ଜିଲ୍ଲାପାଳଙ୍କୁ ବାପାମା’ ଛେଉଣ୍ଡ ଝିଅର ଗୁହାରି : ‘ମଦ ପିଇ ମୋ ବାପା ମଲେ, ମଦଭାଟି ବନ୍ଦ କରନ୍ତୁ ସାର୍’

Advertisment
ଜିଲ୍ଲାପାଳଙ୍କୁ ବାପାମା’ ଛେଉଣ୍ଡ ଝିଅର ଗୁହାରି : ‘ମଦ ପିଇ ମୋ ବାପା ମଲେ, ମଦଭାଟି ବନ୍ଦ କରନ୍ତୁ ସାର୍’

ସୁନ୍ଦରଗଡ଼ : ‘ମଦ ମୋତେ ଅନାଥିନୀ କରିଛି। ମଦ ପିଇ ମୋ ବାପାଙ୍କ ମୃତ୍ୟୁ ହେଲା। ବାପାଙ୍କୁ ଝୁରି ଝୁରି ମା’ ବି ମଶାଣିକୁ ଗଲା। ଏବେ ମୁଁ ଏକୁଟିଆ, ଅସହାୟା। ମୋତେ ବାପାମା’ ଛେଉଣ୍ଡ କରି ଦାଣ୍ଡରେ ଛାଡ଼ିଥିବା ମଦଭାଟିକୁ ତୁରନ୍ତ ବନ୍ଦ କରନ୍ତୁ ସାର୍। ମୋ ପରି ଆଉ କେହି ଛୁଆ ଏମିତି ଅନାଥ ନ ହୁଅନ୍ତୁ।’ ଏପରି ଆକୁଳ ଆବେଦନ ନେଇ ସୁନ୍ଦରଗଡ଼ ରାଣୀବଗିଚାର ଜଣେ ୧୨ ବର୍ଷର ଝିଅ ବର୍ଷା ପ୍ରିୟଦର୍ଶିନୀ ସୋରେଙ୍ଗ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। ପୂର୍ବରୁ ମଦ ବିରୋଧରେ ମହିଳା ସଂଘ ଓ ଯୁବ କ୍ଲବ୍‌ ସ୍ବର ଉତ୍ତୋଳନ କରି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ମଦ ଯୋଗୁଁ ଅନାଥିନୀ ହୋଇପଡ଼ିଥିବା କୁନି ଝିଅଟିଏ ଏବେ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଏପରି ଗୁହାରି କରିବା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ବର୍ଷାଙ୍କ ବାପା ରାଜେନ୍ଦ୍ର ସୋରେଙ୍ଗ ମଟର ଗ୍ୟାରେଜ୍‌ରେ ମିସ୍ତ୍ରି କାମ କରୁଥିଲେ। ମା’ ସୀମା ଥିଲେ ରଙ୍ଗ ଶ୍ରମିକ। ଘର ପାଖରେ ମଦଭାଟି ଥିବାରୁ ବାପା କାମରୁ ଫେରି ଭାଟିକୁ ପଶି ଯାଉଥିଲେ। ଦିନ ଯାକର ଯାହା ରୋଜଗାର ଥିଲା ତାକୁ ଭାଟିରେ ଦେଇ ନିଶାରେ ଚୁର୍ ହୋଇ ଘରକୁ ଫେରୁଥିଲେ ଓ ମା’ଙ୍କୁ ଟଙ୍କା ମାଗି ମାରପିଟ୍‌ କରୁଥିଲେ। ଏପରିକି କୁନି ଝିଅ ବର୍ଷାର କଅଁଳ ପିଠିରେ ବି ଅନେକ ସମୟରେ ଅକାରଣରେ ମାଡ଼ ପଡ଼ୁଥିଲା। ଖାଦ୍ୟ ପାଇଁ ଯୁଝୁଥିବା ପରିବାରରେ ମଦ ଏକ କଳାଛାଇ ପରି ମାଡ଼ି ଆସିଥିଲା। ଶେଷରେ ମଦ ପିଇପିଇ ବାପା ୨୦୧୭ରେ ଚାଲିଗଲେ ଆରପାରିକୁ। ବିଧବା ମା’ ଓ ଝିଅ ବର୍ଷା ବେସାହାରା ହୋଇଗଲେ। ଅଳ୍ପ ବୟସରେ ବୈଧବ୍ୟ ଦୁଃଖ ମା’ଙ୍କୁ ଏମିତି ମ୍ରିୟମାଣ କଲା ଯେ ବାପାଙ୍କୁ ଝୁରି ଝୁରି ସିଏ ବି ଗତ ଜାନୁଆରି‌ରେ ଝିଅକୁ ଛାଡ଼ି ଚାଲିଗଲା ଆରପାରିକୁ। ଝିଅଟି ଦୁନିଆ କ’ଣ ବୁଝିବା ପୂର୍ବରୁ ଦୁନିଆାରେ ଏକା ହୋଇଗଲା। ତାକୁ ଏବେ ମାଉସୀ ଅମ୍ବିକା ଡୁଙ୍ଗଡୁଙ୍ଗ ଆଶ୍ରା ଦେଇଛନ୍ତି। ମଦ ତାକୁ ବାପାମା’ ଛେଉଣ୍ଡ କରି ଦାଣ୍ଡରେ ଠିଆ କରି ଦେଇଥିବାରୁ କୁନି ଝିଅର କଅଁଳ ମନରେ ମଦ ପ୍ରତି ପ୍ରଚଣ୍ଡ ଘୃଣା ଓ ରୋଷ ଜାଗିଛି। ଯେ କୌଣସି ସ୍ଥିତିରେ ମଦଭାଟି ତାଙ୍କ ପଡ଼ାରୁ ହଟିଯାଉ, ତା’ ପରି ଆଉ ଅନ୍ୟ କେହି ପିଲା ଏମିତି ଅନାଥ ନ ହୁଅନ୍ତୁ ବୋଲି ସେ ଚାହେ।

publive-image

ଉଲ୍ଲେଖଯୋଗ୍ୟ ଯେ ସୁନ୍ଦରଗଡ଼ ରାଣୀବଗିଚା ବସ୍ତିରେ ଏକ ଦେଶୀ ମଦଭାଟି ପ୍ରାୟ ୩୫ ବର୍ଷ ହେଲା ବେପାର କରି ଆସୁଛି। ଅବକାରୀ ଆଇନକୁ ଉଲ୍ଲଂଘନ କରି ଭାଟି ଚାଲୁଥିଲେ ମଧ୍ୟ ପ୍ରଶାସନ ଆଖି ବୁଜି ଦେଇଛି। ବରଂ ରାଜସ୍ବ ଲୋଭରେ ପ୍ରତି ବର୍ଷ ନବୀକରଣ କରି ଆସୁଛି। ଅଭିଯୋଗ ହୁଏ ଯେ ମଦ ପିଇ ସ୍ଥାନୀୟ ଗରିବ, ମୂଲିଆ ଶ୍ରେଣୀର ଲୋକେ ତଳିତଳାନ୍ତ ହୋଇଯାଉଛନ୍ତି। ଉଜୁଡ଼ି ଯାଉଛି ଗୋଟିଏ ପରେ ଗୋଟିଏ ଘର ପରିବାର। ବହୁ ପରିବାର ମଦନିଶାରେ ପଡ଼ି ସର୍ବସ୍ବାନ୍ତ ହେଉଥିବା ବେଳେ ଏକାଧିକ ପରିବାରରେ ବାପାମା’ ଝାଳବୁହା ଟଙ୍କାକୁ ମଦରେ ଉଡ଼ାଇ ଶେଷକୁ ଅକାଳରେ ପ୍ରାଣ ହରାଇଛନ୍ତି। ଏସ୍ଥିତିରେ ରାଣୀବଗିଚା ଖଡ଼ିଆପଡ଼ାରେ ବର୍ଷା ସୋରେଙ୍ଗଙ୍କ ପରି ବହୁ ନିରୀହ ଛୁଆ ଅନାଥ ହୋଇଯାଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଭାଟିର ଧୂଆଁ ଓ ମହୁଲି ପୋଚ ଯୋଗୁଁ ସ୍ଥାନୀୟ ପରିବେଶ ଓ ପାଖରେ ବୋହି ଯାଉଥିବା ଇବ ନଦୀ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ରହିଛି। ମଦଭାଟି ନିକଟରେ ଶିକ୍ଷାନୁଷ୍ଠାନ, ନଦୀ ଗାଧୁଆ ଘାଟ, ପାନୀୟ ଜଳ ପ୍ରକଳ୍ପ ଥିବା ବେଳେ ଅବକାରୀ ଆଇନ ଉଲ୍ଲଂଘନ କରି ଭାଟି ବେଧଡ଼କ ମଦ ବେପାର କରିଚାଲିଛି। ଅତିଷ୍ଠ ଲୋକେ ବହୁବାର ମଦଭାଟି ହଟାଇବାକୁ ଦାବି କରି ଆସୁଛନ୍ତି। କିନ୍ତୁ ପ୍ରଶାସନ ଶୁଣୁନି। ଆଜି କୁନି ଝିଅ ବର୍ଷା ସମେତ ପଡ଼ାର ସରସ୍ବତୀ ଏକ୍କା, ସୁଜିତା ଡୁଙ୍ଗଡୁଙ୍ଗ ଜିଲ୍ଲାପାଳଙ୍କୁ ଭେଟି ମଦଜନିତ ବେଦନା ଜଣାଇବା ସହ ରାଣୀବଗିଚାରୁ ତୁରନ୍ତ ମଦଭାଟିକୁ ହଟାଇବାକୁ ଅନୁରୋଧ କରିଛନ୍ତି।

ପ୍ରକାଶ‌ଯୋଗ୍ୟ, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ଗତ ଫେବ୍ରୁଆରିରେ ବିଧାନସଭାରେ ଜିଲ୍ଲାର ବେଆଇନ ମଦ ଦୋକାନ ବିରୋଧରେ ସ୍ବର ଉଠାଇଥିଲେ। ମଦ ଦୋକାନଗୁଡ଼ିକ ବନ୍ଦ କରିବା ଉପ‌ରେ ସେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍ତରରେ ମନ୍ତ୍ରୀ ଓଡ଼ିଶା ଅବକାରୀ ଆଇନ ୨୦୧୭ର ନିୟମ ୨୬ ଅନୁଯାୟୀ ଠିପି ଖୋଲା ମଦ ଦୋକାନ ଗାଧୁଆ ତୁଠ ଠାରୁ ଶହେ ମିଟର, ଧାର୍ମାନୁଷ୍ଠାନ, ଅନୁସୂଚିତ ଜାତି, ଜନଜାତି, ତଥା ଶ୍ରମିକ ବସ୍ତି, କାରଖାନା, ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଠାରୁ ପୌରାଞ୍ଚଳରେ ୩ ଶହ ମିଟର ଓ ଗ୍ରାମାଞ୍ଚଳରେ ୫ ଶହ ମିଟର ଦୂରତାରେ ଖୋଲିବାକୁ ପ୍ରତିବନ୍ଧକ ରହିଛି। ସେହିପରି ଶିକ୍ଷାନୁଷ୍ଠାନ ଠାରୁ ୫ ଶହ ମିଟର, ଗ୍ରାମର ଜନଗହଳି ଅଞ୍ଚଳ, ଦୈନିକ ହାଟ ନିକଟରେ ଠିପିଖୋଲା ମଦ ଦୋକାନ ଖୋଲିବା ଉପରେ ଅବକାରୀ ଆଇନରେ ବାରଣ କରାଯାଇଥିବା ମନ୍ତ୍ରୀ ପ୍ରକାଶ କରିବା ସହ ଠିପି ବନ୍ଦ ଓ ଠିପି ଖୋଲା ମଦ ଦୋକାନର ଅବସ୍ଥିତି ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଆପତ୍ତି, ଅଭିଯୋଗ ଆସିଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ତେବେ ଆଇନ ଆଖିରେ ଧୂଳି ଦେଇ ସୁନ୍ଦରଗଡ଼ ସହରର ପାଲ୍‌ ହୋଟେଲ ଛକ, ହସ୍ପିଟାଲ ଛକ, ରାଣୀବଗିଚାରେ ଜନବସତି, ମନ୍ଦିର, ଶିକ୍ଷାନୁଷ୍ଠାନ ଓ ସରକାରୀ ବଙ୍ଗଳାର ଅତି ନିକଟରେ ଅର୍ଥାତ ୫୦ରୁ ଶହେ ମିଟର ଦୂରତାରେ ମଦ ଦୋକାନ ଥିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe