ଘସିପୁରା ବିଜେପି ରାଜନୀତି: ପ୍ରାର୍ଥୀ ବଦଳୁଛନ୍ତି ପ୍ରତିଥର, ଏଥର ପ୍ରତିଦ୍ବନ୍ଦ୍ବିତା କରିବେ କିଏ?

ମଞ୍ଚ ବନ୍ଧା ହେଲାଣି, ନେତା ବଛା ହୋଇନାହାନ୍ତି: ଜନତା ମଇଦାନରେ ଶପଥ ‌ନେବେ ମୁଖ୍ୟମନ୍ତ୍ରୀ

The Hans India

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରତିଥର ପ୍ରାର୍ଥୀ ବଦଳାଉଛି। ପୂର୍ବରୁ ରାମଚନ୍ଦ୍ରପୁର ଓ ବର୍ତ୍ତମାନର ଘସିପୁରା ନିର୍ବାଚନମଣ୍ଡଳୀରେ ୧୯୯୦ରୁ ଏଯାବତ ୬ଟି ନିର୍ବାଚନରେ ବିଜେପି ୬ଜଣକୁ ପ୍ରାର୍ଥୀ କରିସାରିଲାଣି। ଏହି ଧାରା ଜରି ରହିଲେ ଏଥର ପୁଣି ବିଜେପିର ନୂଆ ମୁହଁ କିଏ ବୋଲି ଚର୍ଚ୍ଚା ହେଉଛି। ଘସିପୁରା ନିର୍ବାଚନମଣ୍ଡଳୀରେ ଅଧିକାଂଶ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହୁଛି। ଏହି କାରଣରୁ ବିଜେପି ଏଠାରେ ପରୀକ୍ଷାନିରୀକ୍ଷା କରି ପ୍ରାର୍ଥୀ ବଦଳାଉଛି। ଇତିହାସକୁ ଦେଖିଲେ ୧୯୯୦ ନିର୍ବାଚନରେ ଏଠାରେ ଭଗବାନ ସାହୁ ପ୍ରାର୍ଥୀ ହୋଇଥିବା ବେଳେ ୧୯୯୫ରେ କ୍ଷୀରୋଦ ସ୍ବାଇଁ, ୨୦୦୦ରେ ଅକ୍ଷୟ ମିଶ୍ର, ୨୦୦୪ରେ ଦେବେନ୍ଦ୍ରେ ଜେନା, ୨୦୦୯ରେ ସନ୍ତୋଷ ରାଉତ, ୨୦୧୪ରେ ସତ୍ୟବ୍ରତ ପଣ୍ଡା ଓ ୨୦୧୯ରେ ପୃଥ୍ବୀରାଜ କୁଅଁର ପ୍ରାର୍ଥୀ ହୋଇଥିଲେ। ଶ୍ରୀ କୁଅଁର ଏଥର ପୁଣି ପ୍ରାର୍ଥୀ ହେବାପାଇଁ ଆଶା ରଖି ଜନସଂପର୍କ ପଦଯାତ୍ରା କରି ଭୋଟରଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ ଚଳାଇଛନ୍ତି। ତେବେ, ଏଥର ମଧ୍ୟ ଦଳ ନୂଆ ମୁହଁକୁ ବିଧାୟକ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏକାଧିକ ଆଶାୟୀ ସଭାସମିତି କରିବା ସହ ପୋଷ୍ଟର, ବ୍ୟାନର ଲଗାଇଛନ୍ତି। ପଦଯାତ୍ରଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି।

ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ଯଜ୍ଞପ୍ରସାଦ ସାହୁ ପ୍ରାର୍ଥୀ ହେବା ଆଶାରେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସଭାସମିତି ସାଙ୍ଗକୁ ପଦଯାତ୍ରା କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ସେ ସାମିଲ ହୋଇ କର୍ମୀଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିର୍ବାଚନମଣ୍ଡଳୀର ବିଭିନ୍ନ ଛକ ଓ ରାସ୍ତାକଡ଼ରେ ହୋର୍ଡିଂ ମାରି ସେ ନିଜର ଅଭିଳାଷ ସ୍ପଷ୍ଟ କରିସାରିଛନ୍ତି। ସେହିପରି ଅନ୍ୟତମ ଦାବିଦାର ‌ହେଉଛନ୍ତି, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାପତି ମମତା ସିଂ। ଉଭୟ ବିଜେଡି ଓ ବିଜେପି ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଉଥିବାରୁ ମମତାଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ସେ ମଧ୍ୟ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଦଳୀୟ କର୍ମୀଙ୍କ ସହ ଯୋଡ଼ି ହେଉଛନ୍ତି। ଦଳୀୟ ଟିକେଟ ପାଇବା‌ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଦଳର ବରିଷ୍ଠ ନେତା ଡ. ଶମ୍ଭୁନାଥ ରାଉତ ମଧ୍ୟ ଅନ୍ୟତମ ଦାବିଦାର ଅଛନ୍ତି। ସେ ଚାକିରିରୁ ଅବସର ପରେ ବିଜେପିରେ ସାମିଲ ହୋଇ ଦଳର ବୁଦ୍ଧିଜୀବୀ ସେଲ୍‌ ମୁଖ୍ୟ ଅଛନ୍ତି। ସେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜର ପତିଆରା ବଢ଼ାଉଛନ୍ତି। ବିଜେପିର ଆଭ୍ୟନ୍ତରୀଣ ମହଲରୁ ମିଳୁଥିବା ସୂଚନାକୁ ଯଦି ବିଶ୍ବାସ କରାଯାଏ, ତେବେ ଦଳର ଏଥର ଏକ ଯୁବ ଚେହେରାକୁ ପ୍ରାର୍ଥୀ କରି ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ସଂଗଠନ ସଜାଡ଼ିବାକୁ ରଣକୌଶଳ ପ୍ରସ୍ତୁତ କରୁଛି। ଦଳର ରଣନୀତିକାରଙ୍କ କହିବା ହେଲା, ଏହି ଆସନରେ ବିଜେପିର ବିଜୟ ସମ୍ଭାବନା କ୍ଷୀଣ। ଆଗାମୀଦିନରେ ଦଳୀୟ ସଂଗଠନକୁ ମଜବୁତ୍‌ କରିବାପାଇଁ ଚଳିତ ନିର୍ବାଚନରେ ଯୁବ ପ୍ରାର୍ଥୀଙ୍କୁ ସୁଯୋଗ ଦେଲେ ପରବର୍ତ୍ତୀ ସମୟରେ ବିଜେପିକୁ ଫାଇଦା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe