ଗ୍ଲୋବାଲ ଟେଣ୍ଡର୍‌: ଟିକା ପାଇଁ ୨ ବିଡରଙ୍କ ଆବେଦନ

Advertisment
ରାଜ୍ୟକୁ ୯୫% ଟିକା ଦାବି ଦୋହରାଇଲେ ନବୀନ

Image Courtesy of India Today

ଭୁବନେଶ୍ବର : ସପ୍ତାହ ବିଳମ୍ବରେ ହେଲେ ମଧ୍ୟ କରୋନା ଟିକା ପାଇଁ ରାଜ୍ୟ ସରକାର ଆହ୍ବାନ କରିଥିବା ଗ୍ଲୋବାଲ ଟେଣ୍ଡର୍‌ ପ୍ରକ୍ରିୟାରେ ୨ଜଣ ବିଡର୍‌ ଆବେଦନ କରିଛନ୍ତି। ତେବେ କେଉଁ ଦୁଇ ଟିକା କମ୍ପାନି ଆବେଦନ କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ। ଆବେଦନକାରୀ କମ୍ପାନିଙ୍କ ତର୍ଜମା ଜାରି ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ମାସ ୧୫ ତାରିଖରେ ରାଜ୍ୟ ଔଷଧ ନିଗମ ପକ୍ଷରୁ ବିଶ୍ବ ବଜାରରୁ ଟିକା କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟିକା ଯୋଗାଣକାରୀ ଆଗ୍ରହୀ ପକ୍ଷମାନେ ୧୯ତାରିଖରେ ପ୍ରି-ବିଡ୍‌ ବୈଠକରେ ଯୋଗଦେବା ସହିତ ୨୦ ତାରିଖରେ ଅନଲାଇନ୍‌ ଜରିଆରେ ଆବେଦନ କରିବା ପାଇଁ କୁହାଯାଇଥିଲା। ୨-୮ଡିଗ୍ରି ତାପମାତ୍ରାରେ ରହିପାରୁଥିବା ୩.୮କୋଟି ଟିକା ଗ୍ଲୋବାଲ ଟେଣ୍ଡର ଜରିଆରେ କିଣିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ୨୮ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଶେଷ ମୁହୂର୍ତରେ ଏହାକୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଘୁଞ୍ଚାଇ ଦେଇଥିଲେ। ତେବେ ଗ୍ଲୋବାଲ ଟେଣ୍ଡର୍‌ର ପ୍ରି-ବିଡିଂରେ ଆଶାଜନକ ସଫଳତା ନ ମିଳିବାରୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। ରାଜ୍ୟର ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ କୌଣସି ଟିକା କମ୍ପାନି ଆଗ୍ରହ ଦେଖାଉ ନାହାନ୍ତି। ପ୍ରି-ବିଡିଂରେ ଭାରତର ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନି ସେରମ ଓ ଭାରତ ବାୟୋଟେକ୍ ମଧ୍ୟ ସାମିଲ ହୋଇନାହାନ୍ତି। ଟିକା କମ୍ପାନିମାନେ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବାକୁ ଚାହୁଛନ୍ତି। ତେଣୁ କେନ୍ଦ୍ର ସରକାର ଟିକା କିଣନ୍ତୁ ଓ ଏ ବାବଦ ଅର୍ଥ ରାଜ୍ୟ ଭରଣା କରିବ ବୋଲି ଶ୍ରୀ ଦାସ ଚିଠିରେ ଉଲ୍ଲେଖ କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିକା ସଂକଟ ଦୂର କରିବା ନେଇ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ।

ରାଜ୍ୟ ସରକାର ୧୮-୪୪ ବର୍ଗର ଲୋକଙ୍କୁ ମାଗଣାରେ ଟିକାକରଣ କରିବା ଲାଗି ଘୋଷଣା କରିଛନ୍ତି। ଦେଶର ଦୁଇ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ ରାଜ୍ୟ ସରକାର ଟିକା କିଣି ଟିକାକରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe