ମୋବାଇଲ୍‌ ଫାଟି ଯୁବତୀ ମୃତ

ମୋବାଇଲ୍‌ ଫାଟି ଯୁବତୀ ମୃତ

ଝାରସୁଗୁଡ଼ା/ଲଇକେରା : ମୋବାଇଲ୍‌ ଚାର୍ଜରେ ବସିଥିବା ବେଳେ ଏଥିରେ କଥା ହେବା କେତେ ମାରାତ୍ମକ ହୋଇପାରେ ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଖେରିଆକାନି ଗାଁରେ। ଏହି ଘଟଣାରେ ଜଣେ ଯୁବତୀଙ୍କ ପ୍ରାଣ ଯାଇଛି। ମୃତକ ହେଲେ ଗ୍ରାମର ସ୍ୱର୍ଗତ ବାଡ଼ିଆ ଓରାମଙ୍କ ଝିଅ ଉମା ଓରାମ (୧୯)।

ପରିବାର ସୂତ୍ରରୁ ଜଣାଯାଇଛି ଯେ, ଉମା ଆଜି (ଶୁକ୍ରବାର) ଅପରାହ୍ନ ପ୍ରାୟ ୨ଟା ସମୟରେ ମୋବାଇଲରେ କଥା ହେଉଥିଲେ। ସେତେବେଳେ ମୋବାଇଲଟି ଚାର୍ଜରେ ବସିଥିଲା। ଏହି ସମୟରେ ତାଙ୍କ ଘର ଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଟ୍ରାନ୍ସଫର୍ମରରେ ହଠାତ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଟ୍ରାନ୍ସଫର୍ମର ବିସ୍ଫୋରଣ ସହ ଉମା କଥା ହେଉଥିବା ମୋବାଇଲଟି ମଧ୍ୟ ବିସ୍ଫୋରଣ ହୋଇଥିଲା। ଉମାଙ୍କ ହାତ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଉମା ଯେଉଁଠି ବସିଥିଲେ ସେଇ ପାଖରେ ଥିବା ଏକ ଧାନ ବସ୍ତା ପୋଡ଼ିଯାଇଥିଲା। ମୋବାଇଲ୍‌ରେ ଲାଗିଥିବା ଚାର୍ଜର ଓ ଇଲେକ୍ଟି୍ର ବୋର୍ଡର କିଛି ଅଂଶ ମଧ୍ୟ ପୋଡ଼ିଯାଇଥିଲା। ଘରଲୋକେ ଗୁରୁତର ଅବସ୍ଥାରେ ଉମାଙ୍କୁ ତୁରନ୍ତ ଝାରସୁଗୁଡ଼ା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଲଇକେରା ପୁଲିସ ଡାକ୍ତରଖାନା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe