IndiaToday
କଟକ : ରଜ ପାଇଁ ମା’କୁ ମାଗିଥିଲା ନୂଆ ଡ୍ରେସ୍। ବିଧବା ମା’ ମନା କରିଦେବାରୁ ରାଗରେ ମା’ ବିକ୍ରି କରୁଥିବା ଉକୁଣିମରା ଔଷଧକୁ ପିଇଦେଲା ନାବାଳିକା ହୀରା ସିଂ। ଝିଅକୁ ନେଇ ମା’ ମୀରା ତୁରନ୍ତ କଟକ ବଡ ମେଡିକାଲକୁ ଧାଇଁଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ଅର୍ଥାଭାବରୁ ଝିଅର ଶବ ଦାହ ପାଇଁ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ପହଞ୍ଚି ଶବଦାହର ବ୍ୟବସ୍ଥା କରାଇଥିଲେ। ୪ବର୍ଷର ସାନଭଉଣୀ ମୁଖାଗ୍ନି ଦେଇଥିଲେ। ତିନିବର୍ଷ ତଳେ ସ୍ବାମୀଙ୍କୁ ହରାଇଥିବା ମୀରା ଆଜି ୧୪ବର୍ଷର ଝିଅକୁ ହରାଇ ପାଗଳ ପ୍ରାୟ ପ୍ରଳାପ କରୁଛନ୍ତି।
ଜଗତ୍ସିଂହପୁର ଜିଲ୍ଲା ସିଂହପୁର ଗ୍ରାମର ମୀରାଙ୍କ ସ୍ବାମୀ ସ୍ବାମୀ ନିରଞ୍ଜନ ସିଂହ ତିନି ବର୍ଷ ତଳେ ମୃତ୍ୟୁବରଣ କରିବା ପରେ ୨ଝିଅଙ୍କୁ ନେଇ ଚଳୁଥିଲେ। ବୁଲା ବିକାଳୀ ଭାବେ ସିନ୍ଦୁର, ଅଳତା, ଚୁଡି ଓ ଉକୁଣିମରା ଔଷଧ ଆଦି ବିକ୍ରି କରି ସେ ପରିବାର ଚଳାଉଥିଲେ। ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଥିବାରୁ ବଡଝିଅ ହୀରା ମା’ ପାଖରେ ନୂଆ ଡ୍ରେସ୍ କିଣି ଦେବା ପାଇଁ ଜିଦ୍ ଧରିଥିଲା। ‘ଟଙ୍କା ନାହିଁ, ପରେ କିଣିବା’ କହି ମା’ ମନା କରି ଦେଇଥିଲେ। ହେଲେ, ମାଙ୍କ କଥାରେ ରାଗିଯାଇ ହୀରା ନିଜ ମା’ ବିକ୍ରି କରୁଥିବା ଉକୁଣିମରା ଔଷଧ ଖାଇ ଚୁପ୍ଚାପ୍ ଶୋଇ ପଡିଥିଲା। ମା’ ଘରକୁ ଫେରି ଦେଖିବା ବେଳକୁ ଝିଅ ଅବସ୍ଥା ଗୁରୁତର ହୋଇ ସାରିଥିଲା। ତୁରନ୍ତ ଜଗତ୍ସିଂହପୁର ମେଡିକାଲକୁ ନେଇ ଯାଇଥିଲେ। ଅବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ। ହେଲେ, ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ହୀରାର ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦର ବ୍ୟସ୍ଥା କରାଇବା ସହ ଖାନନଗରସ୍ଥିତ ସ୍ବର୍ଗଧାମରେ ଶବ ଦାହ କରାଇଥିଲେ। ପରେ କିଛି ଲୋକ ଆର୍ଥିକ ସହାୟତା ଦେଇ ମା’ ଓ ୪ବର୍ଷର ଝିଅକୁ ଗାଁକୁ ପଠାଇ ଦେଇଥିଲେ। ବାଳୁଙ୍ଗା କ୍ଲବ୍ ପକ୍ଷରୁ ମାଗଣାରେ ଶବବାହାକ ଗାଡି ଦିଆଯାଇଥିଲା।
Follow Us