖ୍ୟରେ ଗେଣ୍ଡାଳିଆ ଦେଖା ଯାଉଥିଲେ।

କାଳିଆପାଣି ୟୁନିଅନ୍ ଅଫିସ ପଛପଟ ଡମଶାଳ ନାଳ କୂଳରେ ଥିବା ୨ଟି ଆମ୍ବଗଛରେ ଶହଶହ ସଂଖ୍ୟାରେ ଗେଣ୍ଡାଳିଆ ବାସ କରୁଥିଲେ ବୋଲି କହନ୍ତି ପୁରୁଖା ଶ୍ରମିକ ସଂଗଠକ ବାମ୍ବିଲୋ ଗାଁର ହାଡ଼ିବନ୍ଧୁ ନାୟକ। ବାମ୍ବିଲୋ ଗାଁ ମୁଣ୍ଡ (ଢେଙ୍କାନାଳ ଜିଲ୍ଲା ସୀମାକୁ ଲମ୍ବିଥିବା ସଡ଼କ)ରେ ଥିବା ଏକ ବରଗଛରେ ଏକଦା ଶହଶହ ସଂଖ୍ୟାରେ ଦଳଦଳ ହୋଇ ଗେଣ୍ଡାଳିଆ ରହୁଥିଲେ ବୋଲି ସେ କହନ୍ତି। ଧୀରେଧୀରେ ଗେଣ୍ଡାଳିଆ ବଂଶ ଲୋପ ପାଇବାରେ ଲାଗିଲା ବୋଲି କହନ୍ତି ଚିଙ୍ଗୁଡ଼ିପାଳ ବେଣାଗାଡ଼ିଆ ଗାଁର ଅବସରପ୍ରାପ୍ତ ଶିକ୍ଷକ ନୀଳକଣ୍ଠ ମହାନ୍ତ। ସମାନ କଥା କହନ୍ତି ଟମକା ଥାନା ‌ଦେଉଳକଣ ପଞ୍ଚାୟତର ବରିଷ୍ଠ ନାଗରିକ ପବିତ୍ର ମୋହନ ମହାପାତ୍ର।
୫ ରୁ ୧୦ ବର୍ଷ ପୂର୍ବରୁ ଡଙ୍କାରିସାହିର ଏକ ତେନ୍ତୁଳି ଗଛରେ ଶହଶହ ଗେଣ୍ଡାଳିଆ ବସା କରି ରହୁଥିଲେ। ଏବେ ଏହି ପକ୍ଷୀବଂଶକୁ ଆଉ ଦେଖିବାକୁ ମିଳୁନି ବୋଲି ସେ କହନ୍ତି।

publive-image Shutterstock

ଗତ ଜାନୁଆରି ମାସ ବନ ବିଭାଗ ସୁକିନ୍ଦା ଓ ଟମକା ରେଞ୍ଜ ଅଧୀନ ରାଁସୋଳ ଓ କଅଁସ ସେକ୍ସନ ପକ୍ଷରୁ ପକ୍ଷୀଗଣନା ସମୟରେ କ୍ରୋମ୍‌ ଉପତ୍ୟକାରୁ ଗେଣ୍ଡାଳିଆ ବଂଶ ସଂପୂର୍ଣ୍ଣ ଲୋପ ପାଇଥିବା ଜଣାପଡ଼ିଥିଲା। ଦିନକୁ ଦିନ ଖଣିଅଞ୍ଚଳରେ ଜଳାଶୟ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇବା ଗେଣ୍ଡାଳିଆ ବଂଶ ପାଇଁ ବିପଦର କାରଣ ହୋଇଛି। ଏଥିସହ ଦିନକୁ ଦିନ ଧାନକ୍ଷେତର କ୍ଷେତ୍ରଫଳ କମିବା, ପାରମ୍ପରିକ ଜୈବିକ ପ୍ରଣାଳୀ‌ରେ ଚାଷ ନହେବା, ଜମିରେ ପ୍ରଚୁର ପରିମାଣର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଗେଣ୍ଡାଳିଆ ବଂଶ ହ୍ରାସର କାରଣ ବୋଲି ଗଣାଯାଉଛି।

ସେହିପରି ଖଣିଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ବହୁଳ ସମାଜରେ ପାରମ୍ପରିକ ଅଖଣ୍ଡ ଶିକାର ପକ୍ଷୀକୁଳ ପାଇଁ ଘାତକ ସାବ୍ୟସ୍ତ ହୋଇଆସିଛି। ଅଧିକାଂଶ ଗାଁରେ ଶିଶୁ ଓ ବାଳକ ଦଳଦଳ ହୋଇ ଧନୁତୀର କିମ୍ବା ବାଟୁଳି ଧରି ଶିକାର କରୁଥିବା ଦେଖିବାକୁ ମିଳିଥାଏ। ଏହାବାଦ୍‌ ଖଣିରେ ବ୍ୟବହୃତ ବିଭିନ୍ନ ଭାରୀଯାନ ଓ ଶହଶହ ଟ୍ରକ୍‌ର ଶବ୍ଦ ପକ୍ଷୀକୁଳ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥାଏ। ବନ୍ୟଜନ୍ତୁ ଓ ପକ୍ଷୀକୁଳର ସଂରକ୍ଷଣ ଓ ବଂଶବୃଦ୍ଧି ଦିଗରେ ସ୍ଥାନୀୟ ଇଲାକାରେ ଜନ ସଚେତନତା କାର୍ଯ୍ୟକ୍ରମ ନଗଣ୍ୟ ବୋଲି କୁହାଯାଇପାରେ। ଯାହାକି ପରିବେଶ ସନ୍ତୁଳନ ଦିଗରେ ପ୍ରତିବନ୍ଧକ ହୋଇରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe