ବୈପାରିଗୁଡା: ଖେଳିବା, ବୁଲିବା, ଆଉ ପାଠ ପଢ଼ିବା ବୟସରେ ବିପଦଜନକ ବାଉଁଶ ରାଣୀ ଖେଳ ଦେଖେଇ ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ପଡୁଛି। ମାତ୍ର ବାରବର୍ଷ ବୟସରେ ଦଉଡ଼ି ଉପରେ ଚାଲିବା ସହ ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କ ପାଖରୁ ତାଳି ମାଡ଼ ମିଳେ ସିନା ତା ତୁଳନାରେ କିନ୍ତୁ ରୋଜଗାର ସେତିକି ହୁଏ ନାହିଁ। ସୀମିତ ରୋଜଗାର ଭିତରେ ଦୁଇ ବେଳା ପାଇଁ ରୁଟି, ପୋଷାକ ଏବଂ ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଗାଡ଼ି ଖର୍ଚ୍ଚ। ପୁଣି ଦେହ ପାଇଁ ଔଷଧ ଲୋଡା। ଏଭଳି ଜୀବନ ନେଇ ବାଉଁଶରାଣୀ ଖେଳ ଦେଖେଉଥିବା ଗୋଟିଏ ପରିବାର ଆଜି କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ପହଞ୍ଚିଛନ୍ତି।
ପଡୋଶୀ ଛତିଶଗଡର ବିଲାସପୁର ଅଞ୍ଚଳରେ ସେମାନଙ୍କ ଘର। କିନ୍ତୁ ବାରବୁଲା ଜୀବନ ନେଇ ଗାଆଁରୁ ସହର ବୁଲନ୍ତି। ଦଉଡ଼ି ଉପରେ ନିଜ ଦେହକୁ ନିୟନ୍ତ୍ରଣରେ ରଖି ଚମତ୍କାର ଖେଳ ପ୍ରଦର୍ଶନ କରୁଥିବା ବାରବର୍ଷର ଝିଅଟି ଏବେ ସପ୍ତମ ଶ୍ରେଣୀର ଛାତ୍ରୀ। ଝିଅଟିର ବାପା ଏହା ପ୍ରକାଶ କରିଛନ୍ତି।
ଅନ୍ୟ ଝିଅଟିର ବୟସ ଛଅ ବର୍ଷ ହୋଇଥିବା ବେଳେ ସେ ପ୍ରଥମ ଶ୍ରେଣୀରେ ନାମ ଲେଖେଇଛି। କରୋନା ହେତୁ ସ୍କୁଲ ବନ୍ଦ ରହିଥିବାରୁ ଝିଅଟି ବାପାକୁ ରୋଜଗାର ପାଇଁ ହାତ ବଢ଼େଇଛି। ବାଉଁଶରାଣୀ ଖେଳ ସେମାନଙ୍କ ଜୀବିକା ହେଲେ ମଧ୍ୟ ପାଠ ପ୍ରତି ଯଥେଷ୍ଟ ଆଗ୍ରହ ରହିଥିବା ଏବଂ ଆଗକୁ ପଢିବାକୁ ଚାହୁଁଥିବା ଝିଅଟି ପ୍ରକାଶ କରିଛି। ଅନ୍ୟ ଦିଗରେ ଏଭଳି କଳା କୌଶଳରେ ପରିପୂର୍ଣ୍ଣ ବିଭିନ୍ନ ଖେଳକୁ ଜୀବିକା ରୂପେ ଆପଣେଇ ରାସ୍ତା କଡ଼ରେ ଖେଳ ପ୍ରଦର୍ଶନ କରୁଥିବା ଏହି ବାରବୁଲା ଜାତି ଲୋକଙ୍କୁ ମନୋରଞ୍ଜନ ବେଶ୍ ଖୋରାକ ଯୋଗାଉଥିଲେ ମଧ୍ୟ ଧିରେଧିରେ ଏହା ଲୋପ ପାଇବାକୁ ବସିଲାଣି।
Follow Us