ଭୁବନେଶ୍ବର : ଆଜି ଦିନିକିଆ ଗସ୍ତରେ ଭୁବନେଶ୍ବର ଆସି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ ପୁରୀ, କୋଣାର୍କ ଓ ଭୁବନେଶ୍ବରର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ୧୯୯୯ ମହାବାତ୍ୟା ଭଳି ଫନି ବ୍ୟାପକ ତାଣ୍ଡବଲୀଳା ଭିଆଇଛି। ଏଥିପାଇଁ ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହୋଇ ସରକାରଙ୍କ ଦୋଷତ୍ରୁଟି ଦେଖାଇବା ପରିବର୍ତେ ଏଭଳି ଘଡ଼ିସନ୍ଧି ମୁହୂର୍ତରେ ସହଯୋଗର ହାତ ବଢ଼ାଇବା ଉଚିତ ବୋଲି ସେ ମତ ଦେଇଛନ୍ତି। ତେବେ ଅଧିକାଂଶ ବାତ୍ୟା ପ୍ରଭାବିତ ଅଞ୍ଚଳର ଗରିବ ଲୋକମାନଙ୍କୁ ରିଲିଫ ସାମଗ୍ରୀ ମିଳୁନାହିଁ ବୋଲି ସେ ପ୍ରତ୍ୟକ୍ଷ କରିଛନ୍ତି। ଏଣୁ, ରାଜ୍ୟ ସରକାର ରିଲିଫ ବାବଦରେ ୫୦ କିଲୋ ଚାଉଳ, ୨ ହଜାର ଟଙ୍କା ଆଦି ତୁରନ୍ତ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।
ବାତ୍ୟାଞ୍ଚଳ ଗସ୍ତରୁ ଫେରିବା ପରେ କଂଗ୍ରେସ ଭବନରେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଆଜାଦ୍ କହିଲେ, ୧୯୯୯ ମହାବାତ୍ୟା ତୁଳନାରେ ଫନି ଜନିତ କ୍ଷୟକ୍ଷତି ଅଧିକ ମନେ ହେଉଛି। ଅଧିକାଂଶ ସ୍ଥାନରେ ଗଛ ଉପୁଡ଼ି ପରିବେଶ ପ୍ରତି ଘୋର ବିପଦ ଦେଖାଦେଇଛି। ପୁରୀକୁ ଯିବା ବେଳେ ହଜାରରୁ ଅଧିକ ଲୋକ ରାସ୍ତାରୋକୋ କରିଥିଲେ। ସେମାନଙ୍କୁ ରିଲିଫ ମିଳିନାହିଁ। ନାନା ଦୁଃଖ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଗରିବରୁ ଅତି ଗରିବ ବ୍ୟକ୍ତିମାନେ ବେସାହାରା ହୋଇପଡ଼ିଛନ୍ତି। କେଉଁଠି ଦିନେ ଦୁଇଦିନ ରିଲିଫ ମିଳିଛି। ପରେ ରିଲିଫ ଯୋଗାଣ ବନ୍ଦ ହୋଇଯାଇଛି ବୋଲି ସେ କହିଥିଲେ।
୧୯୯୯ ମହାବାତ୍ୟା ସମୟରେ ଗଣମାଧ୍ୟମର ଅଭାବ ଥିଲା। ଏଥର ଫନି ଆସିବ ବୋଲି ଗଣମାଧ୍ୟମ ଯଥେଷ୍ଟ ପୂର୍ବରୁ ସୂଚନା ଦେଇ ସଚେତନତା ସୃଷ୍ଟି କରିବାକୁ ସମର୍ଥ ହୋଇଛି ବୋଲି ଶ୍ରୀ ଆଜାଦ୍ ଦର୍ଶାଇଥିଲେ। ୨୪ ଘଣ୍ଟାରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବାରୁ ସେ ରାଜ୍ୟ ସରକାର ଅଭିନନ୍ଦନ ଜଣାଇଥିଲେ। ତେବେ ଏଥିମଧ୍ୟରୁ ପ୍ରାୟ ୧୦ ଲକ୍ଷ ଲୋକ ଗଣମାଧ୍ୟମର ବାରମ୍ବାର ସୂଚନା ଓ ସଚେତନତା ଯୋଗୁଁ ସ୍ଥାନାନ୍ତର ହୋଇଥିବା ଦର୍ଶାଇ ସେ ଉଭୟ ଛାପା ଓ ବିଦ୍ୟୁତ୍ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ।
Follow Us