ଘସିପୁରା ନିର୍ବାଚନମଣ୍ଡଳୀ ଅଶାନ୍ତ: ତଣ୍ଡିବେଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା, ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ୫ ଆହତ

Advertisment

ଡାକ୍ତରଖାନା ପରିସର ପାଲଟିଲା ରଣକ୍ଷେତ୍ର

ଡାକ୍ତରଖାନା ପରିସର ପାଲଟିଲା ରଣକ୍ଷେତ୍ର

ଘସିପୁରା ନିର୍ବାଚନମଣ୍ଡଳୀ ଅଶାନ୍ତ: ତଣ୍ଡିବେଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା, ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ୫ ଆହତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତଣ୍ଡିବେଡ଼ା ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗ୍ରାମର ତିନିଜଣଙ୍କୁ ବି‌ଜେଡି କର୍ମୀ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କୁ ଆଜି ସନ୍ଧ୍ୟାରେ ଘଟଗାଁ ଡାକ୍ତରଖାନା ଅଣାଯାଇଥିବା ବେଳେ ସେଠାରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ଜଣ ଆହତ ହୋଇଥିବାବେଳେ ଡାକ୍ତରଖାନା ପରିସର ରଣକ୍ଷେତ୍ର ପାଲଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ତଣ୍ଡିବେଡ଼ା ଗ୍ରାମରେ ଆଜି ସକାଳେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ନିର୍ବାଚନକୁ କେନ୍ଦ୍ରକରି କଥା କଟାକଟି ହୋଇଥିଲା। ଅପରାହ୍‌ଣରେ ତଣ୍ଡିବେଡ଼ା ଗ୍ରାମର ବିଭୂତି ଭୂଷଣ ମହାକୁଡ଼, ବାପା ବିରଞ୍ଚି ମହାକୁଡ଼ ଓ ଖଣ୍ଟଘରର ରଞ୍ଜନ କୁମାର ନାୟକ ‌ଢେଙ୍କିକୋଟ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୮/୧୦ଜଣ ବିଜେଡି କର୍ମୀ ମହୁଲଗାଡ଼ିଆ ହୁଡ଼ି ନିକଟରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଲୁହାରଡ, ଠେଙ୍ଗାରେ ମାଡ଼ମାରି ତିନିଜଣଙ୍କୁ ଲହୁଲୁହାଣ କରିଥିଲେ।

ଏ ସମ୍ପର୍କରେ ଜାଣିବା ପରେ ଢେଙ୍କିକୋଟର ବିଜେପି କାର୍ଯ୍ୟକର୍ତ୍ତମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।
ଅନ୍ୟପକ୍ଷରେ ବିଧାୟକ ବଦ୍ରିନାରାୟଣ ପାତ୍ର ଘଟଗାଁ ଡାକବଙ୍ଗଳାରେ ଉପସ୍ଥିତ ରହି ସମ୍ପୃକ୍ତ ଅଞ୍ଚଳର ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରୁଥିଲେ। ହଠାତ୍‌ ସେଠାରୁ ବିଜେଡି ସମର୍ଥକମାନେ ଘଟଗାଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗାଳିଗୁଲଜ କରିବା ସହ ପୁଲିସ ଉପସ୍ଥିତିରେ ଆକ୍ରମଣ କରିଥିଲେ।

ଏଥିରେ ବିଜେପିର ପ୍ରଦୀପ ନାୟକ ଓ ରୁଦ୍ରପ୍ରସାଦ ବେହେରା ଆହତ ହୋଇଛନ୍ତି। ଉଭୟପକ୍ଷ ମଧ୍ୟରେ ଖଣ୍ଡଯୁଦ୍ଧ ଯୋଗୁଁ ଡାକ୍ତରଖାନା ପରିସର ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଉଭୟ ଗୋଷ୍ଠୀଙ୍କୁ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଏନେଇ ବିଜେପି ପକ୍ଷରୁ ଘଟଗାଁ ଥାନାରେ ଇମ୍ରାନ୍‌ ଖାନ୍‌, ଶ୍ରୀକାନ୍ତ ସାହୁ, ଅଭିଷେକ ପଣ୍ଡା, ରାଜେଶ ପୃଷ୍ଟି, ମନୋରଞ୍ଜନ ସାହୁ, ବାପୁନ ବେହେରା, କୁନ୍ଦନ ସାହୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ବ ବିଜେଡି କର୍ମୀଙ୍କ ବିରୋଧରେ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଯାଏ କାହାରିକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି। ଏନେଇ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe