ଭୁବନେଶ୍ୱର/ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ପୂର୍ବରୁ ନୂଆପଡ଼ା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲେ ହେଁ ସେ ତାହାକୁ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ଯେ ଶ୍ରୀ ମାଝୀ ଗତ ୨୦୨୪ ସାଧାରଣ ନିର୍ବାଚନରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିଲେ। ଏହା ଏବେ ବି ଏସ୍ଡିଜେଏମ୍ କୋର୍ଟରେ ବିଚାରାଧୀନ ଅଛି। କିନ୍ତୁ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ସେ ଜାଣିଶୁଣି ଏହାକୁ ଉଲ୍ଲେଖ କରିନାହାନ୍ତି। ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୫-‘କ’ ଅନୁଯାୟୀ ଏହା ଧର୍ତ୍ତବ୍ୟ ଅପରାଧ। ତେଣୁ ତାଙ୍କ ନାମାଙ୍କନ ପତ୍ର ନାକଚ କରାଯାଉ। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା ଏବଂ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପିର ଅଭିଯୋଗ
ସତ୍ୟପାଠରେ କୌଣସି ଭୁଲ୍ ତଥ୍ୟ ଦେଇନାହିଁ: ଘାସିରାମ
ସେହିପରି ନୂଆପଡ଼ାରେ ଏହି ସମାନ ପ୍ରସଙ୍ଗରେ ବିଜେପିର ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନାତନ ଗଡ଼ତିଆ, ବିଜେପି ନେତା ପ୍ରିୟରଂଜନ ମେହେର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନବେଳେ ଦେଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କ ନାମରେ ମୋଟ୍ ୧୯ଟି ଅଆପରାଧିକ ମାମଲା ଅଛି। କିନ୍ତୁ ଏବେ ଉପନିର୍ବାଚନ ପାଇଁ ଦେଇଥିବା ସତ୍ୟପାଠରେ ସେ ୧୨ଟି ଆପରାଧିକ ମାମଲା ଥିବା ଦର୍ଶାଇ ଥିବାବେଳେ ୭ଟି ମାମଲା ସମ୍ପର୍କରେ କିଛି ଦର୍ଶାଇନାହାନ୍ତି। ଦୁଇଟି ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ସେନେଇ ବି କିଛି ଉଲ୍ଲେଖ କରିନାହାନ୍ତି। ଶ୍ରୀ ମାଝୀ ତଥ୍ୟ ଲୁଚାଇଥିବାରୁ ନାମାଙ୍କନପତ୍ର ନାକଚ କରାଯାଉ। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିଜେପିର ସ୍ଥିତି ଭଲ ନଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି। ସେଥିପାଇଁ ବିଭିନ୍ନ ଅମୂଳକ ଅଭିଯୋଗ ଆଣୁଛନ୍ତି। ସତ୍ୟପାଠରେ ମୁଁ କୌଣସି ଭୁଲ୍ ତଥ୍ୟ ଦେଇନାହିଁ।
Follow Us