ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

Advertisment
ଲଭ୍‌-ସେକ୍ସ-ଧୋକା ପରେ ଦିବ୍ୟାଙ୍ଗ ଯୁବତୀଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

Daily Guide

ବରପାଲି/ସମ୍ବଲପୁର : ବରଗଡ଼ ଜିଲ୍ଲା ବରପାଲି ଥାନା ବାଗବାଡ଼ି ଗାଁର ଜଣେ ନାବାଳିକା ଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଏହି ଗ୍ରାମର ଜମିଦାର ବେହେରାଙ୍କ ଝିଅ ଅଙ୍କିତା (୧୭)। ଅଙ୍କିତା ବରଗଡ଼ ଜିଲ୍ଲା ଖୁଣ୍ଟପାଲିର ବାବା ବାଲୁଙ୍କେଶ୍ବର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ବିତୀୟ ବର୍ଷ (କଳା) ଛାତ୍ରୀ ଥିଲେ। ଉଚ୍ଚ ଶିକ୍ଷା ପାଇଁ ବହୁତ ସ୍ବପ୍ନ ଦେଖିଥିଲେ। କିନ୍ତୁ ପରିବାରର ଆର୍ଥିକ ସଙ୍କଟ ଏଥିପାଇଁ ବାଧା ସୃଷ୍ଟି କରିଥିଲା। ଯୁକ୍ତ ଦୁଇ ପରେ ବଡ଼ କଲେଜରେ ଯୁକ୍ତ ୩ ପଢ଼ିବେ ବୋଲି ଆଶା କରିଥିଲେ। କିନ୍ତୁ କମ୍‌ ମାର୍କ ଆସିବାରୁ ସରକାରୀ ମହାବିଦ୍ୟାଳୟରେ ସିଟ୍‌ ମିଳିଲା ନାହିଁ। ଘରୋଇ କଲେଜରେ ପଢ଼ିବାକୁ ପରିବାର ନିକଟରେ ଅର୍ଥର ଅଭାବ ଦେଖା ଦେଇଥିଲା। ଟଙ୍କା ଦେବାକୁ ମା’ପଦ୍ମିନୀ ଅକ୍ଷମତା ପ୍ରକାଶ କରିଥିଲେ।

ନିଜ ଉଚ୍ଚଶିକ୍ଷାର ସବୁ ଆଶା ଓ ସ୍ବପ୍ନ ମଉଳି ଯିବା ପରେ ଗୁରୁବାର ‌ଭୋରରୁ ଅଙ୍କିତା ବିଷ ପିଇ ଦେଇଥିବା ଜାଣିପାରି ପରିବାର ଲୋକ ତାଙ୍କୁ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳ ୧୧ଟା ୪୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସ୍ଥାନୀୟ ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଙ୍କିତାଙ୍କ ବାପା ଜମିଦାର ବେହେରା ଚାଷ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଅଙ୍କିତାଙ୍କ ସାନ ଭାଇ ସପ୍ତମରେ ପଢ଼ୁଛନ୍ତି। ଘରର ଆର୍ଥିକ ସଙ୍କଟ ପାଇଁ ପୂର୍ବରୁ ଜମିଦାର ସମସ୍ତ ଜମିବାଡ଼ି ବିକ୍ରି କରିସାରିଛନ୍ତି। ତେଣୁ ଅଙ୍କିତାଙ୍କୁ ଆଉ ଅଧିକ ପାଠ ପଢ଼ାଇବା ତାଙ୍କ ପକ୍ଷେ ସମ୍ଭବ ନଥିଲା ବୋଲି ଗ୍ରାମବାସୀ କହିଛନ୍ତି।

ଘଟଣା ସମ୍ପର୍କରେ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ପୂର୍ବରୁ ତାଙ୍କ ପରିବାରବର୍ଗ ଏସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ନିଶ୍ଚିତ ଭାବେ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଥାନ୍ତା। ତଥାପି ଯଦି ଟଙ୍କା ଅଭାବରୁ ପାଠ ପଢ଼ିନପାରି ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିବା ନେଇ ପରିବାର ଲୋକ ଅଭିଯୋଗ ଆଣୁଛନ୍ତି, ତେବେ ଏଦିଗରେ ସବିଶେଷ ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ତାଙ୍କ ନିକଟକୁ ସହାୟତା ପହଞ୍ଚି ପାରିଲାନି ଓ ସେ ଆତ୍ମହତ୍ୟା କଲେ ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe