ଯୁବତୀଙ୍କୁ ଅପହରଣ ପରେ ହତ୍ୟା: ପ୍ରେମିକ ଅଟକ

Advertisment
ଯୁବତୀଙ୍କୁ ଅପହରଣ ପରେ ହତ୍ୟା: ପ୍ରେମିକ ଅଟକ

Pinterest

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ସୋରଡ଼ା ବଡ଼ଦାଣ୍ଡ ସାହିର ମୀନାକ୍ଷୀ ଅଧିକାରୀ (୨୦) ନାମ୍ନୀ ଜଣେ ଯୁବତୀଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ ହୋଇଛି। ମୀନାକ୍ଷୀ ଏକ ମାସ ହେଲା ଗାଙ୍ଗପୁର ଥାନା ଅଧୀନ କୁଲାଙ୍ଗି ପଞ୍ଚାୟତ ଚାଞ୍ଚରାପଲ୍ଲୀ ଗ୍ରାମରେ ତାଙ୍କ ପିଉସୀଙ୍କ ଘରେ ରହୁଥିଲେ। ସୋମବାର ରାତିରେ କେତେକ ଯୁବକ ତାଙ୍କୁ ଯୋଜନାବଦ୍ଧ ଭାବେ ଅପହରଣ ପରେ ହତ୍ୟା କରିଥିବା ସଂକ୍ରାନ୍ତରେ ପିଉସୀ ସୁଷମା ନାୟକ ଗାଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ନଂ.୧୧୬/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ମୀନାକ୍ଷୀଙ୍କ ପ୍ରେମିକକୁ ଅଟକ ରଖି ଜେରା କରୁଛି।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ମୀନାକ୍ଷୀ ତାଙ୍କ ପିଉସୀଙ୍କ ଘରେ ଏକମାସ ହେଲା ରହି ଆସୁଥିଲେ। ଏହାମଧ୍ୟରେ ଜଗନ୍ନାଥପ୍ରସାଦ ଥାନା ଇଲାକାର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉକ୍ତ ଯୁବକ ଜଣକ ପ୍ରାୟ ତିନିଥର ତାଙ୍କୁ ଦେଖା କରିବାକୁ ଏଠାକୁ ଆସିଥିଲେ। ସୋମବାର ରାତି ପ୍ରାୟ ୧୦ଟାରୁ ୧୧ଟା ଭିତରେ ଦୁଇଟି ବାଇକ୍‌ରେ ଚାରିଜଣ ଯୁବକ ଆସିଥିଲେ। ସେମାନେ ମୀନାକ୍ଷୀଙ୍କୁ ଡାକି ସାଙ୍ଗରେ ନେଇ ଯାଇଥିଲେ। ରାତିରେ ପିଉସୀଙ୍କ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ହେଁ, ଠାବ କରିପାରି ନଥିଲେ।

ମଙ୍ଗଳବାର ସକାଳେ ହଠାତ୍ ମୀନାକ୍ଷୀଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପ୍ରେମିକ ଆଣି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉକ୍ତ ଯୁବକଙ୍କ କହିବାନୁସାରେ, ସେ ମୀନାକ୍ଷୀଙ୍କୁ ଭେଟିବା ଲାଗି ଚାଞ୍ଚରାପଲ୍ଲୀ ଗ୍ରାମକୁ ଆସିଥିଲେ। ମୀନାକ୍ଷୀଙ୍କୁ ତାଙ୍କ ପିଉସୀଙ୍କ ଘରୁ ଆଣିବା ସମୟରେ ଗ୍ରାମବାସୀ ସେମାନଙ୍କୁ ଚୋର ସନ୍ଦେହ କରି ଗୋଡ଼ାଇଥିଲେ। ବାଇକ୍‌ର ବେଗ ବଢ଼ାଇବାରୁ ଦୁର୍ଘଟଣା ଘଟିବା ପରେ ମୀନାକ୍ଷୀ ପଡ଼ିଯାଇ ଗୁରୁତର ହୋଇଥିଲେ। ଫଳରେ ସେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୀନାକ୍ଷୀଙ୍କ ମୃତ୍ୟୁ ଘଟିଥିଲା ବୋଲି ଯୁବକ ଜଣକ ସଫେଇ ଦେଉଛନ୍ତି।

ତେବେ ମୀନାକ୍ଷୀଙ୍କ ହାତ ଓ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଫଳରେ ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପିଉସୀ ସୁଷମା ଗାଙ୍ଗପୁର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ପୁଲିସ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚିବା ପରେ ମୀନାକ୍ଷୀଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଛି। ବର୍ତ୍ତମାନ ଉକ୍ତ ଯୁବକଙ୍କୁ ପୁଲିସ ଅଟକ ରଖିଛି। ତେବ‌େ କେଉଁ ପରିସ୍ଥିତିରେ ଓ କିଭଳି ମୀନାକ୍ଷୀଙ୍କ ମୃତ୍ୟୁ ହେଲା, ଏହା ଦୁର୍ଘଟଣା ନା’ ହତ୍ୟାକାଣ୍ଡ, ରାତିରେ ଉକ୍ତ ଯୁବକଙ୍କ ସହ ଆଉ କିଏ ଆସିଥିଲେ, ଏସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଦେବ୍ କୁମାର ଗମାଙ୍ଗ କହିଛନ୍ତି। ଏସଆଇ ଶୁଭ୍ରଜିତ୍ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe