‘ଭତ୍ତା ଦିଅ, ନହେଲେ ବିଷ ପିଇବି’, ୪ମାସ ହେବ ଭତ୍ତା ପାଇନାହାନ୍ତି ଦାଶରଥି

Advertisment

ଧାରଣାରେ ବସିଲେ ୨୦ରୁ ଉର୍ଦ୍ଧ୍ବ ହିତାଧିକାରୀ, ସମସ୍ୟାରେ ହାଟଡ଼ିହିର ୪୦୦୦ ହିତାଧିକାରୀ

ଧାରଣାରେ ବସିଲେ ୨୦ରୁ ଉର୍ଦ୍ଧ୍ବ ହିତାଧିକାରୀ, ସମସ୍ୟାରେ ହାଟଡ଼ିହିର ୪୦୦୦ ହିତାଧିକାରୀ

‘ଭତ୍ତା ଦିଅ, ନହେଲେ ବିଷ ପିଇବି’, ୪ମାସ ହେବ ଭତ୍ତା ପାଇନାହାନ୍ତି ଦାଶରଥି

ହାଟଡ଼ିହି : ‘ଭତ୍ତା ଦିଅ, ନ ହେଲେ ବିଷ ପିଇବି।’ ୪ ମାସ ହେଲା ଭତ୍ତା ପାଇ ନଥିବାରୁ ଆଜି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଷଡ଼ଙ୍ଗ ପଞ୍ଚାୟତ ନସିରପୁର ଗ୍ରାମର ବୃଦ୍ଧ ଦାଶରଥି ଜେନା ବିଷ ବୋତଲ ଧରି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଶ୍ରୀ ଜେନା ଏପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି। ଯେଉଁଥିପାଇଁ ‌ସେ ଶୁକ୍ରବାର ଦିନ ବିଷ ବୋତଲ ଧରି ଷଡ଼ଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବିଷ ବୋତଲ ଧରି ଧାରଣାରେ ବସିବା ସହିତ ଭତ୍ତା ନଦେଲେ ବିଷ ପିଇଦେବେ ବୋଲି ଚିତ୍କାର କରି କହିଥିଲେ। ଦାଶରଥିଙ୍କ ଅଭିଯୋଗ ହେଲା, ସେ ପୂର୍ବରୁ ଠିକ୍‌ ଭାବେ ପଞ୍ଚାୟତରୁ ଭତ୍ତା ପାଉଥିଲେ। ସରକାର ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ଟଙ୍କା ଜମା କରିବା ପରେ ସମସ୍ୟା ଆରମ୍ଭ ହୋଇଛି। ସେ ଚାରିମାସ ହେଲା ଭତ୍ତା ପାଉନାହାନ୍ତି। ଏନେଇ ସେ ଅନେକଥର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଯାଇଛନ୍ତି। କେହି କିଛି ନ ବୁଝିବାରୁ ସେ କିଛିଦିନ ତଳେ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇଥିଲେ। ବ୍ଲକ୍‌ କର୍ତ୍ତୃପକ୍ଷ ୨୫ ତାରିଖ ସୁଦ୍ଧା ଭତ୍ତା ଦିଆଯିବ ବୋଲି କହିବାକୁ ସେ ଘରକୁ ଆସିଥିଲେ। କିନ୍ତୁ, ତାଙ୍କୁ ଭତ୍ତା ମିଳିଲା ନାହିଁ ବୋଲି ଦାଶରଥି କହିଛନ୍ତି। ତେବେ, ଖବର ପାଇ ପଞ୍ଚାୟତର କିଛି ୱାର୍ଡମେମ୍ବର ପହଞ୍ଚି ତାଙ୍କୁ ବୁଝାସୁଝା କରି ଘରକୁ ପଠାଇଥିବା ଜଣାପଡ଼ିଛି।

କେବଳ ଦାଶରଥି ନୁହନ୍ତି ଏହି ପଞ୍ଚାୟତର ସାବିତ୍ରୀ ସାହୁ, ଶ୍ରୀମତୀ ଜେନା, ସତ୍ୟ ଜେନା, ଜମୁ କାଣ୍ଡି, ମଜାତି ଜେନା, କୁନି ଜେନା, ଗୋପୀନାଥ ନାୟକ, ସୁଦର୍ଶନ ଜେନା, ଗୋପୀନାଥ ଜେନା, ନଟବର ଜେନା, କାଳନ୍ଦୀ ଚରଣ ଜେନାଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ହିତାଧିକାରୀ ଧାରଣାରେ ବସିଥିଲେ।

ଏ ସମ୍ପର୍କରେ ଷଡ଼ଙ୍ଗ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡାଇଙ୍କୁ ପଚାରିବାରୁ, ପଞ୍ଚାୟତର ଶହେରୁ ଊର୍ଦ୍ଧ୍ବ ହିତାଧିକାରୀ ଚାରିମାସ ହେଲା ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ଏନେଇ ସେ ବାରମ୍ବାର ବ୍ଲକ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସେ କହିଛନ୍ତି। କେବଳ ଷଡ଼ଙ୍ଗ ପଞ୍ଚାୟତ ନୁହେଁ ହାଟଡିହି ବ୍ଲକ୍‌ର ସମସ୍ତ ୩୧ଟି ପଞ୍ଚାୟତର ୪ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ ଏଭଳି ସମସ୍ୟା ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe