ଶାନ୍ତିର ବାର୍ତ୍ତା ବାଣ୍ଟୁଛନ୍ତି ଘାସିରାମ: ଶିକ୍ଷକରୁ ମାଓବାଦୀ, ଏବେ ସମାଜସେବୀ

Advertisment
ଶାନ୍ତିର ବାର୍ତ୍ତା ବାଣ୍ଟୁଛନ୍ତି ଘାସିରାମ: ଶିକ୍ଷକରୁ ମାଓବାଦୀ, ଏବେ ସମାଜସେବୀ

ରାୟଗଡ଼ା: ହିଂସା ନୁହେଁ, ଶାନ୍ତି ଦ୍ବାରା ବିକାଶ ହୁଏ। ଏହି ଉକ୍ତିକୁ ଆଦର୍ଶ କରି ଦୁର୍ଦ୍ଦାନ୍ତ ମାଓ ନେତାରୁ ସମାଜସେବୀ ପାଲଟିଛନ୍ତି ଘାସିରାମ ମାଝି। ଆତ୍ମସମର୍ପଣ ପରେ ଏବେ ଲୋକଙ୍କ ସେବା କରୁଛନ୍ତି।
ଦିନ ଥିଲା ଘାସିରାମଙ୍କ ନାଁ ଶୁଣିଲେ ରାୟଗଡା, ଗଜପତି ଏବଂ ଆନ୍ଧ୍ରର ସୀମାନ୍ତ ଗାଁରେ ଭୟ ସୃଷ୍ଟି ହେଉଥିଲା। ଘାସିରାମଙ୍କ ନେତୃତ୍ବରେ ବଂଶଧାରା ଓ ଘୁମୁସରା ଡିଭିଜନ ଗଢି ଉଠିଥିଲା। ବଂଶଧାରା ଡିଭିଜନ୍‌ କମାଣ୍ଡର ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସଂଗଠନ ତାଙ୍କୁ ଦେଇଥିଲା। ଘାସିରାମଙ୍କ ବାଲ୍ୟଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିଲା। ମାଟ୍ରିକ୍‌ ଉତ୍ତୀର୍ଣ୍ଣ ପରେ ଯୁକ୍ତ୨ ପଢ଼ିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। କୌଣସି ପ୍ରକାର ପାଠ ଶେଷ କରି କିଛି ବ୍ୟକ୍ତିଙ୍କ ପରାମର୍ଶରେ ଶିକ୍ଷକତା ଜୀବନ କରିଥିଲେ ହେଁ ବାମପନ୍ଥୀ ଚିନ୍ତାଧାରାରୁ ଦୂରେଇ ପାରି ନଥିଲେ। ପ୍ରଥମେ ଇଜିଏସ୍‌ ଶିକ୍ଷକଙ୍କ ପାଇଁ ଲଢ଼େଇ କରିଥିଲେ। ପରେ ଜମି ଆନ୍ଦୋଳନରେ ସାମିଲ ହୋଇଥିଲେ। ଯାହା ତାଙ୍କ ଜୀବନର ମୋଡ଼ ବଦଳାଇଥିଲା ଏବଂ ମାଓବାଦୀ ବନି ଯାଇଥିଲେ। ୧୯୯୯ରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସି ସଂଗଠନରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିଲେ।

ଶିକ୍ଷିତ ଆଦିବାସୀ ନେତା ହୋଇଥିବାରୁ ତାଙ୍କ ନେତୃତ୍ବରେ ବଂଶଧାରା ଡିଭିଜନ ଆରମ୍ଭ ହୋଇଥିଲା। ନୟାଗଡ଼ ଅସ୍ତ୍ରାଗାର ଲୁଟ୍‌, ଯଯାତି ସାହୁ ହତ୍ୟା, ଲକ୍ଷ୍ମଣାନନ୍ଦଙ୍କ ହତ୍ୟା, ନାରାୟଣପାଟଣାରେ ହତ୍ୟା ଭଳି ବଡ ଘଟଣାରେ ସାମିଲ ଥିଲେ। ୨୦୦୨ ମସିହାରେ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟି ଦାୟିତ୍ବ ନେଇଥିଲେ। ଜଙ୍ଗଲରେ ପ୍ରାୟ ୧୨ବର୍ଷ ରହି ଲୋକଙ୍କ ପାଇଁ ଲଢେଇ କରିବା ପରେ ଆନ୍ଦୋଳନର ଗତି ଅନ୍ୟ ଆଡ଼କୁ ଯାଉଥିବା ଅନୁଭବ କରିଥିଲେ। ଉପରୋକ୍ତ ହତ୍ୟାକାଣ୍ଡ ରାଜନୈତିକ ଥିଲା ଓ ଏହାକୁ ସେ ବିରୋଧ କରୁଥିଲେ ବୋଲି କୁହନ୍ତି। ଗୁଣ୍ଡାଗୁଡି ଜଙ୍ଗଲରେ ପୁଲିସ ଏନ୍‌କାଉଣ୍ଟରରେ ବହୁ ସାଥୀଙ୍କୁ ହରାଇବା ପୀଡ଼ାଦାୟକ ଥିଲା। ତେଣୁ ସଂଗଠନରୁ ନିଜକୁ ଦୂରେଇ ୨୦୦୯ ମସିହାରେ ଆତ୍ମସମର୍ପଣ କରିଥିଲେ। ପ୍ରାୟ ୧୦୦ ମିଲିସିଆ, ଆଗଧାଡିର ନକ୍ସଲ ଓ ୮ଜଣ କ୍ୟାଡର ନକ୍ସଲଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାରେ ବଡ଼ ଭୂମିକା ନିଭାଇଥିଲେ। ଏପରିକି ନିଜ ଭାଇ ପ୍ରଦୀପଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ କହିଥିଲେ। ତେବେ ପୁଲିସ ଏନ୍‌କାଉଣ୍ଟରରେ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା।
କିସ୍‌ ସଂଗଠନ ଆଦିବାସୀ ପିଲାଙ୍କୁ ମାଗଣାରେ ପ୍ରଥମରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ଦେବା ପରେ ରାୟଗଡା ଜିଲ୍ଲାରୁ ଜଣେ ହେଲେ ସଂଗଠନରେ ମିଶିବାକୁ ଆଗ୍ରହ ଦେଖାଇ ନଥିଲେ ବୋଲି ଘାସିରାମ କୁହନ୍ତି। ଘାସିରାମ ସଂଗଠନ ଛାଡିବା ପରେ ବଂଶଧାରା ଏବଂ ଘୁମୁସରା ଡିଭିଜନ ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ରାୟଗଡ଼ା ଜିଲ୍ଲାରେ ନକ୍ସଲଙ୍କ ଗତିବିଧି ବହୁ ମାତ୍ରାରେ କମିଥିବା ବେଳେ ନିୟମଗିରି ଅଞ୍ଚଳରେ କିଛି ମିଲିସିଆ ଲୋକଙ୍କୁ ଭୟଭୀତ କରୁଥିବା ଜଣାପଡିଛି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ସରକାର ଦେଉଥିବା ପ୍ରତିଶ୍ରୁତି ପାଳନ କରିବାକୁ ଘାସିରାମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe