argus news
ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଟାଙ୍ଗରୁପଦର ଗ୍ରାମରେ ବିଷ ଦେଇ ସ୍ତ୍ରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବିଜେପୁର ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ସୂଚନା ମତେ, ବିଜେପୁର ଥାନା ଲାଉମୁଣ୍ଡା ପଞ୍ଚାୟତ ଟାଙ୍ଗରୁପଦର ଗ୍ରାମର ଦେବରାଜ ଛତ୍ରିଆ ତାଙ୍କ ପ୍ରେମିକା ସହ ମିଶି ନିଜ ସ୍ତ୍ରୀ କାଞ୍ଚନ ଛତ୍ରିଆଙ୍କୁ ବିଷ ଦେଇ ହତ୍ୟା କରିଥିବା କାଞ୍ଚନଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଦେବରାଜ ନିଜର ଗୋଟିଏ ରଙ୍ଗମଞ୍ଚ ଦଳ ଗଠନ କରି ବିଭିନ୍ନ ଯାତ୍ରାରେ କଂସ ଦରବାର କାର୍ଯ୍ୟକ୍ରମ କରିଥାନ୍ତି।
ସେ ଖୋଦ୍ କଂସ ଭୂମିକାରେ ଅଭିନୟ କରନ୍ତି। ଗତ ୫ ମାସ ହେଲା ସେହି ରଙ୍ଗମଞ୍ଚ ଦଳର ଜଣେ ମହିଳା ନର୍ତ୍ତକୀଙ୍କୁ ନିଜ ଘରେ ଆଣି ରଖିଥିଲେ। ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ସ୍ତ୍ରୀ କାଞ୍ଚନ ଏହାକୁ ବିରୋଧ କରିବାରୁ ପ୍ରେମିକା ସହ ମିଶି ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି। ଶୁକ୍ରବାର ସକାଳ ୧୦ଟାରେ କାଞ୍ଚନ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଭାଇକୁ ଫୋନ୍ କରି ଜଣାଇଥିଲେ। ରାତି ଗୋଟାଏ ପାଖାପାଖି କାଞ୍ଚନଙ୍କ ମୃତ୍ୟୁ ଖବରପାଇ ତାଙ୍କ ଘରଲୋକେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନାରେ ଏତଲା ଦେଇଥିଲେ। ଲୋଇସିଂହା ପୁଲିସ ବିଜେପୁର ଥାନାକୁ ଯୋଗାଯୋଗ କରିଥିଲା। ପରେ ବିଜେପୁର ଥାନା ଅଧିକାରୀ ସନୟ ନାୟକ ଘଟଣାସ୍ଥାଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦେବରାଜ ଏବଂ ତାଙ୍କ ପ୍ରେମିକାକୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।
Follow Us