ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

Advertisment
ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

Clipart Library

ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ଚାନ୍ଦପୁର ଗୋପବନ୍ଧୁ ନଗରର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ହୋଇଥିବା ନେଇ ଗତକାଲି ରାତି ୯.୪୫ ରେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି। ଅଭିଯୋଗ ମୁତାବକ ଚାନ୍ଦପୁର ଗୋପବନ୍ଧୁ ନଗରର ରାଜେଶ କୁମାର ଚୌଧୁରୀଙ୍କ ଝିଅ ପ୍ରଭାତୀ ଚୌଧୁରୀ ଓରଫ ମିତାଲି (୮) ମହର୍ଷି ପବ୍ଲିକ୍‌ ସ୍କୁଲ୍‌ରେ ଅଧ୍ୟୟନ କରନ୍ତି। ତେବେ ଆଜି ସେ ତାଙ୍କ ସମ୍ପର୍କୀୟ ଭାଇ ରୋହିତ ସହିତ ଉକ୍ତ ସ୍କୁଲ୍‌ ସମ୍ମୁଖକୁ ୨ଟି ସାଇକେଲ୍‌ ନେଇ ଖେଳୁଥିଲେ। ଇତି ମଧ୍ୟରେ ଜଣେ ଫୁଲ୍‌ ପ୍ୟାଣ୍ଟ୍‌-ସାର୍ଟ ପିନ୍ଧା ବ୍ୟକ୍ତି ମିତାଲିକୁ ଡାକି ତା’ ନାକରେ କ’ଣ ଶୁଙ୍ଘାଇ ଦେବାରୁ ମିତାଲି କୁଆଡ଼େ ସେ ଲୋକ ପଛେ ପଛେ ସାଇକେଲରେ ପଳାଇଥିଲା। ଏହି ସମୟରେ ରୋହିତ ନିଜ ସାଇକେଲ ଯୋଗେ ସେମାନଙ୍କ ପିଛା କରି ଏଜି ମିସନ ସ୍କୁଲ୍‌ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ସେଠାରେ ରହୁଥିବା ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଘର ଗଳି ରାସ୍ତାରେ ଉକ୍ତ ଅପହର୍ତ୍ତା ଜଣକ ମିତାଲିକୁ ଡାକି ନେଇଯାଇଥିଲା। ଏ ସବୁ ଦେଖି ରୋହିତ ଘଟଣା ସମ୍ପର୍କରେ ମିତାଲିର ମା’ଙ୍କୁ ଆସି ଜଣାଇଥିଲେ। ଏ ନେଇ ତୁରନ୍ତ ରାଜେଶ ଘଟଣାସ୍ଥଳରେ ପହଞ୍ଚି ଏଜି ମିସନ ସ୍କୁଲ୍‌ ପାଖ ରାସ୍ତାରୁ ଝିଅ ଛାଡ଼ିଯାଇଥିବା ସାଇକେଲ୍‌ଟିକୁ ଉଦ୍ଧାର କରିଥିଲେ ଏବଂ ଝିଅ କୁଆଡ଼େ ଗଲା ବୋଲି କହି ଉକ୍ତ ଅଞ୍ଚଳର ଲୋକଙ୍କୁ ପଚାରିଥିଲେ। ସେହି ବାଟ ଦେଇ ଗୋଟିଏ ଝିଅ ଜଣେ ଲୋକ ସାଙ୍ଗରେ ଯାଇଥିବା ଦେଖିଥିଲେ ବୋଲି ସେହି ଅଞ୍ଚଳର ଲୋକମାନେ ରାଜେଶଙ୍କୁ କହିଥିଲେ। ଝିଅକୁ କିଛି ଲୋକ ଦେଖିଛନ୍ତି ବୋଲି କହିବାରୁ ସେହି ଅଞ୍ଚଳର କେହି ମିତାଲିକୁ ଅପହରଣ କରିନେଇଛନ୍ତି ବୋଲି ରାଜେଶ ସନ୍ଦେହ ପ୍ରକଟ କରଛନ୍ତି। ଏହାର ତୁରନ୍ତ ଅନୁସନ୍ଧାନ କରିବାକୁ ଅଞ୍ଚଳବାସୀ ପୁଲିସ୍‌ ନିକଟରେ ଦାବି ଜଣାଇଛନ୍ତି। ତେବେ ପୁଲିସ୍‌ ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe