ଗୀତା ହୋତାଙ୍କ ପରଲୋକ

ଗୀତା ହୋତା : ଏକ ସମର୍ପିତ ଜୀବନ

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ଗୀତା ହୋତାଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ତାଙ୍କୁ ୮୬ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ସ୍ବାମୀ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ପୁଅ ବୋହୂ, ଝିଅ ଜ୍ବାଇଁଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଆଜି ଅପରାହ୍‌ଣରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ସଞ୍ଜୀବ ହୋତା ମୁଖାଗ୍ନି ଦେଇଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ବର୍ଗତ ହୋତା ମୟୂରଭଞ୍ଜ ଜିଲ୍ଲା ଜଗନ୍ନାଥଖୁଣ୍ଟା ଗ୍ରାମରେ ୧୯୩୬ ମସିହା ସେପ୍ଟେମ୍ବର ୯ରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ସୃଜନାତ୍ମକ ଧାରାରେ ନିଜକୁ ବ୍ରତୀ ରଖୁଥିବା ଗୀତା ସମୟକ୍ରମେ ଜଣେ ବିଶିଷ୍ଟ ଲେଖିକା ଓ ସମ୍ପାଦିକା ଭାବେ ସାହିତ୍ୟ ଜଗତରେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘ଅମୃତାୟନ’ ଓଡ଼ିଶାରେ ବେଶ୍‌ ପାଠକାଦୃତି ଲାଭ କରିଛି। ତାଙ୍କ ରଚିତ ଗଳ୍ପ ସଂକଳନ ‘ଅପୂଜା ଫୁଲ’, ‘ବିଶ୍ବାସ ଏକ ଅନ୍ଧଗଳି’, ‘ରଙ୍ଗମଞ୍ଚ’ ଓ ଉପନ୍ୟାସ ‘ମାୟାବିନୀ’ ଏବଂ ଶିଶୁ ସାହିତ୍ୟ ଓ କବିତା, ଆତ୍ମଜୀବନୀ ଆଦି ପୁସ୍ତକ ବେଶ୍‌ ପାଠକୀୟ ଆଦୃତି ପାଇପାରିଛି। ସେ ଜଣେ ଉତ୍ତମ ସଂଗଠିକା ଭାବେ ମଧ୍ୟ ବେଶ୍‌ ପରିଚିତି ଲାଭ କରିଥିଲେ। ୧୯୭୬-୭୭ରେ ସେ ଓଡ଼ିଶା ମହିଳା କଂଗ୍ରେସର ଆବାହିକା ଭାବେ କାର୍ଯ୍ୟ କରିଥିଲେ। ଦକ୍ଷିଣପୂର୍ବ ରେଳବାଇର ମହିଳା ଅନୁଷ୍ଠାନର ସଭାପତି ଭାବେ ସେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଓଡ଼ିଶାର ବହୁ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ସହିତ ସେ ଶେଷ ସମୟ ପର୍ଯ୍ୟନ୍ତ ଜଡ଼ିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର, ପୀତବାସ ରାଉତରାୟ, ରାଜେନ୍ଦ୍ର ମହାନ୍ତି, ବିରଜା ପ୍ରସାଦ ଶତପଥୀ, ରମାକାନ୍ତ ମିଶ୍ର, ଇନ୍ଦିରା ଦାଶ, ବିମଳା ସିଂହ, ପ୍ରଦୀପ୍ତ ବିଶ୍ବାଳ ପ୍ରମୁଖ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥି‌ଲେ। ସାହିତ୍ୟିକ ଓ ସମାଜସେବୀ ବଦ୍ରି ମିଶ୍ର ସ୍ବର୍ଗଦ୍ବାରରେ ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe