NewsNation
ଭବାନୀପାଟଣା/କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମରେ ବଶିଷ୍ଟ ବାଗ(୫୦) ନାମକ ଜଣେ ଛେଳି ଚରାଳି ଛେଳି ଚରାଇ ଘରକୁ ଫେରୁଥିବା ବେଳେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଏହାର ତଦନ୍ତ କରି ଜାତୀୟ ମାନବାଧିକାର କମିସନ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, କେସିଙ୍ଗା ଥାନା ସୁକୁନାଭଟା ଗାଁର ବଶିଷ୍ଟ ୨୦୧୯ ମସିହା ମେ ୨୫ ତାରିଖ ଦିନ ଛେଳି ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ତଳକୁ ଝୁଲି ରହିଥିବା ୩୩ କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ବାବଦରେ ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିସନ କେସ ନଂ ୧୯୨୭/ ୧୮.୬.୨୦୧୯ରେ ମାମଲା ରୁଜୁ କରିଥିଲେ। ପରେ ଶକ୍ତି ବିଭାଗକୁ ରିପୋର୍ଟ ତଲବ କରିଥିଲେ। ଶକ୍ତି ବିଭାଗ ପକ୍ଷରୁ ମୁଖ୍ୟ ନିରୀକ୍ଷକ ତଦନ୍ତ କରି ଏହା ୱେସ୍କୋ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଘଟିଛି ଓ ୱେସ୍କୋ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ବୋଲି ରିପୋର୍ଟ ଦେଇଥିଲେ।
ଏହାକୁ ବିଚାର କରି ଜାତୀୟ ମାନବାଧିକାର କମିସନ ଗତ ୨୯ ତାରିଖ ଦିନ ତାଙ୍କ ରାୟ ପ୍ରକାଶ କରିଥିଲେ। ଏଥିରେ ବିଦ୍ୟୁତ ଆଘାତରରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସମ୍ପୃକ୍ତ ୱେସ୍କୋ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଓ କଳାହାଣ୍ଡି ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us