ରଜ ଡ୍ରେସ୍‌ ପାଇଁ ଜୀବନ ହାରିଲା ଝିଅ

Advertisment
ରଜ ଡ୍ରେସ୍‌ ପାଇଁ ଜୀବନ ହାରିଲା ଝିଅ

କେନ୍ଦ୍ରାପଡ଼ା : ଆଗକୁ ରଜ। ଅଲିଅଳି ଝିଅ ଡ୍ରେସ୍‌ଟିଏ କିଣିବାକୁ ଅଝଟ କଲା ବାପା ପାଖରେ। ‘‘ଏବେ ପଇସା ନାହିଁ, ଡ୍ରେସ୍‌ ପରେ କିଣିଦେବି’’ ବାପାର ଏତିକି କଥାରେ ମନ ତା’ର ଭାଙ୍ଗିଗଲା। ମାତ୍ର ୧୨ ବୟସର ଝିଅଟି ନିଜ ଜିଦ୍‌ ଆଗରେ ହାର୍‌ ମାନିଗଲା। ଜୀବନ କ’ଣ ଜାଣିବା ଆଗରୁ ଚାଳ ଘର ଶେଣିରେ ଚୂନିରେ ଫାଶୀ ଲଗାଇ ଜୀବନ ହାରିଦେଲା। କେଇଟା ଟଙ୍କା ପାଇଁ ଝିଅକୁ ଡ୍ରେସ୍‌ କିଣି ଦେଇ ପାରି ନଥିବା ବାପା ୭ ଶହ ଟଙ୍କା ଦେଇ ତା’ର ଶବ ବ୍ୟବଚ୍ଛେଦ କରାଇଛି। କେନ୍ଦ୍ରାପଡ଼ା ବ୍ଲକ୍‌ ଓସ୍ତପୁର ନିକଟ ବୀରସ୍ୱତୀ ଗାଁରେ ଘଟିଥିବା ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ପ୍ରକାଶ ଯେ ବୀରସ୍ୱତୀ ଗ୍ରାମର ପ୍ରଫୁଲ୍ଲ ସ୍ୱାଇଁ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି। ୨ ପୁଅରେ ଗୋଟିଏ ଝିଅ ପ୍ରିୟମ୍ବଦା। ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିଲା। ଆଗକୁ ରଜ ଆସୁଥିବାରୁ ଡ୍ରେସ୍‌ କିଣିବାକୁ ଆଜି ବାପା ପାଖରେ ଅଳି କରିଥିଲା ପ୍ରିୟମ୍ବଦା। ଅଭାବୀ ବାପା ପାଖରେ ପଇସା ନ ଥିବାରୁ ଏବେ ଡ୍ରେସ୍‌ କିଣି ହେବନାହିଁ ବୋଲି କହିଥିଲେ। ଏତିକି କଥାରେ ଝିଅର ମନ ଭାଙ୍ଗି ଯାଇଥିଲା। ଦିନ ୧୧ଟା ବେଳେ ଘରେ କେହି ନ ଥିବାବେଳେ ଚାଳ ଘର ଶେଣିରେ ନିଜ ଚୂନିରେ ଫାଶୀ ଲଗାଇ ଝୁଲି ପଡ଼ିଥିଲା ସେ। ମା’ କମ୍ପେଇ ଘରକୁ ଆସି ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ତାକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଳ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏଠାରେ ଝିଅର ଶବ ବ୍ୟବଚ୍ଛେଦ କରାଇବା ବେଳେ ପ୍ରଫୁଲ୍ଲଙ୍କୁ ୭୦୦ ଟଙ୍କା ଗଣିବାକୁ ପଡ଼ିଥିଲା। ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ମାଗଣାରେ କରାଯିବାର ନିୟମ ରହିଥିବା ବେଳେ ଚିକିତ୍ସାଳୟ କର୍ମଚାରୀମାନେ ତାଙ୍କ ଠାରୁ ବେଆଇନ ଭାବେ ଏହି ଟଙ୍କା ଆଦାୟ କରି ନେଇଥିଲେ। କେଇଟା ଟଙ୍କା ପାଇଁ ଡ୍ରେସ୍‌ କିଣି ପାରି ନ ଥିବା ପ୍ରଫୁଲ୍ଲଙ୍କୁ ଝିଅର ଶବ ବ୍ୟବଚ୍ଛେଦ ପାଇଁ ୭ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସଦର ଥାନା ପୁଲିସ ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସିଡିଏମ୍‌ଓ ବୈଷ୍ଣବ ଚରଣ ସାହୁଙ୍କୁ ପଚାରିବାରୁ, ଘଟଣା ସମ୍ପର୍କରେ ତାଙ୍କ ପାଖରେ ଅଭିଯୋଗ ପହଞ୍ଚି ନାହିଁ। ଶବ ବ୍ୟବଚ୍ଛେଦ ମାଗଣାରେ କରାଯିବା ନିୟମ ଥିବା ବେଳେ କେଉଁ ପରିସ୍ଥିତିରେ ଅର୍ଥ ନିଆଗଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe