New Indian Express
ଭୁବନେଶ୍ବର : ଅଗଷ୍ଟ ୧ ତାରିଖଠାରୁ ରାଜ୍ୟରେ କୋଭିଡ୍ ନିୟମାବଳୀରେ ସିନେମା ହଲ୍କୁ ୫୦ ପ୍ରତିଶତ ଦର୍ଶକ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଉ। ଦିଲ୍ଲୀ, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ସରକାର ସିନେମା ହଲ୍ ଖୋଲିବାକୁ ଅନମୁତି ଦେଇଛନ୍ତି। ତେଣୁ ଓଡ଼ିଶା ସରକାର ମଧ୍ୟ ଓଡ଼ିଶାର ସିନେମା ହଲ୍ ଖୋଲିବା ଲାଗି ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିଦେବନ କରିଛି ଓଡ଼ିଶା ସିନେମା ହଲ୍ ମାଲିକ ସଂଘ।
ସଂଘର ପକ୍ଷରୁ କୁହାଯାଇଛି ଯେ ଗତବର୍ଷଠାରୁ କରୋନା ପାଇଁ ସିନେମା ହଲ୍ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହା ସାଙ୍ଗକୁ ଦ୍ବିତୀୟ ଲହର ସିନେମା ହଲ୍ର ରାଜସ୍ବକୁ ସଂପୂର୍ଣ୍ଣ ଉଜାଡ଼ି ଦେଇଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ଠାରୁ ଆରମ୍ଭ କରି କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚକୁ ପରିଚାଳନା କରିବା କଷ୍ଟକର ହୋଇପଡ଼ିଲାଣି। ଏପରିକି ଗତବର୍ଷ ଏପ୍ରିଲ ପରଠାରୁ ହଜାରରୁ ଅଧିକ ସିନେମା ହଲ କର୍ମଚାରୀ ଦରମା ପାଉନାହାନ୍ତି। ଦ୍ବିତୀୟ ଲହର ଆରମ୍ଭ ହେବା ପୂର୍ବରୁ ଜାନୁଆରିରୁ ଏପ୍ରିଲ ପର୍ଯ୍ୟନ୍ତ ସିନେମା ହଲ୍ କୋଭିଡ ନିୟମାବଳିରେ ଖୋଲିଥିଲା। ସିନେମା ଦେଖିବାକୁ ଆସୁଥିବା ଦର୍ଶକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ମାସ୍କ ଓ ସାନିଟାଇଜିଂ କରାଯାଇଥିଲା। ଏପରିକି ପ୍ରତ୍ୟେକ ସୋ’ ପରେ ହଲ୍କୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଉଥିଲା। ତେଣୁ ସମାନ ଢଙ୍ଗରେ ଆସନ୍ତା ୧ ତାରିଖରୁ ସିନେମା ହଲ୍କୁ ଖୋଲିବା ଲାଗି ଅନୁମତି ଦିଆଯାଉ। ସିନେମା ହଲ୍ଗୁଡ଼ିକ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିବା କାରଣରୁ ବିଦ୍ୟୁତ୍ ଓ ଜିଏସ୍ଟି ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଛାଡ଼ କରିବା ଲାଗି ସଂଘର ସଭାପତି ବି.କେ ମହାନ୍ତି ନିବେଦନ କରିଛନ୍ତି।
Follow Us