ବ୍ରହ୍ମପୁର/ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରୀ ଓ ବତାଗଡ଼ ଗ୍ରାମ ଶୋକରେ ବୁଡ଼ିଯାଇଛି। ଗତକାଲି ବିଳମ୍ବିତ ରାତିରେ ଘଟଗାଁ ସଡ଼କ ଦୁର୍ଘଟଣାର ମୃତକଙ୍କ ଶବ ଗାଁରେ ପହଞ୍ଚିଥିଲା। କାନ୍ଦ ବୋବାଳିରେ ଉଭୟ ଗାଁ ଫାଟି ପଡ଼ିଥିଲା। ବତାଗଡ଼ ଗ୍ରାମର ତମ୍ବାଳ ଗୌଡ଼ ନିଜର ସ୍ବାମୀ, ପୁଅ, ନାତି, ଝିଅ ଏବଂ ଜ୍ବାଇଁକୁ ହରାଇ ପାଗଳୀ ଭଳି ହୋଇ ଯାଉଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବତାଗଡ଼ ଗ୍ରାମରେ ୩ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଗୋଟିଏ ଜୁଇରେ ବାପା ବାୟାଘନ ଗୌଡ଼ଙ୍କ ମରଶରୀର ଜଳିଥିବା ବେଳେ ଆଉ ଗୋଟିଏ ଜୁଇରେ ବାୟାଘନଙ୍କ ପୁଅ ମଦନ ଓ ୫ବର୍ଷର ନାତି ରୁଦ୍ରଙ୍କ ମର ଶରୀର ଦାହ ଯାଇଥିଲା। ସେହିପରି ବାୟାଘନଙ୍କ ଝିଅ ପାମିନି ଏବଂ ମଝିଆ ଜ୍ବାଇଁ ବାବୁଲା ଗୌଡ଼ଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ଗାଁରେ କରାଯାଇଥିଲା।
ସେହିପରି ପୋଡ଼ାମାରୀ ଗ୍ରାମର ଗଜେନ୍ଦ୍ର ପ୍ରଧାନଙ୍କ ପୁଅ ଆକାଶ ଓ ବୋହୂ ଲିଜାଙ୍କୁ ଗୋଟିଏ ଜୁଇରେ ଦାହ କରାଯାଇଥିଲା। ଗଜେନ୍ଦ୍ରଙ୍କ ପତ୍ନୀ ମିତା ପ୍ରଧାନଙ୍କୁ ଗୋଟିଏ ଜୁଇରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନ କୋହଭରା କଣ୍ଠରେ କହିଛନ୍ତି ଯେ, ଗତ ଜୁନ୍ ୨୫ ତାରିଖ ରାତିରେ ବ୍ରହ୍ମପୁରରୁ ବାହାଘର ସାରି ଆସିବା ବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟ ଭୟାନକ ବସ୍ ଦୁର୍ଘଟଣାରେ ପ୍ରଧାନ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ହୃଦୟ ବିଦାରକ ଘଟଣା ମାନସପଟରୁ ନଲିଭୁଣୁ ଆଜି ମୋର ଯାଆ, ପୁତୁରା ଓ ବୋହୂ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଆମ ପ୍ରଧାନ ପରିବାର ସହିତ ପୁଣି ଏକ ଦୁଃଖଦ ଘଟଣା ଘଟିଥିବାରୁ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ସେ କହିଛନ୍ତି। ଆଜି ପୂର୍ବତନ ବିଧାୟକା ନନ୍ଦିନୀ ଦେବୀ, ସାନଖେମୁଣ୍ଡି ବିଡିଓ ଜିତେନ୍ଦ୍ର ମିଶ୍ର, ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ସରପଞ୍ଚ ସନ୍ତୋଷ ବିଶୋଇ, କନିଷ୍ଠ ଯନ୍ତ୍ରୀ ମନୋଜ ବେହେରା ପ୍ରମୁଖ ମୃତକଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ସଡ଼କ ଦୁର୍ଘଟଣାରେ ବତାଗଡ଼ ଗ୍ରାମର ଗୌଡ଼ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ପୋଡ଼ାମାରୀ ଗ୍ରାମର ୩ଜଣଙ୍କ ମୃତ୍ୟୁ ଘଟିଥିଲା।
Follow Us