ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ ଭିଜିଲାନସ୍ ଚଢ଼ଉ, ଲାଞ୍ଚ ନେଉଥିବାବେଳେ କନିଷ୍ଠ କିରାଣି ଗିରଫ

Advertisment
ଭଦ୍ରକ ଶ୍ରମ କାର୍ଯ୍ୟାଳୟରେ ଭିଜିଲାନସ୍ ଚଢ଼ଉ, ଲାଞ୍ଚ ନେଉଥିବାବେଳେ କନିଷ୍ଠ କିରାଣି ଗିରଫ

ଭଦ୍ରକ : ଲେବର ଲାଇସେନସ୍ ନବୀକରଣ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣି ସୁଧାକର ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଛି।

ବାଲେଶ୍ବର ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ଥାନା ବସନ୍ତିଆ ପଞ୍ଚାୟତସ୍ଥିତ ଭବାନୀ ସିକ୍ୟୁରିଟି ଏଜେନ୍‌ସି ପକ୍ଷରୁ ଲେବର ଲାଇସେନସ୍‌ର ନବୀକରଣ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଦାୟିତ୍ବରେ ଥିବା କନିଷ୍ଠ କିରାଣି ସୁଧାକର ବାରିକ ଏଥିପାଇଁ ସମୟ ଗଡ଼ାଇ ଚାଲିବାରୁ ସିକ୍ୟୁରିଟି ଏଜେନ୍ସିର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସ ଏହାର କାରଣ ଜାଣିବାକୁ ଚାହିଁଥି‌ଲେ। ତେବେ ଲାଇସେନ୍ ନବୀକରଣ ପାଇଁ ୯ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କନିଷ୍ଠ କିରାଣି ଶ୍ରୀ ବାରିକ କହିବା ପରେ ସିକ୍ୟୁରିଟି ଏଜେନ୍ସିର ମ୍ୟାନେଜିଂ ପାର୍ଟନର ଶ୍ରୀ ଦାସ ଏ ନେଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆଜି ମଧ୍ୟାହ୍ନ ୧୨ଟା ବେଳେ ଶ୍ରୀ ଦାସ ଶ୍ରମ କାର୍ଯ୍ୟାଳୟକୁ ଯାଇ କିରାଣି ଶ୍ରୀ ବାରିକଙ୍କୁ ଭିଜିଲାନ୍ସ ପ୍ରଦତ୍ତ କେମିକାଲ ବୋଳା ଟଙ୍କା ଦେଇଥିଲେ। ଏହି ସମୟରେ କାର୍ଯ୍ୟାଳୟ ନିକଟରେ ଜଗି ରହିଥିବା ଭିଜିଲାନ୍ସ ଡିଏସ୍‌ପି ଦକ୍ଷିଣୀ ଚନ୍ଦ୍ର ମର୍ମୁ, ଇନ୍‌ସପେକ୍ଟର ସୁଲୋଚନା ନାୟକ, ଇନ୍‌ସପେକ୍ଟର ଦୁଷ୍ମନ୍ତ କୁମାର ନାୟକ ଓ ଅନ୍ୟମାନେ ଅତର୍କିତ ଚଢଉ କରି କିରାଣି ଶ୍ରୀ ବାରିକଙ୍କୁ ଧରିଥିଲେ। ଯାଞ୍ଚ ବେଳେ ଶ୍ରୀ ବାରିକଙ୍କ ନିକଟରୁ କେମିକାଲ ବୋଳା ୯ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ କିରାଣି ଶ୍ରୀ ବାରିକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ବେଳେ କେସ୍ ନମ୍ବର ୨୭/୨୦ରେ ଏକ ମାମଲା ରୁଜୁ କରାଯାଇଛି।

ଭିଜିଲାନ୍ସ ଚଢଉ ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କୋକୁଆଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe