ସମସ୍ୟାରେ ଉବୁଟୁବୁ ପାଳଲହଡ଼ା ବ୍ଲକ୍‌ ଜମରଡିହସ୍ଥିତ ବନ୍ଧାଭୂଇଁ ବାଳିକା ହାଇସ୍କୁଲ୍‌

Advertisment
ସମସ୍ୟାରେ ଉବୁଟୁବୁ ପାଳଲହଡ଼ା ବ୍ଲକ୍‌ ଜମରଡିହସ୍ଥିତ ବନ୍ଧାଭୂଇଁ ବାଳିକା ହାଇସ୍କୁଲ୍‌

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍‌ ଜମରଡିହସ୍ଥିତ ବନ୍ଧାଭୂଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ବୁଡ଼ି ରହିଛି। ଆଦିବାସୀ ହରିଜନ କଲ୍ୟାଣ ବିଭାଗର ଏହି ସ୍କୁଲ୍‌ରେ ଅଧା ଶିକ୍ଷକ ପଦ ଖାଲି ପଡ଼ିଛି। ଛାତ୍ରୀନିବାସ ଶୌଚାଳୟକୁ ଜଳ ଯୋଗାଣ ବନ୍ଦଥିବାରୁ ଅନ୍ତେବାସୀମାନେ ବହୁ କଷ୍ଟରେ ପାଣି ବୋହି ଶୌଚ ହେଉଛନ୍ତି।

publive-imageସୂଚନା ଅନୁଯାୟୀ, ଏହି ସ୍କୁଲ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨୫ ଜଣ ଛାତ୍ରୀ ଥିବାବେଳେ ସମସ୍ତେ ହଷ୍ଟେଲରେ ରହି ପଢ଼ୁଛନ୍ତି। ଏଠାରେ ୧୬ଟି ଶିକ୍ଷକ ପଦ ରହିଛି। କିନ୍ତୁ ଅଛନ୍ତି ମାତ୍ର ୭ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ। ଏକ ବର୍ଷ ପୂର୍ବେ ସ୍କୁଲ୍‌ ସଂସ୍କୃତ ଶିକ୍ଷକ ଅବସର ନେବା ପରେ ସେଦିନଠାରୁ ସଂସ୍କୃତ ପଢ଼ା ବନ୍ଦ ରହିଛି। ମାଟ୍ରିକ୍‌ ପରୀକ୍ଷା ପାଖେଇ ଆସିଥିବାବେଳେ ଛାତ୍ରୀମାନେ ଚିନ୍ତାରେ ଅଛନ୍ତି। ଅନେକ ଛାତ୍ରୀଙ୍କୁ ମାସିକ ୫ ହଜାର ୫ ଶହ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା। ସେମାନଙ୍କ ଷ୍ଟାଇପେଣ୍ଡ ୨ ବର୍ଷ ହେଲା ବନ୍ଦ ହୋଇଯାଇଛି। ସ୍କୁଲ୍‌ ହଷ୍ଟେଲଠାରୁ ଏକ ଉଚ୍ଚ ଜାଗାରେ ୫୦ ମିଟର ଦୂରରେ ଶୌଚାଳୟ ଅବସ୍ଥିତ। କିଛି ବର୍ଷ ହେଲା ଶୌଚାଳୟକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଛାତ୍ରୀମାନେ ବାଲ୍‌ଟିରେ ପାଣି ବୋହି ଶୌଚ ହେଉଛନ୍ତି। ଗୋଟିଏ ନଳକୂଅରେ ପାଳିକରି ଗାଧୋଉଛନ୍ତି। ହଷ୍ଟେଲରେ ଡାଇନିଂ ହଲ ନଥିବାରୁ ଛାତ୍ରୀମାନେ ସବୁବେଳେ ଖୋଲା ଆକାଶ ତଳେ ଖାଦ୍ୟ ଖାଉଛନ୍ତି।

publive-image

ଜିଲ୍ଲାର ସର୍ବାଧିକ ଛାତ୍ରୀ ପଢ଼ୁଥିବା ଏହି ସ୍କୁଲ୍‌କୁ ବିଭାଗୀୟ ଅଧିକାରୀ ପରିଦର୍ଶନରେ ଆସୁଥିଲେ ମଧ୍ୟ ଏହାର ସମସ୍ୟା ଦୂର ହେଉନାହିଁ। ଏ ସଂପର୍କରେ ସ୍କୁଲ୍‌ ପ୍ରଧାନ ଶିକ୍ଷକ ସମୀର ରହେମନ ଖାନ୍‌ଙ୍କୁ ପଚାରିବାରୁ ସ୍କୁଲ୍‌ ସମସ୍ୟା ସେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ସେହିପରି ଉକ୍ତ ବିଦ୍ୟାଳୟର ସମସ୍ୟା ସମାଧାନ ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି ଜିଲ୍ଲା ସହକାରୀ ସମାଜମଙ୍ଗଳ ଅଧିକାରୀ ଅନିଲ ସେଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe